ସହିଦ୍‌ ପୀଠରୁ ମାଟିଉଠାକୁ ନେଇ ବିବାଦ : କେନ୍ଦ୍ରାପଡ଼ାରେ ଅନଶନ, ରାସ୍ତାରୋକ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକାସ୍ଥିତ ସହିଦ୍‌ ସ୍ମୃତିପୀଠରୁ ସ୍ୱାଧୀନତା ସଂଗ୍ରାମୀଙ୍କ ଦ୍ୱାରା ମାଟି ଅଣାଯିବା ଘଟଣାକୁ ନେଇ ବିବାଦ ବଢିବାରେ ଲାଗିଛି। ଗତକାଲି ଆରମ୍ଭ ହୋଇଥିବା ଏହି ବିବାଦ ଆଜି ଆନ୍ଦୋଳନର ରୂପ ନେଇଛି। ଅନଶନ ସହିତ ରାସ୍ତାରୋକ ଦେଖିବାକୁ ମିଳିଛି।

ମାଟିନେବା ଘଟଣାକୁ ବିରୋଧ କରି ଆଜି ରାଜକନିକା ବନ୍ଦ ଡାକରା ଦିଆଯାଇଥିବାବେଳେ କଟକ-ଚାନ୍ଦବାଲି ରାସ୍ତାର ଗଂଜା ଘାଟଠାରେ ସକାଳ ୬ଟାରୁ ରାସ୍ତାରୋକ କରାଯାଇଥିଲା। ତେବେ ବଜାରଘାଟ ଓ ସରକାରୀ କାର୍ଯ୍ୟାଳୟ ଉପରେ ବନ୍ଦର ପ୍ରଭାବ ପଡ଼ି ନ ଥିଲା। ଦିନ ୧୨ଟା ବେଳେ ରାଜନାରାୟଣ ଜେନାଙ୍କ ନେତୃତ୍ୱରେ ରାସ୍ତାରୋକ କରାଯାଇଥିଲା। ପୁଲିସ ପହଞ୍ଚି ଆନ୍ଦୋଳନକାରୀ ଯୁବକମାନଙ୍କୁ ଉଠାଇ ନେଇଥିଲା। ଏହାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଅନ୍ୟପଟେ ମାଟି ନେବା ଘଟଣାକୁ ନେଇ କନିକା ସହିଦ୍‌ ସଂସଦ ତରଫରୁ ରାଜକନିକା ପଞ୍ଚାୟତ ସମିତି ସଭାଗୃହରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

ଅନ୍ୟପକ୍ଷରେ, ‘ସମ୍ଭାବନା’ ସ୍ୱେଚ୍ଛାସେବୀ ସଂଗଠନର ମୁଖ୍ୟ ଶ୍ରୀକାନ୍ତ ନାୟକ। ସଂଧ୍ୟାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିବା ଜଣାପଡ଼ିଛି। ରାଜକନିକାରେ ମଧ୍ୟ ଅନୁରୂପ ଭାବେ ଆନ୍ଦୋଳନ ଜାରି ରହିଥିବା ବେଳେ ପୁଲିସ୍‌ ଆନ୍ଦୋଳନକାରୀଙ୍କୁ ଉଠାଇ ନେଇ ଥାନାରେ ଅଟକ ରଖିଛି।

ଆଜି କେନ୍ଦ୍ରାପଡ଼ା ଗରାପୁରସ୍ଥିତ ପୂର୍ତ୍ତ ଡାକବଙ୍ଗଳା ସାମ୍ନା ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ଅନଶନରତ ଶ୍ରୀକାନ୍ତଙ୍କ ସମର୍ଥନରେ ଏକଜୁଟ୍‌ ହୋଇଥିଲେ ଛାତ୍ର ଓ ଯୁବ କଂଗ୍ରେସ୍‌ କର୍ମୀ। ଛାତ୍ର କଂଗ୍ରେସ ନେତା ଉମେଶ ପାଢ଼ୀ ଓ ଲୋକସଭା ଯୁବକଂଗ୍ରେସ ସଭାପତି ସତ୍ୟପ୍ରିୟ ସାମଲଙ୍କ ନେତୃତ୍ୱରେ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଶତାଧିକ ଛାତ୍ର ଅନଶନସ୍ଥଳରେ ପହଞ୍ଚି ଶ୍ରୀକାନ୍ତଙ୍କୁ ସମର୍ଥନ ଜଣାଇଥିଲେ। ସେମାନେ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ କୁଶପୁତ୍ତଳିକା ଦାହ କରିଥିଲେ।

ସମ୍ବନ୍ଧିତ ଖବର