ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ହେବେ ଅମର ପଟ୍ଟନାୟକ ଓ ସସ୍ମିତ ପାତ୍ର, ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରାର୍ଥିତ୍ୱକୁ ଦଳ ସମର୍ଥନ ଦେବ

ଭୁବନେଶ୍ୱର: ରାଜ୍ୟର ଖାଲି ପଡ଼ିଥିବା ୩ଟି ରାଜ୍ୟସଭା ଆସନ ମଧ୍ୟରୁ ୨ଟି ଆସନ ପାଇଁ ଆଜି ଶାସକ ବିଜୁ ଜନତା ଦଳ ପକ୍ଷରୁ ଦଳର ସୂଚନା ପ୍ରଯୁକ୍ତି ବିଦ୍ୟା (ଆଇଟି) ସେଲ୍‌ର ମୁଖ୍ୟ ତଥା ପୂର୍ବତନ ଆକାଉଣ୍ଟାଣ୍ଟ୍‌ ଜେନେରାଲ୍‌ ଅମର ପଟ୍ଟନାୟକ ଏବଂ ମୁଖପାତ୍ର ସସ୍ମିତ ପାତ୍ରଙ୍କ ନାମ ଦଳର ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି। ଏହାଛଡ଼ା ପୂର୍ବତନ ଆଇଏଏସ୍‌ ଅଧିକାରୀ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରାର୍ଥିତ୍ୱକୁ ବିଜେଡି ପକ୍ଷରୁ ସମର୍ଥନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଶ୍ରୀ ବୈଷ୍ଣବ ବିଜେପିର ପ୍ରାର୍ଥୀ ହେବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପ୍ରସ୍ତାବ ଦେଇଥିଲେ। ତାହାକୁ ସେ ସମର୍ଥନ କରିଛନ୍ତି।

ଶ୍ରୀ ବୈଷ୍ଣବ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କର ବ୍ୟକ୍ତିଗତ ସଚିବ ଥିଲେ। ସେ ଦଳର ପ୍ରାର୍ଥୀ ହେବେ ବୋଲି ଭାରତୀୟ ଜନତା ପାର୍ଟି ପକ୍ଷରୁ ଘୋଷଣା କରାଯାଇଛି।

ରାଜ୍ୟସଭା ସଦସ୍ୟ ସୌମ୍ୟରଞ୍ଜନ ପଟ୍ଟନାୟକ, ପ୍ରତାପ ଦେବ ଏବଂ ଅଚ୍ୟୁତ ସାମନ୍ତ ଗତ ସାଧାରଣ ନିର୍ବାଚନରେ ନିର୍ବାଚିତ ହେବା ପରେ ରାଜ୍ୟସଭା ସଭ୍ୟ ପଦରୁ ଇସ୍ତଫା ଦେଇଥିଲେ ଏବଂ ଏହା ଫଳରେ ୩ଟି ଆସନ ଖାଲି ପଡ଼ିଥିଲା।

ନିକଟରେ ନିର୍ବାଚନ କମିସନଙ୍କ ପକ୍ଷରୁ ଏହି ୩ଟି ଆସନ ପାଇଁ ଉପନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଗତ ୧୮ ତାରିଖରୁ ନାମାଙ୍କନ ପତ୍ର ଦାଖଲ ସମୟ ସୂଚୀ ଆରମ୍ଭ ହୋଇ ଜୁନ୍‌ ୨୫ ତାରିଖରେ ଶେଷ ହେବ। ଆବଶ୍ୟକ ହେଲେ ଭୋଟ ଗ୍ରହଣ ଜୁଲାଇ ୫ ତାରିଖରେ ହେବ ବୋଲି ଧାର୍ଯ୍ୟ କରାଯାଇଛି।

ସମ୍ବନ୍ଧିତ ଖବର