ଅଡ଼ୁଆରେ ପଡ଼ିଗଲେ ରେଳ ରାଷ୍ଟ୍ରମନ୍ତ୍ରୀ

ସାମ୍ବାଦିକ ସମ୍ମିଳନୀରେ ତଥ୍ୟ ଦେଇ ନ ପାରି ହଟହଟ୍ଟା

ଜମି ଅଧିଗ୍ରହଣ ସମସ୍ୟା ନେଇ ରାଜ୍ୟକୁ ଦୋଷ ଠେଲିଲେ

ଭୁବନେଶ୍ୱର : କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ରାଜେନ ଗୋହେନ୍‌ ତରବରିଆ ଭାବେ ଏକ ସାମ୍ବାଦିକ ସମ୍ମିଳନୀ ଡାକି ହଟହଟ୍ଟା ହୋଇଛନ୍ତି। ରେଳ ପ୍ରକଳ୍ପ ନ ଆଗେଇବା ପାଇଁ ରାଜ୍ୟ ସରକାରଙ୍କ ଦୋଷ ଠେଲିଥିଲେ ମନ୍ତ୍ରୀ। କିନ୍ତୁ ନିର୍ଦ୍ଦିଷ୍ଟ ଭାବେ ପ୍ରକଳ୍ପ ସମ୍ପର୍କରେ ତଥ୍ୟ ଦେଇ ନ ପାରି ନିଜେ ଅଡ଼ୁଆରେ ପଡ଼ିଯାଇଥିଲେ। ଶେଷରେ ତଥ୍ୟ ନ ଥିବାରୁ କ୍ଷମା ବି ମାଗିଥିଲେ। ‘ମୋତେ ଯେତିକି କୁହାଯାଇଥିଲା ମୁଁ ଏଠି ସେତିକି କହିଲି’ ବୋଲି ମନ୍ତବ୍ୟ ଦେଇ ନିଜ ଦଳକୁ ଆହୁରି ଅପ୍ରୀତିକର ସ୍ଥିତିରେ ପକାଇ ଦେଇଥିଲେ।

ଭୁବନେଶ୍ୱର ରେଳ ଷ୍ଟେସନ୍‌ରେ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ମନ୍ତ୍ରୀ ଶ୍ରୀ ଗୋହେନ୍‌ ଭୁବନେଶ୍ୱର ଆସିଛନ୍ତି। କୌଣସି ପୂର୍ବ ସୂଚନା ନ ଥାଇ ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ହଠାତ୍‌ ଏକ ସାମ୍ବାଦିକ ସମ୍ମିଳନୀ ଡକାଗଲା। ରାଜ୍ୟ ବିଜେପି ନେତାମାନଙ୍କ ଗହଣରେ କେନ୍ଦ୍ର ମନ୍ତ୍ରୀ ଗଣମାଧ୍ୟମକୁ ସମ୍ବୋଧନ କଲେ। ଚିରାଚରିତ ଢଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କଲେ। ସେ କହିଲେ, ଓଡ଼ିଶାରେ ରେଳସେବାର ବିକାଶ ପାଇଁ କେନ୍ଦ୍ର ସରକାର ଅର୍ଥ ଅଭାବ କରିନାହାନ୍ତି। ଏଥିପାଇଁ ଆବଶ୍ୟକ ହେଉଥିବା ଜମି ଅଧିଗ୍ରହଣ କରିବା ରାଜ୍ୟ ସରକାରଙ୍କ କାମ। କିନ୍ତୁ ରାଜ୍ୟ ସରକାର ଜମି ଅଧିଗ୍ରହଣ କରି ଏହାକୁ ହସ୍ତାନ୍ତର କରିବାରେ ବିଳମ୍ବ କରୁଛନ୍ତି। ସେଥିପାଇଁ ଓଡ଼ିଶାରେ ରେଳ ପ୍ରକଳ୍ପ କାମ ଆଗେଇ ପାରୁନାହିଁ। ୨୦୧୭-୧୮ ବଜେଟ୍‌ରେ ରେଳସେବା ପାଇଁ ରାଜ୍ୟକୁ ରେକର୍ଡ ପରିମାଣର ୫,୧୦୦ କୋଟି ଟଙ୍କା ମିଳିଛି।

ଜମି ଅଧିଗ୍ରହଣ ସମସ୍ୟା ପାଇଁ ନିର୍ଦ୍ଦିଷ୍ଟ ଭାବେ କେଉଁ ପ୍ରକଳ୍ପ ଅଟକିଛି ବୋଲି ସାମ୍ବାଦିକଙ୍କ ପ୍ରଶ୍ନରେ ମନ୍ତ୍ରୀ ହଡ଼ବଡ଼େଇ ଯାଇଥିଲେ। ଅପ୍ରସ୍ତୁତ ହୋଇ କହିଥିଲେ, ଜିଏମ୍‌ ନାହାନ୍ତି। ଜିଏମ୍‌ ଥିଲେ ତଥ୍ୟ ଦେଇଥା’ନ୍ତି। ସାମ୍ବାଦିକମାନେ ପୁଣି ସେହି ପ୍ରଶ୍ନ ପଚାରିବାରୁ ମନ୍ତ୍ରୀ କହିଲେ, ମୋତେ ଯେତିକି କୁହାଯାଇଥିଲା, ମୁଁ ସେତିକି କହିଲି। କିନ୍ତୁ ଏନ୍‌ଡିଏ ସରକାର ସମୟରେ ଓଡ଼ିଶାକୁ ଅଧିକ ଅର୍ଥ ଦିଆଯାଇଛି ବୋଲି ଦୋହରାଇଥିଲେ। ସେଠାରେ ବସିଥିବା ବିିଜେପିର ବରିଷ୍ଠ ନେତାମାନେ ମନ୍ତ୍ରୀଙ୍କୁ ତତ୍‌କାଳ ତଥ୍ୟ ଯୋଗାଇ ପାରି ନ ଥିଲେ।

ଏହା ପରେ ତରବରିଆ ଭାବେ ସାମ୍ବାଦିକ ସମ୍ମିଳନୀ ଶେଷ କରି ମନ୍ତ୍ରୀ ଉଠିଯାଇଥିଲେ। ଗଲା ବେଳେ ମନ୍ତ୍ରୀ ନିଜର ଜଣେ ବ୍ୟକ୍ତିଗତ ସହାୟକ ଓ ରାଜ୍ୟ ନେତାଙ୍କ ଉପରେ ଅସନ୍ତୋଷ ପ୍ରକାଶ କରୁଥିବା ଦେଖାଯାଇଥିଲା।

ଆଜି ଏହି ଘଟଣା ଚର୍ଚ୍ଚାର ବିଷୟ ହୋଇଥିଲା ବେଳେ ବିଜେଡି ବି ସୁଯୋଗ ହାତଛଡ଼ା କରିନି। ଦଳର ରାଜ୍ୟ ସମ୍ପାଦକ ବିଜୟ ନାୟକ ଏକ ପ୍ରେସ୍‌ ବିବୃତି ଦେଇ ହିଛନ୍ତି, ରେଳ ରାଷ୍ଟ୍ରମନ୍ତ୍ରୀ ଓଡ଼ିଶା ଗସ୍ତ ବେଳେ ରେଳ ପ୍ରକଳ୍ପ ନେଇ ତଥ୍ୟ ରଖି ନ ଥିବା ଘଟଣା ଓଡ଼ିଶା ପ୍ରତି କେନ୍ଦ୍ର ଅବହେଳାକୁ ସ୍ପଷ୍ଟ ଭାବେ ସୂଚାଉଛି। ପାଖରେ ତଥ୍ୟ ନ ଥିବାରୁ ମନ୍ତ୍ରୀ ଗାଲୁ ଗପ ଶୁଣାଇଲେ। ତଥ୍ୟ ନ ଥାଇ ରାଜ୍ୟକୁ ଦୋଷ ଦେବା ଗାଲୁଆଙ୍କ ବାରବାଟୀ ଚାଷ।

ଅପରପକ୍ଷରେ ଜମି ଅଧିଗ୍ରହଣ ସମସ୍ୟା ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀଙ୍କ ଅଭିଯୋଗର ଜବାବ ରଖିଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ନୃସିଂହ ସାହୁ। ସେ କହିଛନ୍ତି, ରାଜ୍ୟର ବହୁ ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଶେଷ ହୋଇଛି। କିନ୍ତୁ ଏ ପର୍ଯ୍ୟନ୍ତ କାମ ଆରମ୍ଭ ହୋଇନାହିଁ। ରାଜ୍ୟ ସରକାର ନିଜସ୍ୱ ଅର୍ଥରୁ ଜମି ଅଧିଗ୍ରହଣ କରୁଛନ୍ତି। ପୁଣି ଅଧିକାଂଶ ପ୍ରକଳ୍ପରେ ନିର୍ମାଣ ଖର୍ଚ୍ଚର ୫୦ ପ୍ରତିଶତ ବି ରାଜ୍ୟ ସରକାର ବହନ କରୁଛନ୍ତି। ତେଣୁ କେନ୍ଦ୍ର ମନ୍ତ୍ରୀ ଉପର ଠାଉରିଆ ଭାବେ ମନ୍ତବ୍ୟ ଦେଇଛନ୍ତି।

ସମ୍ବନ୍ଧିତ ଖବର