ରାମଚନ୍ଦ୍ର ହତ୍ୟା ଘଟଣା : ଉତ୍ତେଜନା ଜାରି; ଧକୋଠା ବଜାର ବନ୍ଦ

ପୋଖରୀରୁ ମିଳିଲା କଟାହାତ, ଘଟଣାସ୍ଥଳରେ ଏସ୍‌ପିଙ୍କ ତଦନ୍ତ, ମୃତ୍ୟୁ ପରେ ଶବକୁ କଟକ ରେଫର କରାଯାଉଥିଲା!

ଆନନ୍ଦପୁର : ଘଷିପୁରା ନିର୍ବାଚନମଣ୍ତଳୀ ଧକୋଠା ଅଞ୍ଚଳର ପୂର୍ବତନ ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ବେହେରାଙ୍କ ହତ୍ୟାକାଣ୍ତର ୪୮ ଘଣ୍ଟା ପରେ ମଧ୍ୟ ଉତ୍ତେଜନା ଲାଗିରହିଛି। ଏହି ଲୋମ ଟାଙ୍କୁରା ହତ୍ୟାକାଣ୍ତର ମୁଖ୍ୟ ଅଭିଯୁକ୍ତମାନେ ଏବେ ବି ଖୁଲମ୍‌ଖୁଲା ବୁଲୁଥିବା ବେଳେ ସେମାନଙ୍କୁ ଗିରଫ କରାଯାଇ ନାହିଁ। ଏହାକୁ ନେଇ ଆଜି ମଧ୍ୟ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଛି। ଧକୋଠାରେ ଦୋକାନବଜାର ବନ୍ଦ ରହିଛି। ସର୍ବତ୍ର ନିରବତା ଛାଇଯାଇଛି। ଅନ୍ୟପଟେ ଘସିପୁରା ଅଗ୍ନିଶମ ବାହିନୀ ଆଜି ଦିନ ୧୨ଟା ବେ‌ଳେ ବଡ଼ଏକତାଳି ଗ୍ରାମ ପୋଖରୀରୁ ରାମଚନ୍ଦ୍ରଙ୍କ କଟାହାତ ଉଦ୍ଧାର କରିଛି। ଆକ୍ରମଣ ପରେ ହାତକୁ କାଟିନେଇ ଗାଁ ଦାଣ୍ତରେ ବୁଲାଇବା ପରେ ଅଭିଯୁକ୍ତମାନେ ଏହାକୁ ପୋଖରୀରେ ଫିଙ୍ଗି ଦେଇଥିଲେ। କେନ୍ଦୁଝର ଏସ୍‌ପି ଜୟନାରାୟଣ ପଙ୍କଜ ଆଜି ଦିନ ସାଢେ ୧୨ଟାବେଳେ ଧକୋଠାରେ ପହ‌ଞ୍ଚି ପରିବାରବର୍ଗଙ୍କୁ ଭେଟିବା ସହ ହତ୍ୟା କରାଯାଇଥିବା ସ୍ଥାନ ଓ କଟାହାତ ଫିଙ୍ଗା ଯାଇଥିବା ପୋଖରୀକୁ ବୁଲି ଦେଖିଛନ୍ତି। ହତ୍ୟାକାଣ୍ତ ସମ୍ପର୍କରେ ସେ ପରିବାର ଲୋକ ଓ ତଦନ୍ତକାରୀ ଅଧିକାରୀଙ୍କ ସହିତ ଦୀର୍ଘ ସମୟ ଧରି ଆଲୋଚନା କରିଛନ୍ତି।

ଏହି ମାମଲାରେ ଗିରଫ ତିନି ଜଣଙ୍କ ଆଜି ସ୍ବାସ୍ଥ୍ୟ ପରୀକ୍ଷା କରି କୋର୍ଟ ଚାଲାଣ କରାଯାଇଛି। ଏଥିରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ଖୁବ୍‌ଶୀଘ୍ର ଧରାଯିବ ବୋଲି ଏସ୍‌ପି ପ୍ରତିଶ୍ରୁତି ଦେଇଛନ୍ତି। ପୂର୍ବରୁ ଆନନ୍ଦପୁର ଏସ୍‌ଡିପିଓ ବିଦ୍ୟୁତ୍ ଚନ୍ଦ୍ର ପଣ୍ତା ରାମଚନ୍ଦ୍ରଙ୍କ ଝିଅ ମୀନାରାଣୀ ବେହେରାଙ୍କ ସହିତ ଆଲୋଚନା କରି ରାମଚନ୍ଦ୍ର ଓ ଅପରାଧୀଙ୍କ ବିଷୟରେ ଅନେକ ତଥ୍ୟ ସଂଗ୍ରହ କରିଛନ୍ତି।

ମୃତ୍ୟୁପରେ ତାଙ୍କ ବାପାଙ୍କୁ କଟକ ରେଫର କରାଯାଉଥିବା ପରି ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ଝିଅ ମୀନାରାଣୀ। ଆକ୍ରମଣ ପରେ ବାପାଙ୍କୁ ନେଇ ମୀନା ଆନନ୍ଦପୁର ଉପଖଣ୍ତ ଡାକ୍ତରଖାନାକୁ ଯାଇଥିଲେ। ପ୍ରଚୁର ରକ୍ତସ୍ରାବ ଯୋଗୁ ମେଡ଼ିକାଲରେ ପହ‌ଞ୍ଚିଲା ବେଳକୁ ତାଙ୍କ ଅବସ୍ଥା ସଂକଟାପନ୍ନ ହୋଇଥିଲା। ଚିକିତ୍ସାର କିଛି ସମୟ ପରେ ଡ୍ୟୁଟିରେ ଥିବା ଶଲ୍ୟ ବିଶେଷଜ୍ଞ ଡା. ସପନ କୁମାର ଦାସ ରାମଚନ୍ଦ୍ରଙ୍କ ମୃତ୍ୟୁ ହୋଇଥିବା ମୀନାଙ୍କୁ କହିଥିଲେ। ଏହି ସମୟରେ ମନ୍ତ୍ରୀଙ୍କ ପୁଅ ଓ ତାଙ୍କ ସମର୍ଥକମାନେ ଚିକିତ୍ସା ହେଉଥିବା ପ୍ରକୋଷ୍ଠ ଭିତରକୁ ପଶିଯାଇ ତାଙ୍କୁ କଟକ ରେଫର କରିବାକୁ ଚାପ ପକାଇଥିଲେ। ଏପରିକି ଡାକ୍ତରଙ୍କୁ ଆଖିରେ ଇସାରା ଦେଇଥିଲେ ବୋଲି ମୀନରାଣୀ ପ୍ରକାଶ କରିଛନ୍ତି। ଏନେଇ ଡାକ୍ତରଖାନା ଅଧୀକ୍ଷକ ଡାକ୍ତର ଧନେଶ୍ବର ସେଠୀଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଅଭିଯୋଗ ଆସିଲେ ଏହାର ଅନୁଧ୍ୟାନ କରାଯିବ ବୋଲି କହିଛନ୍ତି।

ରାମଚନ୍ଦ୍ରଙ୍କ ହତ୍ୟାକାଣ୍ତର ମୁଖ୍ୟ କାରଣ ରାଜନୈତିକ ବିବାଦ ବୋଲି ତାଙ୍କ ଝିଅ ମୀନାରାଣୀ କହିଛନ୍ତି। କଂଗ୍ରେସ ଦଳରେ ରହିଥିବା ବେଳେ ତାଙ୍କୁ ବିଜେଡିରେ ମିଶାଇବାପାଇଁ ମନ୍ତ୍ରୀ ବଦ୍ରି ପାତ୍ର ଓ ତାଙ୍କ ପୁଅ ଦେବପ୍ରିୟ ପାତ୍ର ବାରମ୍ବାର ଫୋନ୍ କରୁଥିଲେ। ଗତଥର ନିର୍ବାଚନରେ ଲଢ଼ି ତୃତୀୟ ସ୍ଥାନରେ ଥିବା ରାମଚନ୍ଦ୍ରଙ୍କର ଏଥର ପ୍ରାର୍ଥୀ ହେବା ପାଇଁ ମଧ୍ୟ ଆଶା ରହିଥିଲା। ମଙ୍ଗଳବାର ସେ ବିଜେଡିରେ ମିଶିବାର କାର୍ଯ୍ୟକ୍ରମ ଥିଲା। ଏହାକୁ ସ୍ଥାନୀୟ ଗୋଷ୍ଠୀ ତୀବ୍ର ବିରୋଧ କରିଥିଲେ। ସେମାନେ ହିଁ ତାଙ୍କୁ ରାସ୍ତାରୁ ହଟାଇ ଦେବା ପାଇଁ ଷଡ଼ଯନ୍ତ୍ର କରିଥିଲେ। ଏଥିରେ ଜଣେ ମାଷ୍ଟରମାଇଣ୍ତ ରହିଥିବାରୁ ଏ ଦିଗରେ ପୁଲିସ୍‌ କେତେକଙ୍କ ଫୋନ କଲ ଯା‌ଞ୍ଚ ପାଇଁ ପରିବାର ପକ୍ଷରୁ ଦାବି ହୋଇଛି।

ଅନ୍ୟପକ୍ଷରେ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର କହିଛନ୍ତି, ମୃତ ରାମଚନ୍ଦ୍ର ବେହେରା ବିଜେଡିରେ ମିଶିଥାନ୍ତେ। ତାଙ୍କ ହତ୍ୟାରେ ମୋ ପରିବାରର କୌଣସି ସଂପୃକ୍ତି ନାହିଁ। ସବୁବେଳେ ମୋ ପରିବାରକୁ ଟାର୍ଗେଟ କରାଯାଉଛି। ପୁଲିସ ତଦନ୍ତ କରି ଅପରାଧୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ।

ରାମଚନ୍ଦ୍ରଙ୍କ ହତ୍ୟାକାଣ୍ତ ନେଇ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କୁ ସିଧାସଳଖ ଟାଗେର୍ଟ୍ କରିଛନ୍ତି ବରିଷ୍ଠ ବିଜେପି ନେତା ଦାମୋଦର ରାଉତ। କେନ୍ଦୁଝର ଜିଲ୍ଲାର ଘସିପୁରା ନିର୍ବାଚନମଣ୍ତଳୀରେ ଶାସକଦଳର ପ୍ରଭାବରେ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ଓ ତାଙ୍କ ପୁଅମାନେ ବାରମ୍ବାର ଅଘଟଣ ଘଟାଇ ଆସୁଥିବା ନେଇ ଦାମୋଦର ଅଭିଯୋଗ ଆଣିଛନ୍ତି।

ସମ୍ବନ୍ଧିତ ଖବର