ଆରମ୍ଭ ହେଲା ରାଜଧାନୀ ଏକ୍ସପ୍ରେସ୍ ବସ୍ ସେବା: ସବୁ ସଦର ମହକୁମାକୁ ଗଡ଼ିବ ଅତ୍ୟାଧୁନିକ ଏସି ବସ୍

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ବରରୁ  ବିଭିନ୍ନ ଜିଲ୍ଲାକୁ ଆରାମଦାୟକ ଯାତ୍ରା ପାଇଁ ୨୩ଟି ଏସି ବସର ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି । ଏହି ବସକୁ ରାଜଧାନୀ ଏକ୍ସପ୍ରେସ ଭାବେ ନାମିତ କରାଯାଇଛି  । ଭୁବନେଶ୍ୱର-ଫୁଲବାଣୀ, ଭୁବନେଶ୍ୱର-ରାଉରେକଲା, ଭୁବନେଶ୍ୱର-ଭବାନୀପାଟଣା, ଭୁବନେଶ୍ୱର-ଭଂଜନଗର, ଭୁବନେଶ୍ୱର-ରାଜଗାଙ୍ଗପୁର,ଭୁବନେଶ୍ୱର-ରାଜ ଖରିଆର,ଭୁବନେଶ୍ୱର-ଗୋରୁ ମହିଶାଣି,ଭୁବନେଶ୍ୱର-ବୁର୍ଲା ଦେଇ ଯାତାୟାତ କରିବ । ଏହା ବ୍ୟତୀତ ୪ଟି ଭଲଭୋ ବସର ମଧ୍ୟ ଶୁଭାରମ୍ଭ କରାଯିବ । ଏହି ବସଗୁଡିକ ଆନ୍ତଃରାଜ୍ୟ ଯାତ୍ରୀ ପରିବହନ ପାଇଁ ଭୁବନେଶ୍ୱର-କୋଲକତା ଓ ପାରାଦୀପରୁ ବିଜୟୱାଡା ପର୍ଯ୍ୟନ୍ତ ଯାତାୟାତ କରିବ ।

ଯାତ୍ରୀଙ୍କ ସୁବିଧା ପାଇଁ ଏଥିରେ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା ସହ ନିଶୁଳ୍କ ୱାଇ-ଫାଇ ସେବା, ମୋବାଇଲ ଚାର୍ଜିଂ ବ୍ୟବସ୍ଥା , ସିସିଟିଭି କ୍ୟାମେରା, ଭେଇକିଲ ଟ୍ରାକିଂ ଭଳି ବ୍ୟବସ୍ଥା ସହ ଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା ମଧ୍ୟ ଏହି ବସରେ ଉପଲବ୍ଧ । ଖାଲି ଏତିକି ନୁହେଁ,ଏହି ବସ ଗୁଡିକରେ ଯାତ୍ରୀମାନେ ଅନଲାଇନ ଟିକେଟ୍ ବୁକିଂ କରି ମଧ୍ୟ ଯାତ୍ରା କରିପାରିବେ ।

ବର୍ତ୍ତମାନ ରାଜ୍ୟ ସଡକ ପରିବହନ ନିଗମର ୪୨୯ଟି ବସ୍ ୩୦ ଜିଲ୍ଲାରେ ଯାତ୍ରୀମାନଙ୍କ ସେବାରେ ନିୟୋଜିତ ହେଉଛି ଏବଂ ଏହାବ୍ୟତୀତ ୪୩ଟି ଅନ୍ତଃରାଜ୍ୟ ସଡକ ଦେଇ ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଝାଡଖଣ୍ଡ ଓ ମଧ୍ୟପ୍ରଦେଶର ପ୍ରମୁଖ ସହରକୁ ଯାତାୟତ କରୁଅଛି । ଓଡିଶା ରାଜ୍ୟ ପରିହନ ନିଗମ  ୫ଟି ନୂତନ ବସଷ୍ଟାଣ୍ଡର ନିର୍ମାଣ ଜୟପୁର, ବଲାଙ୍ଗିର, ଅନୁଗୁଳ, ବାମରା ଓ ଓଡଗାଁଠାରେ ହାତକୁ ନେଇଛି ଏବଂ ୨୫ଟି ବସଷ୍ଟାଣର ପୁନରୁଦ୍ଧାର କାର୍ଯ୍ୟ ହାତକୁ ନିଆଯାଇଛି । ନିକଟରେ ୫୦ଟି ବ୍ଲକ ସ୍ତରରେ ବସଷ୍ଟାଣ୍ଡ ନିର୍ମାଣ କରାଯିବାର କାର୍ଯ୍ୟକ୍ରମ ରହିଛି ।

ସମ୍ବନ୍ଧିତ ଖବର