ଦୁଷ୍କର୍ମ ମାମଲାରେ ଦୃଷ୍ଟାନ୍ତମୂଳକ ରାୟ

ଅଭିଯୁକ୍ତ ଯୁବକକୁ ୧୨ବର୍ଷ ସଶ୍ରମ କାରାଦଣ୍ଡ

ବାରିପଦା: ନାବାଳିକାଙ୍କୁ ଦୁଷ୍କର୍ମ ଏବଂ ଅନ୍ତଃସ୍ବତ୍ୱା କରିବା ଘଟଣାରେ ଜଣେ ଅଭିଯୁକ୍ତକୁ ଆଜି ବାରିପଦା ଅତିରିକ୍ତ ଜିଲା ଦୌରାଜଜ୍-୧ ପୋକ୍ସୋ ଆକ୍ଟ ଅଧୀନରେ ୧୨ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହାସହିତ ୫ ହଜାର ଟଙ୍କା ଜରିମାନା ମଧ୍ୟ କରିଛନ୍ତି। ଜରିମାନା ଅନାଦାୟେ ଅଧିକ ୬ ମାସ କାରାଦଣ୍ଡାଦେଶ ମଧ୍ୟ ଶୁଣାଇଛନ୍ତି। ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅଧୀନରେ ଘଟିଥିଲା ଏହି ଘଟଣା। ଏହି ଥାନା ଅନ୍ତର୍ଗତ ବାଲିଯୋଡ଼ା ଗ୍ରାମର ଅଭିଯୁକ୍ତ ଯୁବକ ମଙ୍ଗଲ ସିଂ(୩୦) ଜଣେ ବିବାହିତ ହୋଇଥିଲେ ମଧ୍ୟ ଜଣେ ନାବାଳିକାଙ୍କ ସହିତ ଦୀର୍ଘଦିନ ଧରି ଦୈହିକ ସମ୍ପର୍କ ରଖିିଥିଲେ। ଏ ବିଷୟରେ କାହାକୁ କିଛି ନ ଜଣାଇବା ପାଇଁ ଧମକଚମକ ମଧ୍ୟ ଦେଇଥିଲେ। ୨୦୧୫ ଏପ୍ରିଲ ୨୮ ତାରିଖରେ ନାବାଳିକା ଜଣକ ୫ ମାସ ଗର୍ଭବତୀ ଜଣାପଡ଼ିବା ପରେ ଏହି ସଙ୍ଗୀନ୍ ଘଟଣା ପଦାକୁ ଆସିଥିଲା। ଏ ନେଇ ନାବାଳିକାର ବାପାଙ୍କ ଅଭିଯୋଗକ୍ରମେ ବଡ଼ସାହି ଥାନାରେ ୪୯/୧୫ରେ ଏକ ମାମଲା ରୁଜୁ ହୋଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିଲା । ୪ବର୍ଷ ମଧ୍ୟରେ ଏହି ମାମଲାର ବିଚାର କରାଯାଇ ଆଜି ଏଡିଜେ-୧ ଡ. ଭି ସୁଜାତା ୯ ଜଣ ସାକ୍ଷୀ ପ୍ରମାଣକୁ ଭିତ୍ତିକରି ପୋକ୍ସୋ ଆକ୍ଟ ଅଧୀନରେ ଉପରୋକ୍ତ ରାୟ ପ୍ରଦାନ କରିଛନ୍ତି। ସରକାରଙ୍କ ପକ୍ଷରୁ ଆଇନଜୀବୀ ଅଭିନ୍ନ କୁମାର ପଟ୍ଟନାୟକ ଏହି ମାମଲା ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର