ର‍୍ୟାଗିଂରେ ଛାତ୍ର ମୃତ୍ୟୁ ଘଟଣା: ବିଶାଖାପଟଣା ଯିବ ସମ୍ବଲପୁର ପୁଲିସ

ସମ୍ବଲପୁର : ର‍୍ୟାଗିଂ ଯୋଗୁଁ ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଗଡ଼ପୋଷ ଅଧିବାସୀ ତଥା ଭାଇଜାଗ୍‌ସ୍ଥିତ ଶ୍ରୀ ଚୈତନ୍ୟ ଇନ୍‌ଷ୍ଟିଚ୍ୟୁଟ୍‌ର ଯୁକ୍ତ ୨ ବିଜ୍ଞାନ ଛାତ୍ର ଶ୍ରେୟଶ କେଶରଓ୍ଵାନୀ ଓରଫ୍‌ ଓମ୍‌ (୧୬)ଙ୍କ ମୃତ୍ୟୁ ନେଇ ଆଜି ଗଡ଼ପୋଷ ବନ୍ଦ ପାଳନ କରାଯାଇଥିବା ବେଳେ ଜନସାଧାରଣଙ୍କ ଚାପରେ ଶେଷରେ ଗୋବିନ୍ଦପୁର ଥାନାରେ ଧାରା ୩୦୨/୩୪ରେ ମାମଲା ରୁଜୁ ହୋଇଛି। ମାତ୍ର ଘଟଣାଟି ବିଶାଖାପାଟଣାର ପିଏମପାଲେନ ଥାନା ଅଞ୍ଚଳରେ ଘଟିଥିବାରୁ ଏହି ଘଟଣାର ଅଧିକ ତଦନ୍ତ ପାଇଁ ସମ୍ବଲପୁର ପୁଲିସର ଦୁଇ ଜଣିଆ ଟିମ୍‌ ସୋମବାର ବିଶାଖାପାଟଣା ଯିବ। ଅନ୍ୟଦିଗରେ ବିଶାଖାପାଟଣା ପୁଲିସ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ କରାଯାଇଥିବା ଓ ଅଭିଯୁକ୍ତ ଛାତ୍ରମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଥିବା ପିଏମପାଲେନ ଥାନା ଅଧିକାରୀ ସୂଚନା ଦେଇଥିବା କହିଛନ୍ତି କୁଚିଣ୍ଡା ଏସ୍‌ଡିପିଓ ଅମିତାଭ ପଣ୍ଡା।

ରବିବାର ଗଡ଼ପୋଷ ବନ୍ଦ ଯୋଗୁ ଜୀବନ ଯାତ୍ରା ବ୍ୟାହତ ହୋଇଥିଲା। ମୃତ ଛାତ୍ରଙ୍କ ପରିବାରବର୍ଗଙ୍କୁ ନ୍ୟାୟ ଓ କ୍ଷତିପୂରଣ ଦାବିରେ ଏହି ବନ୍ଦ ଡାକରା ଦିଆ ଯାଇଥିଲା। ସ୍ଥାନୀୟ ଥାନାରେ ଏତଲା ଗ୍ରହଣ ପାଇଁ ପୁଲିସ ମନା କରିବାରୁ ଉତ୍ତ୍ୟକ୍ତ ଗ୍ରାମବାସୀ ରେଳରୋକ କରିଥିଲେ। ଏଥିଯୋଗୁଁ ସାଢ଼େ ୧୨ଟାରେ ଦକ୍ଷିଣ-ପୂର୍ବ ରେଳପଥରେ ରେଳ ଚଳାଚଳ ବାଧାପ୍ରାପ୍ତ ରହିଥିଲା। ପରେ ଏସ୍‌ଡିପିଓ ଅମିତାଭ ପଣ୍ଡା ଏତଲା ଗ୍ରହଣ କରିବା ପରେ ସ୍ଥିତି ଶାନ୍ତ ହୋଇଥିଲା। ପରେ ଶୋକାକୁଳ ପରିବେଶରେ ଶ୍ରେୟସଙ୍କ ଶେଷକୃତ୍ୟ ସଂପନ୍ନ ହୋଇଥିଲା। ଶ୍ରେୟଶ ବିଶାଖାପାଟଣା ଶ୍ରୀଚୈତନ୍ୟ ଇନଷ୍ଟିଚ୍ୟୁଟ୍‌ ପ୍ରଶାନ୍ତି ନିଳୟମ ସିବିଏସଇ ଛାତ୍ରାବାସରେ ରହୁଥିଲେ। ଗତ ୨୬/୨୭ ତାରିଖରେ କିଛି ସହପାଠୀ ତାଙ୍କୁ ମାଡ଼ ମାରିଥିଲେ। ଅନୁଷ୍ଠାନ ଅଭିଯୋଗକୁ ଅଣଦେଖା କରିଥିବା ବେଳେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କ ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର