ପ୍ରବାସୀ ଓଡ଼ିଆ ରାଜେନ୍ଦ୍ର ନାରାୟଣ ଦାସଙ୍କୁ ଜର୍ମାନ ବିଶ୍ୱବିଦ୍ୟାଳୟର ‘ଗୋଲ୍‌ଡେନ୍‌ ଡିଗ୍ରି’

ଭୁବନେଶ୍ୱର: ଦୀର୍ଘ ୫୬ ବର୍ଷରୁ ଊର୍ଧ୍ୱକାଳ ଧରି ପ୍ରବାସରେ ରହିଆସୁଥିବା ଓଡ଼ିଆ ଇଞ୍ଜିନିୟର ଡ. ରାଜେନ୍ଦ୍ର ନାରାୟଣ ଦାସଙ୍କୁ ଜର୍ମାନୀର ବିଖ୍ୟାତ କ୍ଲାଉସ୍ଥାଲ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ଗୋଲ୍‌ଡେନ୍‌ ଡିଗ୍ରି’ ପ୍ରଦାନ କରାଯାଇଛି। ଗତ ଅକ୍ଟୋବର ୨୬ ତାରିଖ ଦିନ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏକ ଭବ୍ୟ ଉତ୍ସବରେ ଅନ୍ୟ ଚାରିଜଣଙ୍କ ସମେତ ତାଙ୍କୁ ସ୍ୱତନ୍ତ୍ର ଭାବେ ଏହି ‘ସୁବର୍ଣ୍ଣ ସମ୍ମାନ’ ପ୍ରଦାନ କରାଯାଇଛି।

କଟକରେ ଆଦ୍ୟ ଶିକ୍ଷା ସମାପ୍ତ କରିବା ପରେ ୧୯୬୧ ମସିହାରେ ଶ୍ରୀ ଦାସ ଉଚ୍ଚଶିକ୍ଷାପାଇଁ ଜର୍ମାନୀ ଯାଇ ୧୯୬୭ରେ ସେଠାରୁ ମେଟାଲର୍ଜିରେ କୃତିତ୍ଵର ସହ ଇଂଜିନିୟର ହୋଇଥିଲେ ଏବଂ ସେହିଠାରେ ହିଁ ବୃତ୍ତିଗତ ଜୀବନ ଆରମ୍ଭ କରି ସଫଳତା ଲାଭ କରିଥିଲେ। ଏହି ବିଶ୍ୱବିଦ୍ୟାଳୟ ୧୮୪୦ ମସିହାରେ ପ୍ରତିଷ୍ଠିତ ଏବଂ ମାଇନିଂ ଓ ମେଟାଲର୍ଜିର ଇଂଜିନିୟରିଂ ଶିକ୍ଷା ପାଇଁ ପ୍ରସିଦ୍ଧ। ଗତ ଦଶ ବର୍ଷ ହେଲା ଆରମ୍ଭ ହୋଇଥିବା ବିଶ୍ୱବିଦ୍ୟାଳୟର ପ୍ରଥା ଅନୁସାରେ, ୫୦ ବର୍ଷ ତଳେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରମାନଙ୍କୁ ଏହି ‘ଗୋଲ୍‌ଡେନ୍‌ ଡିଗ୍ରି’ ପ୍ରଦାନ କରାଯାଇଥାଏ ଏବଂ ସେମାନଙ୍କ ମଧ୍ୟରୁ ବଛାବଛା ପାଞ୍ଚ ଜଣଙ୍କୁ ବୃତ୍ତିଗତ ଜୀବନର ପ୍ରଭୂତ ସଫଳତା ପାଇଁ ସ୍ୱତନ୍ତ୍ର ଭାବରେ ସମ୍ମାନିତ କରାଯାଇଥାଏ। ଏବର୍ଷ ଅନ୍ୟ ଚାରିଜଣଙ୍କ ସହ ଶ୍ରୀ ଦାସଙ୍କୁ ଏହି ସ୍ୱତନ୍ତ୍ର ସମ୍ମାନ ପ୍ରଦାନ କରାଯାଇଛି। ଦୀର୍ଘ ୩୧ ବର୍ଷ ଧରି ଜର୍ମାନୀର ଓ ଜର୍ମାନୀ ବାହାରର ବିଭିନ୍ନ ଇସ୍ପାତ୍‌ ପ୍ରକଳ୍ପରେ କାର୍ଯ୍ୟକରି ସଫଳ ହେବା ସହ ପୂର୍ବତନ ଛାତ୍ର ଭାବେ ବିଶ୍ୱବିଦ୍ୟାଳୟର ନାମ ଉଜ୍ଜ୍ୱଳ କରିଥିବାରୁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି ବୋଲି ବିଶ୍ୱବିଦ୍ୟାଳୟର ରେକ୍ଟର(କୁଳପତି) ପ୍ରଫେସର ଥୋମାସ୍‌ ହାନ୍‌ସକେ କହିଛନ୍ତି।

ସମ୍ବନ୍ଧିତ ଖବର