ରାଜନଗରରେ ଅଜଣା ଜନ୍ତୁ ଆତଙ୍କ

୨ ଦିନରେ ୯ ମେଣ୍ଢା ମୃତ

ରାଜନଗର: ନିଆଳି ଭଳି କେନ୍ଦ୍ରାପଡା ଜିଲ୍ଲାର ରାଜନଗରରେ ଅଜଣା ଜନ୍ତୁ ଆତଙ୍କ ଦେଖିବାକୁ ମିଳିଛି। ଅଜଣା ଜନ୍ତୁଟି ଗୁହାଳ ଭାଙ୍ଗି ମେଣ୍ଢାକୁ ମାରିପକାଉଛି। ୨ ଦିନ ୯ଟି ମେଣ୍ଢା ମରିସାରିଲେଣି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ସୂଚନା ଅନୁସାରେ, ରାଜନଗର ବ୍ଲକ୍‌ ଅନ୍ତର୍ଗତ ରାଜଗଡ଼ ଗାଁର ମାଳତୀ ଶତପଥୀ ମେଣ୍ଢା ପାଳିଛନ୍ତି। ଏଥିପାଇଁ ତାଙ୍କର ଏକ ଗୁହାଳ ଘର ରହିଛି, ଯେଉଁଠି ୪୦ଟି ମେଣ୍ଢାକୁ ରଖାଯାଇଥିଲା। ଗତ ୨ ଦିନ ହେଲା ଅଜଣା ଜନ୍ତୁ ଏହି ମେଣ୍ଢାକୁ ଶିକାର କରୁଥିବା ଦେଖିବାକୁ ମିଳିଛି। ବୁଧବାର ରାତିରେ ୩ ଟି ଓ ଗତକାଲି ରାତିରେ ୬ଟି ମେଣ୍ଢାଙ୍କର ମୃତ୍ୟୁ ହୋଇଛି।  ଗତକାଲି ମାଳତୀ ଘଟଣାକୁ ଅତ୍ୟନ୍ତ ହାଲ୍‌କା ଭାବେ ନେଇଥିଲେ। ଆଜି ପୁଣିଥରେ ସମାନ ଢଙ୍ଗରେ ମେଣ୍ଢାଙ୍କର ମୃତ୍ୟୁ ହୋଇଥିବାରୁ କେବଳ ସେ ନୁହନ୍ତି, ସାରା ଗାଁରେ ଆତଙ୍କ ଖେଳିଯାଇଥିଲା। ଗାଁରେ ସମୁଦାୟ ୨୦ରୁ ଉର୍ଦ୍ଧ୍ୱ ପରିବାର ମେଣ୍ଢା ରଖିଛନ୍ତି।ଗାଁ ଲୋକଙ୍କ କହିବା କଥା, ଅଜଣା ଜନ୍ତୁ ହିଁ ମେଣ୍ଢାଙ୍କୁ ଶିକାର କରିଛି। ମୃତ ମେଣ୍ଢାଙ୍କ ବେକ ଓ ପେଟରେ କ୍ଷତ ଚିହ୍ନ ରହିଛି। ଗୁହାଳଘର ଗୋଟିଏ କୋଣରେ ଏକ ଗାତ ଦେଖିବାକୁ ମିଳିଛି। ଏବଂ, ଗୁହାଳ ଭିତରେ ଅଜଣା ଜନ୍ତୁର ପାଦଚିହ୍ନ ରହିଛି।ଖବର ପାଇ   ରାଜନଗର ରେଞ୍ଜ ଅଫିସର ଅମରେଶନାଥ ପ୍ରଧାନ, ଫରେଷ୍ଟର କପିଳେନ୍ଦ୍ର ପ୍ରଧାନ, ସନ୍ତୋଷ ପ୍ରଧାନ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିି ପରିସ୍ଥିତି ଉପରେ ନଜର ରଖିଛନ୍ତି। ମୃତ ମେଣ୍ଢାଗୁଡ଼ିକର ବ୍ୟବଚ୍ଛେଦ କରାଯାଇଛି। ରିପୋର୍ଟ ଆସିବା ପରେ ପଦକ୍ଷେପ ନିଆଯିବ ବୋଲି ରେଞ୍ଜ ଅଫିିସର ଶ୍ରୀ ପ୍ରଧାନ କହିଛନ୍ତି।

ସମ୍ବନ୍ଧିତ ଖବର