ରମେଶ ରାଉତଙ୍କ ପରିବାର ଗାଁରୁ ବାସନ୍ଦ

ଆଠଗଡ: ଆଠଗଡରୁ ବିଧାୟକ ଭାବେ ନିର୍ବାଚିତ ହୋଇ ପରବର୍ତ୍ତୀ ସମୟରେ ନିର୍ବାଚନ ଅସିଦ୍ଧ ଯୋଗୁଁ ବିଧାୟକ ପଦ ହରାଇଥିବା ରମେଶ ରାଉତ (ଚକରା)ଙ୍କ ପରିବାରକୁ ଗାଁରୁ ବାସନ୍ଦ କରାଯାଇଛି। ଗାଁରେ ବୈଠକ ବସି ତାଙ୍କ ପରିବାରକୁ ବାସନ୍ଦ ସଂପର୍କରେ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ଅନ୍ୟପକ୍ଷ‌ରେ, ଏହି ନିଷ୍ପତ୍ତି ବିରୋଧରେ ରମେଶଙ୍କ ପରିବାର ପକ୍ଷରୁ ପ୍ରଶାସନ ଓ ଥାନାରେ ଅଭିଯୋଗ କରାଯାଇଛି।

ଆଠଗଡ଼ର ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଏକାନ୍ତ ଅନୁଗତ ଥିଲେ ରମେଶ। ମାତ୍ର, ନିର୍ବାଚନରେ ବିଜୟ ଲାଭ ପରେ ଏହି ସମ୍ପର୍କ ବଦଳି ଯାଇଥିଲା। ପରବର୍ତ୍ତୀ ସମୟରେ ରମେଶଙ୍କ ବିଧାୟକ ପଦ ରଦ୍ଦ ସଂକ୍ରାନ୍ତୀୟ ମାମଲା ଅଦାଲତରେ ପହଞ୍ଚିଥିଲା। ଅଦାଲତଙ୍କ ରାୟ ପରେ ରମେଶ ସଭ୍ୟ ପଦ ହରାଇଥିଲେ। ଏହା ପରଠାରୁ ରମେଶ ନିଜ ପତ୍ନୀ ଓ କନ୍ୟାଙ୍କ ସହ ଭୁବନେଶ୍ବରରେ ରହି ଆସୁଛନ୍ତି। କିନ୍ତୁ ତାଙ୍କ ପୈତୃକ ଗ୍ରାମ ରାଧାଗୋବିନ୍ଦପୁରରେ ତାଙ୍କ ବାପା, ମା ଭାଇ ଭାଉଜ ରହୁଛନ୍ତି। ରମେଶଙ୍କ ପରିବାର ଲୋକ ଏବେ ଅଭି‌େଯାଗ କରିଛନ୍ତି ଯେ ସେମାନଙ୍କୁ ବାସନ୍ଦ କରାଯାଇଛି। ରମେଶଙ୍କ ବଡଭାଇ ଲକ୍ଷ୍ମୀଧର ରାଉତ ଆଜି ଆଠଗଡ ଉପଜିଲ୍ଲାପାଳ ଏବଂ ଆଠଗଡ ଥାନାରେ ଏ ନେଇ ଲିଖିତ ଅଭିଯୋଗ କରିବା ସହିତ ଜମିବାଡ଼ି ଘଟଣାକୁ କେନ୍ଦ୍ରକରି ତାଙ୍କ ପରିବାରକୁ ସୋମବାରଠାରୁ ବାସନ୍ଦ କରାଯାଇଥିବା ଦର୍ଶାଇଛନ୍ତି। ଏହି ଘଟଣାରେ ଆଇନ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ଗ୍ରହଣ କରି ସୁରକ୍ଷା ପ୍ରଦାନ କରିବାକୁ ନିବେଦନ କରିଛନ୍ତି।

ଅଭିଯୋଗ ଅନୁଯାୟୀ, ଲକ୍ଷ୍ମୀଧରଙ୍କ ପିତା ଭାସ୍କର ରାଉତ ୧୯୯୮ ମସିହାରେ ହରିଶରଣପୁର ମୌଜାରେ ୧ ଏକର ୧୬ ଡିସିମିଲି ଜମି କିଣିଥିଲେ। କିନ୍ତୁ ସେହି ଖାତା ଓ ପ୍ଲଟ ନମ୍ବରରୁ ଭାସ୍କର ୮ ଡିସିମିଲି କିଣିଥିଲା ବେଳେ ୯୩ ଡିସିମିଲି ରାଧାଗୋବିନ୍ଦପୁର ଓ ହାଉସିଂବୋର୍ଡ ଅଞ୍ଚଳର ୩ ଜଣ ବ୍ୟକ୍ତି କିଣିଥିଲେ। କିନ୍ତୁ ଭାସ୍କରଙ୍କ ଜମିକୁ ଅନ୍ୟ ୩ ଜଣ ନେବାକୁ ଚାହିଁବା ଘଟଣାର ବିବାଦ ସୃଷ୍ଟି ହୋଇଥିଲା। ଏହି ବିବାଦ ଗୁରୁତର ହେବା ପରେ ଗ୍ରାମ ସଭା ଡକାଇ ଗ୍ରାମରୁ ତାଙ୍କ ପରିବାରକୁ ବାସନ୍ଦ କରାଯାଇଛି ବୋଲି ଲକ୍ଷ୍ମୀଧର ଅଭିଯୋଗ କରିଛନ୍ତି। ‘ ରାତି ୧୨ ଟା ସମୟରେ ଖୁଣ୍ଟରେ ଚଢି କେତେକ ବ୍ୟକ୍ତି ତାଙ୍କ ଲାଇନ୍ କାଟି ଦେଇଛନ୍ତି। ଗ୍ରାମରୁ ପାଣି ଆଣି ଚଳିବାକୁ ବାସନ୍ଦ କରାଯାଇଛି। ପିଲାମାନଙ୍କୁ ଘରୋଇ ଟ୍ୟୁସନ ଜୋରଜବରଦସ୍ତ ଭାବେ ବନ୍ଦ କରି ଦେଇଛନ୍ତି। ଘର ଆଗରେ କାଚ ଭାଙ୍ଗି ପକାଇଛନ୍ତି। ଜୀବନରେ ମାରି ଦେବାକୁ ଧମକ ଦେଉଛନ୍ତି,’ ବୋଲି ମଧ୍ୟ ଲକ୍ଷ୍ମୀଧର ଅଭିଯୋଗରେ ଦର୍ଶାଇଛନ୍ତି। ଲକ୍ଷ୍ମୀଧର ଏହି ଅଭିଯୋଗର ନକଲ ମୁଖ୍ୟମନ୍ତ୍ରୀ, କଟକ ଜିଲ୍ଲାପାଳ, କଟକ ଏସପି, ମାନବାଧିକାର କମିସନଙ୍କ ନିକଟକୁ ମଧ୍ୟ ପଠାଇଛନ୍ତି।

ସମ୍ବନ୍ଧିତ ଖବର