ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଗଣଦୁଷ୍କର୍ମ

ଏତଲା ରଖିଲାନି ରାଉରକେଲା, ଝାଡ଼ଖଣ୍ଡ ପୁଲିସ୍‌, ରେଳବାଇ ଥାନାରେ ମାମଲା ରୁଜୁ

ରାଉରକେଲା: ରାଉରକେଲାର ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଜଣେ ଛାତ୍ରୀ ଝାଡ଼ଖଣ୍ଡରେ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ରାଉରକେଲା ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ପଢ଼ୁଥିବା ପୀଡିତାଙ୍କ ଘର ଝାରସୁଗୁଡାରେ। ତାଙ୍କର ଲିଖିତ ଏତଲା ଅନୁଯାୟୀ, ବଡଦିନ ପାଇଁ କଲେଜ ଛୁଟି ଥିବାରୁ ସେ ଗତ ଡି‌ସେମ୍ବର ୩୦ ଅପରାହ୍ନରେ ଛୁଟି କଟାଇବାକୁ ଝାରସୁଗୁଡା ସ୍ଥିତ ନିଜ ଘରକୁ ବାହାରିଥିଲେ। ସେକ୍ଟର-୨ ବସ୍‌ଷ୍ଟାଣ୍ଡରେ ତାଙ୍କ ସହ ଜଣେ ଯୁବକର ସାକ୍ଷାତ ହୋଇଥିଲା। ସମ୍ପୃକ୍ତ ଯୁବକ ତାଙ୍କ ଭାଇଙ୍କ ସାଙ୍ଗ ବୋଲି ପରିଚୟ ଦେଇ ସେ ମଧ୍ୟ ଝାରସୁଗୁଡା ଯାଉଛି ବୋଲି କହିଥିଲା। ପରେ ଦୁହେଁ ସେଠାରୁ ଏକ ଅଟୋରେ ରାଉର‌କେଲା ବସ୍‌ଷ୍ଟାଣ୍ଡରେ ପହଞ୍ଚିଥିଲେ। ମାତ୍ର ସେଠାରେ ଯୁବକ ଜଣକ ବସ୍‌ରେ ନ ଯାଇ ଟ୍ରେନରେ ଯିବାକୁ କହିଥିଲା। ସେ ରାଜି ହେବାରୁ ଦୁହେଁ ରାଉରକେଲା ଷ୍ଟେସନରେ ପହଞ୍ଚିଥିଲେ। ଟିକେଟ କାଟିବା ପରେ ଯୁବକ ଜଣକ ତାଙ୍କୁ ଝାରସୁଗୁଡା ରୁଟ୍‌ରେ ଯିବା ପରିବର୍ତ୍ତେ ଝାଡ଼ଖଣ୍ଡ ଚକ୍ରଧରପୁର ଯାଉଥିବା ଟ୍ରେନ୍‌ ନେଇ ଯାଇଥିଲା। ଟ୍ରେନ କିଛି ବାଟ ଗଲା ପରେ ତାଙ୍କର ସନ୍ଦେହ ହେବାରୁ ‘ଏ ଟ୍ରେନ୍‌ କ’ଣ ଝାରସୁଗୁଡା ଯାଉଛି?’ ବୋଲି ଯୁବକକୁ ପଚାରିଥିଲେ। ‌ଝାରସୁଗୁଡା ରୁଟ୍‌ରେ ଯାଞ୍ଚ ଚାଲିଥିବାରୁ ଟ୍ରେନଗୁଡ଼ିକକୁ ଚକ୍ରଧରପୁର ଦେଇ ଯାତାୟ‌ାତ କରୁଛି ବୋଲି ଯୁବକ ଜଣକ କହିଥିଲା। ଶେଷରେ ଦୁହେଁ ଚକ୍ରଧରପୁର ପୂର୍ବ ‌ଷ୍ଟେସନ ଲୋଟପାହାଡ ଓହ୍ଲାଇଥିଲେ। ସେଠାରୁ ଯୁବକ ଜଣକ ନିଜ ଘରକୁ ବୁଲାଇ ନେବା ବାହାନରେ ଦୁଷ୍କର୍ମ ଉଦ୍ୟମ କରିଥିଲା। କିନ୍ତୁ ସେ ଚିତ୍କାର କରିବାରୁ ଯୁବକ ଜଣକ ତାଙ୍କୁ ଛାଡ଼ି ଦେଇଥିଲା। ସେ ସେଠାରୁ ଖସି ଷ୍ଟେସନକୁ ଆସୁଥିଲେ। ବାଟରେ ଯୁବକ ଓ ତା’ର ଅନ୍ୟ ୪/୫ଜଣ ସାଙ୍ଗ ପିଛାକରି ତାଙ୍କୁ ଜୋରଜବରଦସ୍ତ ନିକଟସ୍ଥ ଜଙ୍ଗଲକୁ ଟେକି ନେଇ ଯାଇଥିଲେ। ସେଠାରେ ଜଣଙ୍କ ପରେ ଜଣେ ଗଣଦୁଷ୍ମର୍ମ କରିବା ପରେ ଛାଡି ଚାଲିଯାଇଥିଲେ। ବିଳମ୍ବିତ ରାତିରେ ସେ ଚାଲି ଚାଲି ଲୋଟପାହାଡ ଷ୍ଟେସନରେ ପହଞ୍ଚି ପ୍ଲାଟଫର୍ମରେ ରାତି କଟାଇଥିଲେ ବୋଲି ଏହି ପୀଡ଼ିତା ଛାତ୍ରୀ ଅଭିଯୋଗରେ ଦର୍ଶାଇଛନ୍ତି।

ସେପଟେ ୩୦ ତାରିଖରେ ଝିଅ ଘରେ ପହଞ୍ଚି ନ ଥିବାରୁ ସେଦିନ ସଂଧ୍ୟାରେ ତାଙ୍କ ଭାଇ ସେକ୍ଟର-୩ ଥାନାରେ ନିଖୋଜ ମାମଲା ଦେଇଥିଲେ। ୩୧ ତାରିଖରେ‌ ପୀଡିତା ଘରେ ପହଞ୍ଚି ସମସ୍ତ କଥା କହିଥିଲେ। ୪ ଦିନ ପରେ ଗତ ୫ରେ ପୀଡିତା ତାଙ୍କ ଭାଇଙ୍କ ସହ ଝାଡ଼ଖଣ୍ଡ ଲୋଟପାହାଡ ଥାନାକୁ ଲିଖିତ ଅଭିଯୋଗ କରିବାକୁ ଯାଇଥିଲେ। ହେଲେ ସମ୍ପୃକ୍ତ ଥାନା ତାଙ୍କର ଲିଖିତ ଏତଲା ନ ରଖି ଫେରାଇ ଦେଇଥିଲେ। ସେଠାରୁ ନିରାଶ ହୋଇ ଫେରିବା ପରେ ଗତକାଲି ସଂଧ୍ୟାରେ ପୀଡିତା ତାଙ୍କ ଭାଇଙ୍କୁ ନେଇ ସେକ୍ଟର-୩ ଥାନାରେ ପହଞ୍ଚିଥିଲେ। ସେଠାରେ ମଧ୍ୟ ତାଙ୍କର ଅଭିଯୋଗ ଗ୍ରହଣ କରାଯାଇନଥିଲା। ଶେଷରେ ପୀଡିତା ରାଉରକେଲା ରେଳବାଇ ଥାନାରେ ପହଞ୍ଚି ଲିଖିତ ଏତଲା ଦେଇଥିଲେ। ଏ ସମ୍ବଦନଶୀଳ ଘଟଣାକୁ ରାଉରକେଲା ରେଳବାଇ ଏସ୍‌ପି ଅଜୟ ପ୍ରତାପ ସିଂ ଗୁରୁତର ସହ ନେଇ ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ରେଳବାଇ ଥାନା ଅଧିକାରୀ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଥାନା ଅଧିକାରୀ ପୀଡିତାଙ୍କ ବୟାନ ଓ ପାରିପାର୍ଶ୍ବିକ ସ୍ଥିତିକୁ ବିଚାରକୁ ନେଇ ତଦନ୍ତ ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର