ଦୁର୍ଦାନ୍ତ ମାଓବାଦୀରୁ ହେଲେ ସୁରକ୍ଷା କର୍ମୀ : ଭବିଷ୍ୟତ ପିଢ଼ି ସୁରକ୍ଷାରେ ରାଜୁ ମାଡ଼କାମୀ

ମାଲକାନଗିରି : ନକ୍ସଲଙ୍କ ଗଡ଼ ଭାବେ ପରିଚିତ ମାଲକାନଗିରିର ବିଚ୍ଛିନ୍ନାଞ୍ଚଳ। ଆଉ ଏହି ଗଡ଼ରେ ଦିନେ ସେନାପତି ଥିଲା ରାଜୁ ମାଡ଼କାମୀ। କେବଳ ନାମ ଶୁଣିଲେ ଆତଙ୍କିତ ହୋଇଯାଉଥିଲେ ବିଚ୍ଛିନ୍ନାଞ୍ଚଳବାସୀ। ବହୁ ହିଂସାରେ ସିଧାସଳଖ ସଂପୃକ୍ତ ଥିବା ରାଜୁ ସଂପୂର୍ଣ୍ଣ ବିଚ୍ଛିନ୍ନାଞ୍ଚଳକୁ ନିଜ ଅକ୍ତିଆରେ ରଖିଥିଲା। କିନ୍ତୁ ସମୟ ସହ ବଦଳି ଯାଇଛି ଏହି ଦୁର୍ଦାନ୍ତ ମାଓବାଦୀର ପରିଚୟ। ଦିନେ ନକ୍ସଲଙ୍କ ଖାକି ପୋଷାକ ଏବଂ ହାତରେ ବନ୍ଧୁକ ଧରୁଥିବା ରାଜୁ ମୁଖ୍ୟସ୍ରୋତକୁ ଫେରି ପରିବର୍ତ୍ତନ କରିଛି ପୋଷାକ। ସବୁଜ ରଙ୍ଗର ପୋଷାକ ପିନ୍ଧିବା ସହ ଭବିଷ୍ୟତ ପିଢ଼ିର ସୁରକ୍ଷାରେ ନିଜକୁ ନିୟୋଜିତ କରିଛି।

ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ମାନ୍ୟମକୋଣ୍ଡା ନିକଟସ୍ଥ ପୋଟେରୁ ଗାଁରେ ରାଜୁର ଘର। ନକ୍ସଲଙ୍କ କଥାରେ ପଡ଼ି ପଥଭ୍ରଷ୍ଟ ହୋଇଥିଲା। ସରକାର ଏବଂ ପୁଲିସ ବିରୋଧରେ ବନ୍ଧୁକ ଉଠାଇଥିଲା। ଲୋକଙ୍କୁ ନ୍ୟାୟ ଏବଂ ସମ୍ମାନ ଦେବାକୁ ହେଲେ ନକ୍ସଲ ଚିନ୍ତାଧାରା ହିଁ ଏକମାତ୍ର ବାଟ ବୋଲି ଭାବି ନେଇଥିଲା। ତେଣୁ ୧୦ରୁ ଊର୍ଦ୍ଧ୍ବ ହିଂସାକାଣ୍ଡରେ ସଂପୃକ୍ତ ହୋଇଥିଲା। ସଂଗଠନର ଜଣେ ଆଗଧାଡ଼ିର ସଦସ୍ୟ ରୂପେ ମାନ୍ୟତା ପାଇଥିଲା। ଏଥିପାଇଁ ସେ ପୁଲିସର ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ରହିଥିବା ବେଳେ ୧ଲକ୍ଷ ଟଙ୍କାର ପୁରସ୍କାର ବି ଘୋଷଣା କରାଯାଇଥିଲା।

ବହୁ ଦିନ ଧରି କାମ କରିବା ପରେ ସଂଗଠନରେ ରହିଥିବା ଭେଦଭାବ ସହ ମୁହାଁମୁହିଁ ହୋଇଥିଲା। ନକ୍ସଲଙ୍କ ଦ୍ବାରା ସାଧାରଣ ଲୋକ କେମିତି ଦୁର୍ଦଶା ଭୋଗୁଛନ୍ତି ସ୍ବଚକ୍ଷୁରେ ଦେଖିଥିଲା। ଅନ୍ୟପଟେ ପୁଲିସ ଗୁଳିର ଭୟ ବି ସବୁବେଳେ ପିଛା କରୁଥିଲା। ଶେଷରେ କରିଥିବା ବଡ଼ ଭୁଲକୁ ସୁଧାରିବାକୁ ନିଷ୍ପତ୍ତି ନେଇଥିଲା। ବାଧ୍ୟ ହୋଇ ୨୦୧୫ ମସିହାରେ ମାଲକାନଗିରି ପୁଲିସ ନିକଟରେ ରାଜୁ ଆତ୍ମସମର୍ପଣ କରିଥିଲେ। ଏହାପରେ ବଦଳି ଯାଇଛି ରାଜୁଙ୍କ ଦୁନିଆ। ଆତ୍ମସମର୍ପଣ ପରେ ପ୍ରଶାସନ ପକ୍ଷରୁ ଏକ ଲକ୍ଷ ଟଂକା ପ୍ରଦାନ କରାଯିବା ସହ ବିଭିନ୍ନ ଆତ୍ମନିର୍ଭଶୀଳ ତାଲିମ ମଧ୍ୟ ଦିଆଯାଇଥିଲା। ସରକାର ଦେଇଥିବା ଟଙ୍କାରେ ଏମଭି-୨ରେ ଘର କରି ପତ୍ନୀ ଓ ପୁଅଙ୍କ ସହ ରହୁଛନ୍ତି। ଏହାବ୍ୟତୀତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରହିଥିବା ବିଜୁ ପାର୍କରେ ତାଙ୍କୁ ସୁରକ୍ଷା କର୍ମୀ ଭାବେ ନିୟୋଜିତ କରାଯାଇଛି। ଏଥିପାଇଁ ମାସିକ ୫ହଜାର ଟଙ୍କା ପାରିଶ୍ରମିକ ମିଳୁଛି। ସେହିପରି ପତ୍ନୀ ମଧ୍ୟ ଡାକ୍ତରଖାନାରେ ଝାଡ଼ୁଦାର ଭାବେ ନିଯୁକ୍ତି ପାଇଛନ୍ତି। ଛୋଟ ପିଲାଙ୍କ ସୁରକ୍ଷା ପାଇଁ ନିଜକୁ ନିୟୋଜିତ କରି ଯେଉଁ ଶାନ୍ତି ମିଳୁଛି , ତାହା କଥାରେ ପରିପ୍ରକାଶ କରିବା ସମ୍ଭବ ନୁହେଁ ବୋଲି ରାଜୁ କହିଛନ୍ତି। ଉଚ୍ଚଶିକ୍ଷିତ ହୋଇ ପୁଅ କିଭଳି ସରକାରୀ ଚାକିରି କରିବ, ତାହା ତାଙ୍କର ସ୍ବପ୍ନ ବୋଲି କହିଛନ୍ତି। ଏଥିସହିତ, ମୁଖ୍ୟସ୍ରୋତକୁ ଫେରି ବାକି ଜୀବନ ସୁଖରେ କାଟିବା ପାଇଁ ସେ ସଂଗଠନରେ ଥିବା ଅନ୍ୟ ସାଥୀମାନଙ୍କୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର