ଚାଷୀ କାର୍ଡ ଖେଳିଲେ ରାଜନାଥ

କ୍ଷମତାକୁ ଆସିଲେ ଦେଢଗୁଣା ଏମ୍ଏସ୍‌ପି, ଭାରତୀୟ ଯବାନଙ୍କ ବଳିଦାନ ବୃଥା ଯିବନି, ରାଜ୍ୟ ସରକାର, କଂଗ୍ରେସକୁ ସମାେଲାଚନା

ଭଦ୍ରକ : ପିଏମ୍ କିଷାନ୍ ନିଧି ଯୋଜନାରେ ଚାଷୀଙ୍କୁ ୬ ହଜାର ଟଙ୍କା ଦେବାକୁ ଖୋଦ୍ ପ୍ରଧାନମନ୍ତ୍ରୀ ଘୋଷଣା କରିବା ପରେ ବି ବିଜେପିର ଚାଷୀ ଭୟ ଯାଉନାହିଁ। ଆଜି ଭଦ୍ରକ ରାଣୀତାଲରେ େକନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ ବିେଜପି କର୍ମକର୍ତାଙ୍କୁ ସମ୍ବୋଧିତ କରିବା ଛଳରେ ପୁଣିଥରେ ଚାଷୀ କାର୍ଡ େଖଳିଛନ୍ତି। ଚାଷୀଙ୍କୁ ସ୍ବପ୍ନ େଦଖାଇଛନ୍ତି, ଯଦି ଆଗାମୀ ନିର୍ବାଚନରେ ମୋଦୀ ସରକାର କ୍ଷମତାକୁ ଆସିଲେ, ତେବେ ଉତ୍ପାଦନ ଖର୍ଚ୍ଚର େଦଢ ଗୁଣା ଏମ୍‌ଏସ୍‌ପି ଦାବିକୁ ପୂରଣ କରାଯିବ। ୨୦୧୪ ନିର୍ବାଚନ ପୂର୍ବରୁ େଖାଦ୍ େମାଦୀ ନିେଜ ଏଭଳି ପ୍ରତିଶ୍ରୁତି ଦେଇଥିଲେ। ଏହାକୁ ପୂରଣ ତ କରାଯାଇନାହିଁ, ଓଲଟା ଓଡ଼ିଶା ବିଧାନସଭାର ଗୃହ କମିଟିକୁ ବି େଭଟିବାକୁ ପ୍ରଧାନମନ୍ତ୍ରୀ ସମୟ େଦଇନାହାନ୍ତି। ହେଲେ ଆଜି ଭଦ୍ରକ ମାଟିରେ ରାଜନାଥ ଏହି ବକ୍ତବ୍ୟ ରଖି ପରୋକ୍ଷରେ ସ୍ବୀକାର କରିଛନ୍ତି େଯ େକନ୍ଦ୍ର ସରକାର ଚାଷୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିପାରନାହାନ୍ତି।

ଏହାସହିତ ଆଜି ଭଦ୍ରକରେ ରାଜନାଥ ସିଂହ ଉଭୟ ରାଜ୍ୟ ସରକାର ଓ କଂଗ୍ରେସକୁ କଟାକ୍ଷ କରିବା ସହିତ ବିେଜପି କର୍ମୀଙ୍କ ମନୋବଳ ବଢାଇବାକୁ ଉଦ୍ୟମ କରିଥିଲେ। ଓଡ଼ିଶାର ସ୍ବାଧୀନତା ସଂଗ୍ରାମର ସ୍ମରଣ କରିବା ସହିତ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ଓ ଦୃଢ ମତ ରଖି କହିଥିଲେ, ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନି। େଯଉଁ ଆତଙ୍କବାଦୀଙ୍କୁ ପାକିସ୍ତାନ ପାଳୁଛି, ପୋଷୁଛି; ସେହି ପାକିସ୍ତାନକୁ ଉଚିତ୍ ଶିକ୍ଷା ଦିଆଯିବ।

ଆଜି ଦିନ େଗାଟାଏ ବେଳେ ଭୁବନେଶ୍ବରୁ ଏକ ସ୍ବତନ୍ତ୍ର ବିମାନ ଯୋଗେ ଆସି ପ୍ରଥମେ ଭଦ୍ରକର ଇରମ ସହିଦ୍ ପୀଠରେ ପହଞ୍ଚିଥିଲେ ରାଜନାଥ। ସେଠାରୁ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୀଠକୁ ଯାଇ ସେଠାରେ ପୂଜା ଅର୍ଚ୍ଚନା କରି ରାଣୀତାଲଠାରେ ଅନୁଷ୍ଠିତ ଉତ୍ତର ଓଡ଼ିଶା ବୁଥ୍‌ସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗଦେଇଥିଲେ। ସଭା ପୂର୍ବରୁ ସହିଦମାନଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଦେଇ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରିଥିଲେ।

ଶ୍ରୀ ସିଂହ ବିଜେପିର କର୍ମୀମାନଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ, ୨୦୧୯ରେ ସାରା ଭାରତବର୍ଷରେ ମୋଦୀ ଲହରି ଢେଉ ମାରୁଛି। ମୋଦୀଙ୍କୁ ଦ୍ବିତୀୟବାର ପ୍ରଧାନମନ୍ତ୍ରୀ ଆସନରେ ବସାଇବା ପାଇଁ ଲୋକମାନେ ମନସ୍ଥ କରି ସାରିଛନ୍ତି। ବିଜେପି ସାରା ବିଶ୍ବରେ ଏକ ଶକ୍ତିଶାଳୀ ଦଳ, ଆଉ ମୋଦୀ ହେଉଛନ୍ତି ସାରା ବିଶ୍ବରେ ଜଣେ ଲୋକପ୍ରିୟ ନେତା। ଓଡ଼ିଶା ହେଉଛି ଜଗନ୍ନାଥର ଦେଶ। ସମ୍ରାଟ ଅଶୋକ ଏହି ମାଟିରେ ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ ହୋଇଥିଲେ। ଏ ମାଟିର ଗରିମା ଓ ଗୌରବ ନିଆରା। ଭଦ୍ରକ ହେଉଛି ମା’ ଭଦ୍ରକାଳୀଙ୍କର ଶକ୍ତିପୀଠ। ପୁଣି ଇରମ ହେଉଛି ସଂଗ୍ରାମର ମାଟି। ଏ ମାଟି ହେଉଛି ବଳିଦାନର ମାଟି। ଆଜି ଏହି ମାଟିରୁ ଆମେ ଶପଥ ନେଇ ବୁ୍‌ଥ୍ ସ୍ତରକୁ ଫେରିଯିବା। ଆଗାମୀ ନିର୍ବାଚନରେ ସାରା ଭାରତ ବର୍ଷରେ ବିଜେପିକୁ ପୁଣି ‌କ୍ଷମତାକୁ ଆଣିବା ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ସିଂହ ଉପସ୍ଥିତ ବିଜେପିର କର୍ମୀମାନଙ୍କୁ ଉଦ୍‌ବୋଧନ ଦେଇଥିଲେ।

ରାଜ୍ୟ ସରକାରଙ୍କୁ ସମାେଲାଚନା କରି ରାଜନାଥ କହିଥିଲେ, ଓଡ଼ିଶାର ବିକାଶ କାହିଁକି ହେଉନି, ବୁଝାପଡୁନାହିଁ। ଆସନ୍ତୁ, ବିଜେପି ଶାସିତ ରାଜ୍ୟର ବିକାଶ ଦେଖନ୍ତୁ । ବିଜେପି ଶାସିତ ରାଜ୍ୟର ଜିଡ଼ିପି ତୁଳନାରେ ଓଡ଼ିଶା ବହୁତ ପଛରେ ରହିଛି। ଆୟୁଷ୍ମାନ ଭାରତ ଯୋଜନା ବିଶ୍ୱର ବୃହତ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ହୋଇଥିଲେ ମଧ୍ୟ ଏହାକୁ ଓଡ଼ିଶାରେ ଲାଗୁ କରାଯାଉନି।ଏହାର କାରଣ କଣ େବାଲି ପ୍ରଶ୍ନ କରିଥିଲେ ସ୍ବରାଷ୍ଟ୍ରମନ୍ତ୍ରୀ।

ସେହିଭଳି କଂଗ୍ରେସକୁ ମଧ୍ୟ ସମାେଲାଚନା କରିଥିଲେ ରାଜନାଥ। କହିଥିଲେ, ଚୌକିଦାର ଚୋର ନୁହେଁ ପିଓର (ସ୍ୱଚ୍ଛ )। ଯେଉଁମାନେ ଦୁର୍ନୀତିକୁ ନିଜର ରକ୍ତରେ ସାମିଲ କରିଛନ୍ତି ସେମାନେ ମୋଦୀ ସରକାରକୁ ସମାଲୋଚନା କରୁଛନ୍ତି?

ପ୍ରାରମ୍ଭରେ ରାଜନାଥ େଲାକଙ୍କ ଭାବାବେଗକୁ ଲକ୍ଷ୍ୟ କରି ଆତଙ୍କବାଦ ବିେରାଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯିବ େବାଲି ସୂଚାଇଥିଲେ। କହିଥିଲେ, ଅମର ସହିଦ ଯବାନଙ୍କ ପରିବାର ସହ ସାରା ଭାରତବର୍ଷ ରହିଛି। ଆତଙ୍କବାଦୀଙ୍କ ଆକ୍ରମଣର ଉଚିତ ଜବାବ ଦିଆଯିବ।

ସଭାରେ ଅନ୍ୟତମ ଅତିଥି ଭାବେ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ େଯାଗଦେଇ କହିଥିଲେ, ୨୦୧୯ରେ ଓଡ଼ିଶା‌ରେ ପରିବର୍ତ୍ତନ ହେବ। ମୋଦୀ ଦ୍ବିତୀୟବାର ଭାରତବର୍ଷର ପ୍ରଧାନମନ୍ତ୍ରୀ ହେବେ ଏବଂ ଓଡ଼ିଶାରେ ନିଶ୍ଚିତ ଭାବେ ବିଜେପି କ୍ଷମତାକୁ ଆସିବ। ଏଥିପାଇଁ ମା’ ଭଦ୍ରକାଳୀଙ୍କ ଆଶୀର୍ବାଦ ରହିଛି।

ବିଜେପିର ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପୂର୍ବତନମନ୍ତ୍ରୀ ମନମୋହନ ସାମଲ, ପୂର୍ବତନ ବିଧାୟକ ବିଷ୍ଣୁ ଚରଣ ସେଠୀ, ବିଜେପିର ବରିଷ୍ଠ ନେତା ଗୋଲକ ମହାପାତ୍ର, ରଣଜିତ ଠାକୁର, ମହେଶ୍ବର ସାହୁ, ରାଜକିଶୋର ଦାସ, କାଳିନ୍ଦୀ ସାମଲ, ଡ. ଲେଖାଶ୍ରୀ ସାମନ୍ତସିଂହାର, ସାରଦା ଶତପଥୀ, ଜଗନ୍ନାଥ ଦାସ, ବିଜେପି ଜିଲ୍ଲା ସଭାପତି ବଦ୍ରୀନାରାୟଣ ଧଳ, ରାଧାକାନ୍ତ ମହାପାତ୍ର, ଶରତ ଦାସ, ପୂର୍ବତନ ବିଧାୟକ ପ୍ରତାପ ଷଡ଼ଙ୍ଗୀ, ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ଅନନ୍ତ ନାୟକ, ସୁକେସୀ ଓରାମ, ସୁଜାତା ମୁର୍ମୁ, ପଦ୍ମଲୋଚନ ପଣ୍ଡା, ଦୀନବନ୍ଧୁ ପତି, ଡା. ପ୍ରଦୀପ ନାୟକ, ମନସ୍ମିତା ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ପ୍ରଦାନ କରିଥିଲେ। ବିଜେପିର ରାଜ୍ୟ ଉପ-ସଭାପତି ବିଷ୍ଣୁ ସେଠୀ ସଭା କାର୍ଯ୍ୟ ସଂଚାଳନ କରିଥିଲେ।

ଉତ୍ତର ଓଡ଼ିଶାର ବୁଥ୍‌ସ୍ତରୀୟ କର୍ମୀ ସମ୍ମିଳନ‌ୀରେ ଭଦ୍ରକ, ବାଲେଶ୍ବର, କେନ୍ଦୁଝର, ମୟୂରଭଂଜ ଜିଲ୍ଲାର ହଜାର ହଜାର ବିଜେପି କର୍ମୀ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର