ଚିନିକଳ ଚଳାଇବା ନେଇ ଭଣ୍ଡାଇଲେ : ନୟାଗଡ଼ରୁ ନବୀନ ନିବାସ ପଦଯାତ୍ରା ୩୦ରେ

କ୍ରିୟାନୁଷ୍ଠାନ କମିଟିର ଉଦ୍‌ବେଗ

ନୟାଗଡ଼ : ନୟାଗଡ଼ ଚିନିକଳ ଚଳାଇବା ପାଇଁ ସରକାର ତଥା ସ୍ଥାନୀୟ ନେତାଙ୍କ ପ୍ରତିଶ୍ରୁତି ପାଣିର ଗାର ବୋଲି ଚିନିକଳ କ୍ରିୟାନୁଷ୍ଠାନ କମିଟି ଅଭିଯୋଗ ଆଣିଛି। ବହୁ ବର୍ଷ ଧରି ବନ୍ଦ ହୋଇ ପଡ଼ିଥିବା ନୟାଗଡ଼ ଚିନିକଳକୁ ପୁଣି କାର୍ଯ୍ୟକ୍ଷମ କରିବାକୁ ବାରମ୍ବାର ସରକାରଙ୍କ ଦୃ‌ଷ୍ଟି ଆକର୍ଷଣ କରାଯିବା ସତ୍ତ୍ବେ ଏ ଦିଗରେ କୌଣସି ଅଗ୍ରଗତି ହେଉ ନାହିଁ। ତେଣୁ ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଆସନ୍ତା ୩୦ ତାରିଖରେ ନୟାଗଡ଼ରୁ ନବୀନ ନିବାସକୁ ଏକ ପଦଯାତ୍ରା କରାଯିବ ବୋଲି ଚିନିକଳ କ୍ରିୟାନୁଷ୍ଠାନ କମିଟି ନିଷ୍ପତ୍ତି ନେଇଛି। ଏହା ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦୁଃଖ ଜଣାଇବେ ବୋଲି ଚିନିକଳ କ୍ରିୟାନୁଷ୍ଠାନ କମିଟି କର୍ମକର୍ତ୍ତାମାନେ ପ୍ରକାଶ କରିଛନ୍ତି। ଏପରିକି ଯଦି ମୁଖ୍ୟମନ୍ତ୍ରୀ ନ ଶୁଣନ୍ତି ତେବେ ନୟାଗଡ଼ରେ ଆଇନ ଅମାନ୍ୟ ଆନ୍ଦୋଳନ କରାଯିବ ବୋଲି କ୍ରିୟାନୁଷ୍ଠାନ କମିଟି ଆଜି ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ ସାମ୍ବାଦିକ ସମ୍ମିଳନୀ‌ରେ ଘୋଷଣା କରିଛନ୍ତି।

ଚିନିକଳ ଚଳାଇବା ନିମନ୍ତେ ଗତ ଅଗଷ୍ଟ ମା‌ସରେ କ୍ରିୟାନୁଷ୍ଠାନ କମିଟି ନୟାଗଡ଼ ବନ୍ଦ ଡାକରାରୁ ଓହରିବା ସହିତ କୃଷିମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ପ୍ରସ୍ତାବ ମୁତାବକ ସରକାରଙ୍କ ସହ ଆଲୋଚନା ମାଧ୍ୟମରେ କାର୍ଯ୍ୟକ୍ରମ ଗ୍ରହଣ କରିବାକୁ ରାଜି ହୋଇଥିଲେ। ମନ୍ତ୍ରୀଙ୍କ ପ୍ରତିଶ୍ରୁତି ମୁତାବକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମବାୟ ବିଭାଗ ଅଧିକାରୀ, ଜିଲ୍ଲାପାଳ ଓ ମନ୍ତ୍ରୀଙ୍କ ଉପସ୍ଥିତିରେ ବୈଠକ ହୋଇଥିଲା। କିନ୍ତୁ ଜିଲ୍ଲାପାଳ ଓ ବିଧାୟକ ଆମକୁ ଭଣ୍ଡାଇ ଦେଇଥିବା କ୍ରିୟାନୁଷ୍ଠାନ କମିଟି କହିଛି। ବୈଠକରେ ଆଲୋଚନା ଅନୁଯାୟୀ କୌଣସି ଅଗ୍ରଗତି ହେଉ ନଥିବା ବେଳେ ଜିଲ୍ଲାପାଳ ଡ. ପୋମା ଟୁଡୁ ନେତାଙ୍କ ଭାଷା କହୁଥିବା କମିଟି ସଦସ୍ୟ ଅଭିଯୋଗ ଆଣିଛନ୍ତି। ମନ୍ତ୍ରୀ ମଧ୍ୟ ମନଧ୍ୟାନ ଦେଉନଥିବା କ୍ରିୟାନୁଷ୍ଠାନ କମିଟି ନେତା ବିଶ୍ବନାଥ ମହାପାତ୍ର କହିଛନ୍ତି। ଚିନିକଳ ନେଇ ଆଇନଗତ ବିବାଦ ରହିଛି। ତାହା ଭିନ୍ନ କଥା। କିନ୍ତୁ ଚିନିକଳ ପରିସରରୁ ବାରମ୍ବାର ଯନ୍ତ୍ରାଂଶ ଚୋରି ହେଉଥିବାରୁ ଏଠାରେ ସୁରକ୍ଷାକର୍ମୀ ମୁତୟନ କରିବାକୁ ‌‌ପୂର୍ବରୁ ବୈଠକରେ ନିଷ୍ପତ୍ତି ହୋଇଥିଲା। କିନ୍ତୁ ଏପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ତାହା କରିନାହିଁ। ଦିନକୁ ଦିନ ଯନ୍ତ୍ରାଂଶ ଯଦି ଏଭଳି ଚୋରି ହେବ ତାହା ହେଲେ ଶେଷକୁ ଖାଲି କୋଠା ପଡ଼ିଥିବ। ଯନ୍ତ୍ରାଂଶ ନଥିବ ବୋଲି କ୍ରିୟାନୁଷ୍ଠାନ କମିଟି କହିଛି। ଅନ୍ୟମାନଙ୍କ ମଧ୍ୟରେ କ୍ରିୟାନୁଷ୍ଠାନ କମିଟି କର୍ମକର୍ତ୍ତା ମନୋଜ ସାହୁ, ସନ୍ତୋଷ ପ୍ରଧାନ, ଯୋଗେନ୍ଦ୍ର ଖୁଣ୍ଟିଆ, ଗୋଲକ ମୁଦୁଲି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର