ରାଜ୍ୟରେ ଦୁଷ୍କର୍ମ ଓ ହତ୍ୟାରେ ଦଣ୍ଡବିଧାନ ହାର କମିଲା : କାହା ଅବହେଳାରୁ ନିର୍ଦୋଷରେ ଖଲାସ ହେଉଛନ୍ତି ଅଭିଯୁକ୍ତ?

୨୩ଦଫା ପଦକ୍ଷେପ ନେଇଛନ୍ତି ସରକାର, ପ୍ରଭାବ ପଡୁନି

ଭୁବନେଶ୍ବର : ୨୦୧୮ ମସିହାରେ ଫଇସଲା ହୋଇଥିବା ୧୦୭୩ଟି ମାମଲାରୁ ୮୭୬ଟି ମାମଲାରେ ଅଭିଯୁକ୍ତଙ୍କୁ କୋର୍ଟ ନିର୍ଦୋଷରେ ଖଲାସ କରିଛନ୍ତି। ଅର୍ଥାତ୍ ଦଣ୍ଡ ବିଧାନ ହାର ହେଉଛି ୧୮.୩୫%। ମହିଳା ସୁରକ୍ଷା କ୍ଷେତ୍ରରେ ସରକାର ସର୍ବାଧିକ ଚିନ୍ତା ବ୍ୟକ୍ତ କରୁଥିବା ବେଳେ ରାଜ୍ୟରେ ଦୁଷ୍କର୍ମ ମାମଲାରେ ଇଏ ହେଉଛି ଦଣ୍ଡବିଧାନର ଚିତ୍ର। ବର୍ଷକ ମଧ୍ୟରେ ବିଧାନସଭା ଭିତରେ ଓ ବାହାରେ ଏ ପ୍ରସଙ୍ଗରେ ଅନେକ ବାର ତମ୍ବିତୋଫାନ୍ ହୋଇଛି। ହେଲେ ବର୍ଷ ଶେଷକୁ ପରିଣାମ ଆହୁରି ସୁଧୁରିବା ବଦଳରେ ବିଗିଡିବା ଦେଖାଗଲାଣି। ନକରାତ୍ମକ, ସାଂଘାତିକ। ୨୦୦୯ରେ ଯେଉଁ ୯୪୪ଟି ମାମଲାର ଶୁଣାଣି ହୋଇଥିଲା, ସେ ମଧ୍ୟରୁ ୭୭୫ଟି ମାମଲାରେ ଅଭିଯୁକ୍ତକୁ କୋର୍ଟ ସାକ୍ଷୀ ବା ପ୍ରମାଣ ଅଭାବରୁ ନିର୍ଦୋଷରେ ଖଲାସ କରିଛନ୍ତି। ଅର୍ଥାତ୍ ଦଣ୍ଡବିଧାନ ହାର ହେଲା ୧୭.୯%, ଯାହା ପୂର୍ବ ବର୍ଷ ତୁଳନାରେ କମ୍।

କେବଳ ଦୁଷ୍କର୍ମ ମାମଲାରେ ଏମିତି େହାଇଛି ତା ନୁହେଁ, ହତ୍ୟା ମାମଲାରେ ଦଣ୍ଡବିଧାନ ସ୍ଥିତି ତା ଠାରୁ ଉଦ୍‌ବେଗଜନକ, ବିଚଳିତ କଲାଭଳି। ଦିନକୁ ଦିନ ପୁଲିସ ବିଭାଗକୁ ସରକାର ସଶକ୍ତ କରୁଥିବା ବେଳେ ଦଣ୍ଡବିଧାନ ହାର କିନ୍ତୁ ବଢିବା ବଦଳରେ କମିବା ଆରମ୍ଭ କରିଛି। ୨୦୧୭ ମସିହାରେ ହତ୍ୟା କ୍ଷେତ୍ରରେ ଦଣ୍ଡବିଧାନ ହାର ଥିଲା ୩୬.୩୦%। ୨୦୧୮ରେ ଏହା ୩୧.୩୯%କୁ ଖସିଲା, ୨୦୧୯ରେ ପୁଣି ଖସି ୨୯.୯୩% ଛୁଇଁଛି। ଅର୍ଥାତ୍ ୨୦୧୭ ତୁଳନାରେ (୮୦୭), ୨୦୧୮ (୬୩୭) ଓ ୨୦୧୯ରେ ହତ୍ୟା ମାମଲାେର ରାୟ ପ୍ରକାଶ (୪୬୧) ସଂଖ୍ୟା କେବଳ କମିଛି ତା ନୁହେଁ, ନିର୍ଦୋଷଙ୍କ ସଂଖ୍ୟା ଅନୁରୂପ ଭାବେ ବଢୁଛି। ୨୦୧୯ରେ ଯେଉଁ ୪୬୧ଟି ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି, ସେଥିରେ ୧୩୮ ଜଣ ଦଣ୍ଡିତ ହୋଇଛନ୍ତି ଓ ଅନ୍ୟ ୩୨୩ଟି ମାମଲାରେ କୋର୍ଟ ଅଭିଯୁକ୍ତଙ୍କୁ ନିର୍ଦୋଷରେ ଖଲାସ କରିବାକୁ ବାଧ୍ୟ ହୋଇଛନ୍ତି।

ସରକାର ବିଧାନସଭାରେ ଯେଉଁ ତଥ୍ୟ ରଖିଛନ୍ତି, ସେଥିରେ ଦୋଷୀ ସାବ୍ୟସ୍ତହାର ବଢାଇବା ଲାଗି ଗୋଟିଏ କି ଦୁଇଟି ନୁହେଁ, ପୂରା ୨୩ଟି କ୍ଷେତ୍ରରେ ନିଆଯାଉଥିବା ପଦକ୍ଷେପ ସଂପର୍କରେ କହିଛନ୍ତି। ଏଥିରେ କୁହାଯାଇଛି ଯେ ଅପରାଧିକ ମାମଲାରେ ଦଣ୍ଡାଦେଶ, ଏଥିରେ ସଂପୃକ୍ତ ଥିବା ଅଂଶୀଦାରମାନଙ୍କର ଏକ ସମ୍ମିଶ୍ରିତ ଦାୟିତ୍ବ ଅଟେ। ପୁଲିସର ଭୂମିକା ଯେମିତି ଗୁରୁତ୍ବପୂର୍ଣ୍ଣ େସମିତି କୋର୍ଟରେ ମାମଲା ପରିଚାଳକ, ଡାକ୍ତର, ସାକ୍ଷୀ, ପୀଡିତା ଓ ସର୍ବଶେଷରେ ନ୍ୟାୟପାଳିକା ଦାୟିତ୍ବ ବି କିଛି କମ୍ ନୁହେଁ। ଏପରି ସ୍ଥଳେ କେବଳ ଜଣଙ୍କୁ ଦାୟୀ କରିବା ଅଗ୍ରହଣୀୟ। ବରଂ ଏ ସମସ୍ତଙ୍କ ଠାରୁ ବୃତ୍ତିଗତ ଫଳ ଆଶାପୋଷଣ କରିବା ଉଚିତ୍। ତେବେ ପୁଲିସର ଭୂମିକା ପ୍ରମୁଖ ଅଟେ ବୋଲି ସରକାର ମତ ରଖିଛନ୍ତି।

ସରକାରଙ୍କ ପକ୍ଷରୁ ଆହୁରି କୁହାଯାଉଛି ଯେ ଅପ୍ରାପ୍ତ ବୟସ୍କା ଝିଅ ପିଲାଙ୍କ ଉପରେ ଘଟୁଥିବା ଅଧିକାଂଶ ଦୁଷ୍କର୍ମ ମାମଲାରେ ଆସାମୀ ମୁଖ୍ୟତଃ ପରିବାର ଲୋକ, ସଂପର୍କୀୟ ତଥା ଜଣାଶୁଣା ବ୍ୟକ୍ତି ହୋଇଥାନ୍ତି। ପରବର୍ତୀ ସମୟରେ ପ୍ରାୟତଃ ପରିବାରର ସ୍ବାର୍ଥ ତଥା ସମ୍ମାନକୁ ଦୃଷ୍ଟିରେ ରଖି ଏହି ମାମଲା ପରିଚାଳନା ସମୟରେ ଓହରିଯିବାରୁ ଦୋଷୀ ଦୋଷମୁକ୍ତ ହେଉଛି। ଏହା ସତ୍ତ୍ବେ ସରକାର କହିଛନ୍ତି ଯେ ନିର୍ଦୋଷ ସାବ୍ୟସ୍ତ ମାମଲା କ୍ଷେତ୍ରରେ ସଂପୃକ୍ତ ଜିଲ୍ଲା ପୁଲିସ ଓ ଅଦାଲତରେ ପରିଚାଳନା କରୁଥିବା ସରକାରୀ ଓକିଲଙ୍କ କାର୍ଯ୍ୟ ସମୀକ୍ଷା ରିପୋର୍ଟ ଗୃହ ବିଭାଗକୁ ଦିଆଯାଇଛି। ଖିଲାପୀ ପୁଲିସ ଅଧିକାରୀ, ସରକାରୀ ଓକିଲଙ୍କ କ୍ଷେତ୍ରରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରାଯାଉଛି।

୨୦୧୯ ମସିହାରେ ରେଡ୍ ଫ୍ଲାଗ୍ ମାମଲା କ୍ଷେତ୍ରରେ ଦୋଷୀ ସାବ୍ୟସ୍ତ ହାର ୪୧.୫୨% ବୃଦ୍ଧି ପାଇଛି। ୧୧୮ଟି ମାମଲାରୁ ୪୯ଟି ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ୨୦୧୮ ଜାନୁଆରି ପହିଲାରୁ ପରୀକ୍ଷା ମୂ​ଳକ ଭାବେ ଦେବଗଡ ଓ ନୂଆପଡା ଜିଲ୍ଲାରେ ବିଜୟଵାଡା ମଡେଲ୍ କୋର୍ଟ ମନିଟରିଂ ସିଷ୍ଟମ ପ୍ରକ୍ରିୟା ଆରମ୍ଭ ହୋଇଛି। ମାମଲା ପରିଚାଳନାରେ ସମନ୍ବୟ ପାଇଁ ସରକାର ସର୍କୁଲାର ଜାରି କରିଛନ୍ତି। କ୍ରାଇମବ୍ରାଞ୍ଚ ତରଫରୁ ଜଘନ୍ୟ ମାମଲାର ତଦାରଖ ପାଇଁ ରେଂଜ ଡିଆଇଜି ଓ ଆଇଜି ସ୍ତରରେ ଅରେଞ୍ଜ ଫ୍ଲାଗ୍ କେସ୍ ନାମକ ଏକ ପୁଲିସ ନିର୍ଦେଶାବଳୀ ଦିଆଯାଇଛି।

ସମ୍ବନ୍ଧିତ ଖବର

Comments are closed.