ଯୋଡ଼ିହେଲା ରାଞ୍ଚି-ବିଜୟଵାଡା କରିଡର : ଗ୍ରାମବାସୀଙ୍କ ପ୍ରୟାସରେ ନିର୍ମାଣ ହେଲା ରାସ୍ତା

୩୩୨ମିଟର ରାସ୍ତାକୁ ଭୁଲି ଯାଇଥିଲା ପ୍ରଶାସନ

ମାଲକାନଗିରି : ରାଜକୋଷରୁ ଯଦି ୪୦ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାନ୍ତା ୬ମାସ ତଳେ ରାଞ୍ଚି-ବିଜୟୱାଡା ରାସ୍ତା ମାଲକାନଗିରି ଜିଲ୍ଲାରେ ଶେଷ ହୋଇଯାଇଥାନ୍ତା। ଲୋକେ ସୁବିଧାରେ ଆନ୍ଧ୍ରକୁ ଯାଇପାରିଥାନ୍ତେ। କିନ୍ତୁ ପ୍ରଶାସନିକ ଅବହେଳା କାରଣରୁ ବିଳମ୍ବିତ ହୋଇ ଚାଲିଥିଲା। ଲୋକଙ୍କୁ ଆନ୍ଧ୍ର ଯିବା ପାଇଁ ଅଧିକ ଦେଢ଼ ଶହ କିଲୋମିଟର ବୁଲି ଯିବାକୁ ହେଉଥିଲା। ଏଥିପାଇଁ ସମୟର ଅପଚୟ ସାଙ୍ଗକୁ ଅଯଥା ଖର୍ଚ୍ଚାନ୍ତ ହେବାକୁ ପଡ଼ୁଥିଲା। ଦୀର୍ଘ ଦିନ ହେଲା ଏମିତି ଘାଣ୍ଟି ହେବାପରେ ଶେଷରେ ପ୍ରଶାସନ ଉପରେ ଆସ୍ଥା ତୁଟାଇଛନ୍ତି ଲୋକ। ନିଜେ ଟଙ୍କା ଖର୍ଚ୍ଚ କରି ରାସ୍ତା କାମ କରିଛନ୍ତି। କେବଳ ଆଖପାଖ ଲୋକ ଏହାଦ୍ବାରା ଉପକୃତ ହେବେ ନାହିଁ ୩ଟି ରାଜ୍ୟର ଲକ୍ଷ ଲକ୍ଷ ଲୋକଙ୍କ ଯାତାୟାତ ନିମନ୍ତେ ଆଗକୁ ପଥ ପରିଷ୍କାର ହୋଇଗଲା।

ସୂଚନା ଅନୁଯାୟୀ, ବହୁ ପ୍ରତୀକ୍ଷିତ ରାଞ୍ଚି-ବିଜୟୱାଡା କରିଡର ମାଲକନାଗିରି ଜିଲ୍ଲା ଦେଇ ନିର୍ମାଣ କରାଯାଇଛି। ଏହି ରାସ୍ତା ଓଡ଼ିଶାର ଶେଷ ସୀମାରେ ରହିଥିବା ମୋଟୁ ଗାଁ ପର୍ଯ୍ୟନ୍ତ ଲମ୍ବିଛି। ସୀମାନ୍ତର ଏହି ଗାଁକୁ ଲାଗି ଆନ୍ଧ୍ର ସୀମା ରହିଥିବା ବେଳେ ମଝିରେ ରହିଛି ସାବେରୀ ନଦୀ। ଦୁଇ ରାଜ୍ୟକୁ ଏହି ନଦୀ ବିଚ୍ଛିନ୍ନ କରୁଛି। ତେଣୁ ଆନ୍ଧ୍ର ସରକାରଙ୍କ ପକ୍ଷରୁ ନଦୀରେ ଗୋଟିଏ ପୋଲ ନିର୍ମାଣ କରାଯାଇଛି। ନିର୍ମାଣ କାମ ସରି ଇତି ମଧ୍ୟରେ ୭ମାସ ବିତିଗଲାଣି। ଏପରିକି ପୋଲ ଠାରୁ ନିଜ ରାଜ୍ୟକୁ ପକ୍କା ରାସ୍ତା ଆନ୍ଧ୍ର ସରକାର କରି ସାରିଛନ୍ତି। ଅନ୍ୟପଟେ ଓଡ଼ିଶା ସରକାରଙ୍କ ପୂର୍ତ ବିଭାଗ ପକ୍ଷରୁ ପୋଲ ଅପରପାର୍ଶ୍ବରେ ରାସ୍ତା ନିର୍ମାଣ ହୋଇଥିଲେ ମଧ୍ୟ ମାତ୍ର ୩୩୨ମିଟର ରାସ୍ତା କାମ ଏପର୍ଯ୍ୟନ୍ତ ହୋଇପାରି ନଥିଲା। ଯାହାଫଳରେ ଦୈନନ୍ଦିନ ଜୀବନ, ଜୀବିକା ପାଇଁ ଆନ୍ଧ୍ର ଉପରେ ନିର୍ଭର କରୁଥିବା ଛତିଶଗଡ଼ ଏବଂ ଓଡ଼ିଶାର ହଜାର ହଜାର ଲୋକ ସମସ୍ୟାର ସମ୍ମୁଖୀନ ହେଉଥିଲେ। ଲୋକେ ବାରମ୍ବାର ଦାବି କରିବା ସତ୍ତ୍ବେ ବିଭିନ୍ନ ପ୍ରତିଶ୍ରୁତି ଦେଇ ଜିଲ୍ଲା ପ୍ରଶାସନ ଓ ପୂର୍ତ ବିଭାଗ ସମୟ ଗଡ଼ାଇ ଚାଲିଥିଲା।

ସେହିପରି ମୋଟୁ ନଦୀରେ ଜିଲ୍ଲା ପ୍ରଶାସନ ତରଫରୁ ଫେରି ଲଞ୍ଚ୍‌ର ବ୍ୟବସ୍ଥା ମଧ୍ୟ ପୂର୍ବରୁ କରାଯାଇଥିଲା। ଯାହାକି କିଛି ମାସ ପରେ ଖରାପ ହେବାରୁ ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି। ପରବର୍ତୀ ସମୟରେ ଫେରି ଲଞ୍ଚକୁ ମରାମତି କରିବାକୁ ବି କେହି ଗୁରୁତ୍ବ ଦେଲେନାହିଁ। ତେଣୁ ଲୋକଙ୍କ ସମସ୍ୟା ଆହୁରି ବଢ଼ି ଯାଇଥିଲା। ଏମିତି ସ୍ଥିତିରେ ପ୍ରଶାସନ ଉପରେ ଆଉ ନିର୍ଭର ନହୋଇ ମୋଟୁ ଗ୍ରାମବାସୀ ସମସ୍ୟାର ସମାଧାନ କରିବାକୁ ଆଗେଇ ଆସିଛନ୍ତି। ମାଟି ପକାଇ ରାସ୍ତା କାମ ଆରମ୍ଭ କରିଛନ୍ତି। ବିନା ପାରିଶ୍ରମିକରେ କାମ କରୁଥିବା ବେଳେ ସ୍ଥାନୀୟ ଅଞ୍ଚଳର ଗାଡ଼ି ମାଲିକ ବି ବିନା ଭଡ଼ାରେ ଗାଡ଼ି ନିୟୋଜିତ କରିଛନ୍ତି। କିଛି ଦିନ ମଧ୍ୟରେ ମାଟି ଫିଲିଂ ହେବାପରେ ଚଳାଚଳ ଯୋଗ୍ୟ ରାସ୍ତା ହୋଇଯିବ ବୋଲି ଜଣାପଡ଼ିଛି। ଆଗକୁ ଆଉ ଲୋକଙ୍କୁ ଦେଶୀ ଡଙ୍ଗାରେ ଜୀବନକୁ ବାଜି ‌ଲଗାଇ ଯିବାକୁ ପଡ଼ିବ ନାହିଁ ବୋଲି ସ୍ଥାନୀୟ ଲୋକ କହିଛନ୍ତି।

ସମ୍ବନ୍ଧିତ ଖବର