ବଙ୍ଗୋପସାଗର ମୁହଁରେ ହବାଳିଖଟି, ସମୁଦ୍ର ଗର୍ଭକୁ ଚାଲିଯିବ ୫୦ ଲକ୍ଷର ‘ଡଲଫିନ ହାଉସ୍‌’!

ରାଜନଗର, (ସୂର୍ଯ୍ୟ ନାରାୟଣ ଲେଙ୍କା): ପର୍ଯ୍ୟଟନସ୍ଥଳୀ ହବାଳିଖଟି ଏବେ ବଙ୍ଗୋପସାଗର ମୁହଁରେ। ସମୁଦ୍ରର ଜୁଆର ବାଲିପଠାକୁ ଧୋଇ ନେବା ସହ ଶହଶହ ଗଛକୁ ଓପାଡି ପର୍ଯ୍ୟଟକଙ୍କ ରହିବା ସ୍ଥାନରେ ମାଡ଼ ହେଉଛି। ୬ମାସ ତଳେ ପର୍ଯ୍ୟଟକଙ୍କ ରହିବା ପାଇଁ ନିର୍ମାଣ ହୋଇଥିବା ୫୦ଲକ୍ଷ ଟଙ୍କାର ‘ଡଲଫିନ ହାଉସ’ ନିକଟରେ ସମୁଦ୍ର ଜୁଆର ଲହଡ଼ି ଭାଙ୍ଗୁଛି। ଏଠାରେ ସମୁଦ୍ରର ଉଗ୍ର ରୂପ ଡଲଫିନ ହାଉସ୍‌ ପ୍ରତି ବିପଦ ସୃଷ୍ଟି କରିଥିବା ବେଳେ ଏହା ସମୁଦ୍ର ଗର୍ଭରେ ଲୀନ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଦୂରଦୃଷ୍ଟି ନ ଖଟାଇ ସମୁଦ୍ର ଜୁଆର ମାଡି ଆସୁଥିବା ଅଞ୍ଚଳରେ ୫୦ଲକ୍ଷ ଟଙ୍କା ବ୍ୟୟରେ ୩ଟି କଟେଜ୍‌ ନିର୍ମାଣକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ବିଶ୍ବପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନକୁ ପରିଭ୍ରମଣରେ ଆସୁଥିବା ଦେଶବିଦେଶର ପର୍ଯ୍ୟଟକଙ୍କ ପାଇଁ ଡାଙ୍ଗମାଳ ସମେତ ହବାଳିଖଟିରେ ରାତ୍ରୀଯାପନର ସୁବିଧା ରହିଛି। ଗୁପ୍ତିରୁ ବୋଟ ଯୋଗେ ୪ଘଣ୍ଟାର ଜଳଯାତ୍ରା ପରେ ହବାଳିଖଟିରେ ପର୍ଯ୍ୟଟକମାନେ ପହଞ୍ଚିଥାନ୍ତି। ଯିବାଆସିବା ପାଇଁ ୮ଘଣ୍ଟା ଜଳଯାତ୍ରା ସମୟ ନେଉଥିବାରୁ କେବଳ ରାତ୍ରୀଯାପନ କରୁଥିବା ପର୍ଯ୍ୟଟକ ହବାଳିଖଟିକୁ ଯାଇଥାନ୍ତି। ହବାଳିଖଟିରେ ପର୍ଯ୍ୟଟକଙ୍କ ରହିବା ପାଇଁ ପୂର୍ବରୁ ୪ଟି ତମ୍ବୁଘର ସମେତ ଗୋଟିଏ ୬ କୋଣିଆ ଘର, ଗୋଟିଏ କାଠଘର ଓ ଗୋଟିଏ ଷ୍ଟାଫ୍ କ୍ବାର୍ଟର୍ସ ଥିଲା। ପର୍ଯ୍ୟଟକଙ୍କ ଏହି ରହିବା ସ୍ଥାନଠାରୁ ପ୍ରାୟ ୩ଶହ ମିଟର ଦୂରରେ ସମୁଦ୍ର ଥିଲା। ଗତ ୫ବର୍ଷ ହେଲା ସମୁଦ୍ର ଭୟଙ୍କର ଭାବେ ସେଠାରେ କୂଳ ଲଂଘୁଛି। ହବାଳିଖଟିରେ ପର୍ଯ୍ୟଟକଙ୍କ ରହିବା ସ୍ଥାନ ନିକଟରେ ବାଲିକୁଦ ସହ ଶହଶହ ଝାଉଁ ଓ ଅନ୍ୟାନ୍ୟ ଗଛ ଥିଲା। ୫ବର୍ଷ ମଧ୍ୟରେ ସମୁଦ୍ର ବାଲିପଠା ଧୋଇନେବା ସହ ସମସ୍ତ ଗଛକୁ ଓପାଡି ଭସାଇ ନେଇଛି। ୨୦୧୭ରେ ୪ଟି ତମ୍ବୁଘର ଉପରେ ସମୁଦ୍ର ଜୁଆର ମାଡ଼ ହେବାରୁ ତାହା କ୍ଷତିଗ୍ରସ୍ତ ହୋଇଥିଲା। ତମ୍ବୁଘର କ୍ଷତିଗ୍ରସ୍ତ ହେବାପରେ ପର୍ଯ୍ୟଟକଙ୍କ ରହିବା ନେଇ ସମସ୍ୟା ଦେଖାଦେଇଥିଲା। ୨୦୧୮ ଅକ୍ଟୋବର ମାସରେ ସମୁଦ୍ର ଜୁଆର ୬ କୋଣିଆ ୨ମହଲା କୋଠା ତଳୁ ମେଜିଆକୁ ଭସାଇ ନେଇଥିଲା। ପରେ ବନବିଭାଗ ପକ୍ଷରୁ ଏହି ୬କୋଣିଆ କୋଠାକୁ ଅସୁରକ୍ଷିତ ଘୋଷଣା କରାଯାଇଥିଲା। ଏବେ ବାତ୍ୟା ଫନିରେ ଆସିଥିବା ଜୁଆର ଷ୍ଟାଫ କ୍ବାର୍ଟର୍ସ ତଳୁ ମୂଳଦୁଆ ଭସାଇ ନେଇଛି। ୨ମହଲା କ୍ୟାବିନ ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।

ସମୁଦ୍ର ଜୁଆର ୨୦୧୭ରେ ୪ଟି ତମ୍ବୁଘର ଉପରେ ମାଡ ହେବା ପରେ ପର୍ଯ୍ୟଟକଙ୍କ ରହିବା ପାଇଁ କୋଠା ନିର୍ମାଣର ଯୋଜନା ହୋଇଥିଲା। ୨୦୧୭ ନଭେମ୍ବରରେ ୫୦ଲକ୍ଷ ଟଙ୍କା ବ୍ୟୟରେ ୩ଟି କଟେଜ୍‌ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ୬ମାସ ତଳେ ନିର୍ମାଣ ଶେଷହେବା ପରେ ଏହାକୁ ‘ଡଲଫିନ ହାଉସ’ ନାମରେ ନାମିତ କରାଯାଇଥିଲା। ମାତ୍ର ଫନି ସମୟରେ ସମୁଦ୍ର ଜୁଆର ଭୟଙ୍କର ଭାବେ ହବାଳିଖଟି ପର୍ଯ୍ୟଟନସ୍ଥଳରେ ମାଡ ହୋଇଛି। ଏବେ ଉଠିଆ ମୁଣ୍ତରେ ପ୍ରତିଦିନ ସମୁଦ୍ର ଜୁଆର ଡଲଫିନ ହାଉସ ତଳେ ଲହଡି ଭାଙ୍ଗୁଛି। ତେଣୁ ଅନ୍ୟ ଦୁଇଟି କୋଠା ଭଳି ଡଲଫିନ ହାଉସ ପ୍ରତି ବିପଦ ସୃଷ୍ଟି ହୋଇଛି। ଏ ସଂପର୍କରେ ଏସିଏଫ୍‌ ଅମରେଶ ନାଥ ପ୍ରଧାନ କହିଛନ୍ତି, ହବାଳିଖଟିରେ ଅଧିକ ଡଲଫିନ ଦେଖା ଯାଉଥିବାରୁ ସମୁଦ୍ରରେ ଡଲଫିନ ଦେଖିବା ପାଇଁ ଏହି ଘର ତିଆରି ହୋଇଛି। ଡଲଫିନ ହାଉସ ତଳେ ଜୁଆର ପାଣି ଯାଉଛି। ଘରପ୍ରତି ବିପଦ ନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର