ଚାଷୀ ପଞ୍ଜୀକରଣ ନେଇ ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ

ରାସନକାର୍ଡ଼ ହିତାଧିକାରୀଙ୍କ ଆଧାର ଲିଙ୍କ୍ ନେଇ ଯୋଗାଣ ମନ୍ତ୍ରୀଙ୍କ ସମୀକ୍ଷା

ସେପ୍ଟେମ୍ବର ପହିଲାରୁ ବିଏମସିରେ ଥିବା ସବୁ ସାଧାରଣ ବଣ୍ଟନ କେନ୍ଦ୍ର ଅନଲାଇନ୍
ଭୁବନେଶ୍ବର: ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ହିତାଧିକାରୀମାନଙ୍କ ଆଧାର ସଂଯୋଗ ପ୍ରକ୍ରିୟାକୁ ଚଳିତମାସ ୩୧ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। କେହି ଜଣେ ଯୋଗ୍ୟ ହିତାଧିକାରୀ ଯେପରି ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ଚିତ ନ ହୁଅନ୍ତି ସେଥିପ୍ରତି ସତର୍କ ଦୃଷ୍ଟି ଦିଆଯିବ। ଏଣକି ଚାଷୀ ପଞ୍ଜୀକରଣ ନେଇ ପ୍ରତ୍ୟେକ ଦିନ ସମୀକ୍ଷା କରାଯିବ। ୨୦୧୯-୨୦ ଖରିଫ ବିପଣନ ବର୍ଷ ପାଇଁ ଧାନ ସଂଗ୍ରହ ନିମନ୍ତେ ଚାଷୀ ପଞ୍ଜୀକରଣ କାର୍ଯ୍ୟକୁ ୩୧ ସୁଦ୍ଧା ସାରିବାକୁ ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମୟ ପରେ ଯଦି ଚାଷୀ ପଞ୍ଜୀକରଣ ହୋଇନଥିବା ନେଇ ଅଭିଯୋଗ ମିଳେ ତା ହେଲେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ସ୍ବାଇଁ କଡ଼ା ଚେତାବନୀ ଦେଇଛନ୍ତି।

ମଙ୍ଗଳବାର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ସମବାୟ ମନ୍ତ୍ରୀ ଶ୍ରୀ ସ୍ବାଇଁ ରାସନ କାର୍ଡ଼ ହିତାଧିକାରୀଙ୍କ ଆଧାର ଲିଙ୍କ୍ ସଂଯୋଗ ନେଇ ସମୀକ୍ଷା କରିଥିଲେ। ଭିଡିଓ କନଫରେସିଂ ଜରିଆରେ ବିଭିନ୍ନ ଜିଲ୍ଲାର ଯୋଗାଣ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ମୁଖ୍ୟମନ୍ତ୍ରୀଙ୍କ ୫’ଟି’ ମନ୍ତ୍ରକୁ ନିଷ୍ଠାର ସହ କାର୍ଯ୍ୟକାରୀ କରିବାକୁ ସେ ପରାମର୍ଶ ଦେଇଥିଲେ। ଏଣିକି ରାସନକାର୍ଡ଼ ଖାଉଟି କେନ୍ଦ୍ରଗୁଡ଼ିକୁ ଅନଲାଇନରେ ସଂଯୋଗ କରାଯିବ। ଏହି ଯୋଜନା କାର୍ଯ୍ୟକାରୀ ହେଲେ ରାଜ୍ୟର ଯେ କୌଣସି ଅଞ୍ଚଳର ହିତାଧିକାରୀ ସାଧାରଣ ଖାଉଟି ବଣ୍ଟନ କେନ୍ଦ୍ରରୁ ପିଡିଏସ ସାମଗ୍ରୀ ନେଇପାରିବେ। ଆଉ ନିର୍ଦ୍ଦିଷ୍ଟ ଡିଲର ପାଖକୁ ହିତାଧିକାରୀଙ୍କୁ ଯିବାକୁ ପଡ଼ିବନି। ଏଥିପାଇଁ ଜଣେ ଖାଉଟିର ବାୟୋମେଟ୍ରିକ୍ ପଦ୍ଧତିରେ ଅଙ୍ଗୁଠି ଛାପକୁ ବ୍ୟବହାର କରାଯିବ। ଆସନ୍ତା ସେପ୍ଟେମ୍ବର ପହିଲାରୁ ଭୁବନେଶ୍ବରରେ ଥିବା ସବୁ ୧୨୭ଟି ଖାଉଟି ବଣ୍ଟନ କେନ୍ଦ୍ରକୁ ପାଇଲଟ ସ୍ତରରେ ସଂଯୋଗ କରାଯାଇ ଏହି ବ୍ୟବସ୍ଥା ଆରମ୍ଭ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ସ୍ବାଇଁ କହିଥିଲେ।

୨୦୧୯-୨୦ ଖରିଫ ବିପଣନ ଋତୁରେ ଧାନ ସଂଗ୍ରହ ନିମନ୍ତେ ପ୍ରାଥମିକ କୃଷି ଋଣ ସମବାୟ ସମିତିରେ ଚାଷୀ ପଞ୍ଜିକରଣ କାର୍ଯ୍ୟ ଚିଳତମାସ ୬ ତାରିଖରୁ ଆରମ୍ଭ ହୋଇଛି। ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଚାଷୀମାନଙ୍କ ପଞ୍ଜିକରଣ ପ୍ରକ୍ରିୟା ଚାଲୁରହିବ। ଧାର୍ଯ୍ୟ ତାରିଖ ପରେ ଯଦି କୌଣସି ଚାଷୀ ପଞ୍ଜିକୃତ ହୋଇନଥିବା ନେଇ ଅଭିଯୋଗ ଆସେ ତା ହେଲେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ସ୍ବାଇଁ ସ୍ପଷ୍ଟ କରିଦେଇଥିଲେ। ଭିଡିଓ କନଫରେସିଂ ଜରିଆରେ ସମସ୍ତ ଉପନିବନ୍ଧକ ଓ ସହକାରୀ ନିବନ୍ଧକ ଏବଂ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ସହ ମନ୍ତ୍ରୀ ଶ୍ରୀ ସ୍ବାଇଁ ଆଲୋଚନା କରିଥିଲେ। ଏହି ସମୀକ୍ଷା କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ଶାସନ ସଚିବ ଭି. ଭି. ଯାଦବଙ୍କ ସମେତ ବିଭାଗୀୟ ପଦାଧିକାରୀ ମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର