ପୁଲିସକୁ ଡରୁନାହାନ୍ତି ଅପରାଧୀ! : ପୁଣି ଦୁଷ୍କର୍ମ, ଟାର୍ଗେଟରେ ନାବାଳିକା

ଭୁବନେଶ୍ୱର : ବିଧାନସଭାରେ ତମ୍ବିତୋଫାନ ହେଲା। କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଖୋଦ୍‌ ମୁଖ୍ୟମନ୍ତ୍ରୀ ପୁଲିସ ବିଭାଗକୁ ନିର୍ଦେଶ ଦେଇଛନ୍ତି ବୋଲି ଗୃହରେ ସରକାର ଆଶ୍ୱାସନା ଦେଲେ। ହେଲେ ପୁଲିସ କିଭଳି ତତ୍ପରତା ପ୍ରକାଶ କରୁଛି କେଜାଣି, ଏହାର ସାମାନ୍ୟତମ ପ୍ରଭାବ ପଡିବା ଭଳି ମନେ ହେଉନାହିଁ। ବରଂ ଅପରାଧୀ ପୁଲିସକୁ ଚ୍ୟାଲେଞ୍ଜ ଦେବା ଆରମ୍ଭ କରିଛନ୍ତି। ଆଜି ବି ରାଜ୍ୟରେ ଏକାଧିକ ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବା ନେଇ ଚାଞ୍ଚଲ୍ୟକର ଅଭିଯୋଗ ଆସିଛି। ଏହାକୁ ନେଇ ସାରା ରାଜ୍ୟରେ ଆଲୋଡନ ସୃଷ୍ଟି ହେଲାଣି।

ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଥାନା କୃଷ୍ଣାନନ୍ଦପୁର ଫାଣ୍ଡି ଅନ୍ତର୍ଗତ ଭଁସର ଅଞ୍ଚଳରେ ଜଣେ ୯ମ ଶ୍ରେଣୀ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି। ପୀଡ଼ିତାଙ୍କୁ ଚିକିତ୍ସା ଓ ଡାକ୍ତରୀମାଇନା ପାଇଁ ଜଗତସିଂହପୁର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ପୁଣି ଏକ ଲଜ୍ଜାକର ଘଟଣା ସାମ୍ନାକୁ ଆସିଛି। ଆଜି ଏଠାରେ ଆଉ ଜଣେ ନାବାଳିକା ଅସଦାଚରଣର ଶିକାର ହୋଇଛନ୍ତି। ଜଣେ ଫେରିବାଲା ଏମିତି କୁକର୍ମ କରିଥିବା ଜଣାପଡ଼ିଛି। ଭଞ୍ଜନଗରରେ ମଧ୍ୟ ଦୁଷ୍କର୍ମ ଉଦ୍ୟମ ବେଳେ ଜଣେ ଯୁବକଙ୍କୁ ସ୍ଥାନୀୟ ଲୋକେ କାବୁ କରି ନିର୍ଧୁମ ଛେଚିବା ପରେ ପୁଲିସ ଜିମା ଦେଇଛନ୍ତି। ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଇଲାକାରେ ଜଣେ ଅନୁସୂଚିତ ଜାତିର ଯୁବତୀଙ୍କୁ ଦୁଷ୍କର୍ମ ମାମଲାରେ ପୁଲିସ ଅଭିଯୁକ୍ତ ବାଲ୍ୟ ମହାନ୍ତିକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଆମ ତିର୍ତ୍ତୋଲ ପ୍ରତିନିଧି ଜଣାଇଛନ୍ତି, ୯ମ ଶ୍ରେଣୀରେ ପଢୁଥିବା ସ୍ଥାନୀୟ ଅଞ୍ଚଳର ଜଣେ ୧୪ବର୍ଷୀୟା ନାବାଳିକା ପ୍ରତିଦିନ ଅପରାହ୍ନରେ ନିକଟସ୍ଥ ଗ୍ରାମକୁ ଟିଉସନ ପାଇଁ ଯାଇଥା’ନ୍ତି। ଗତକାଲି ଅପରାହ୍ନ ୪ଟା ସମୟରେ ସେ ଟିଉସନ ଯାଉଥିବାବେଳେ ୨ ଜଣ ଯୁବକ ଓ ଜଣେ ନାବାଳକ ତାଙ୍କର ପିଛା କରିଥିଲେ। ସେମାନେ ତାଙ୍କୁ ରାସ୍ତାରେ ଅଟକାଇ ନିକଟରେ ଥିବା ନିଛାଟିଆ ବାଉଁଶ ଜଙ୍ଗଲକୁ ଟେକିନେଇ ଗଣଦୁଷ୍କର୍ମ କରିଥିଲେ। ପ୍ରବଳ ଖରା ଯୋଗୁଁ ଏହି ସମୟରେ ଆଖପାଖ ଅଞ୍ଚଳ ସଂପୂର୍ଣ୍ଣ ଶୂନ୍‌ଶାନ୍‌ ଥିଲା। ନାବାଳିକା ଜଣକ ଘରକୁ ଫେରି ଏ ସମ୍ପର୍କରେ ଜଣାଇବା ପରେ ଗତକାଲି ରାତିରେ ପରିବାର ଲୋକେ କୃଷ୍ଣାନନ୍ଦପୁର ଫାଣ୍ଡିରେ ଅଭିଯୋଗ କରିଥିଲେ। ତିର୍ତ୍ତୋଲ ପୁଲିସ ବିଳମ୍ବିତ ରାତିରେ କୋଲ୍ଟା ଗ୍ରାମର ଜଣେ ୧୫ବର୍ଷୀୟ ନାବାଳକ, ଚନ୍ଦ୍ରମଣି ବେହେରା(୨୧) ଓ ରଘୁନାଥପୁର ଥାନା ତଅଁରା ଗ୍ରାମର ରଶ୍ମି ରଞ୍ଜନ ଦାସ(୨୦)ଙ୍କୁ ଉଠାଇ ଆଣି ଅଟକ ରଖିଛି। ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରାଯାଇଛି।

ଆମ ନୀଳଗିରି ପ୍ରତିନିଧି ଜଣାଇଛନ୍ତି, ଆଜି ଏଠାରେ ଆଉ ଜଣେ ନାବାଳିକା ଅସଦାଚରଣର ଶିକାର ହୋଇଛନ୍ତି। ସ୍ଥାନୀୟ ବାଉଁଶବଣିଆ ପଞ୍ଚାୟତର ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରୀ (୯ବର୍ଷ) ଆଜି ତାଙ୍କ ଘର ସମ୍ମୁଖରେ ଖେଳୁଥିଲୋ। ଏହି ସମୟରେ ପଶ୍ଚିମବଙ୍ଗ ରାଜ୍ୟ ମୁର୍ଶିଦାବାଦ ଅଞ୍ଚଳରୁ ଆସି ସ୍ଥାନୀୟ ଅଞ୍ଚଳରେ ଫେରି କରୁଥିବା ଜିଆ ଉଲ୍‌ ସେକ୍‌ (୧୯) ଟିକିଲି ଦେବା ବାହାନାରେ ନାବାଳିକାଙ୍କୁ ଡାକି ଅସଦାଚାରଣ କରିଥିଲା। ଗ୍ରାମର ଜଣେ ମହିଳା କୁକର୍ମ ଦେଖିପାରି ନାବାଳିକାଙ୍କ ପରିବାର ଲୋକଙ୍କୁ କହିଥିଲେ। ପରିବାର ଲୋକଙ୍କ ସହ ପଡ଼ୋଶୀମାନେ ସଂପୃକ୍ତ ଫେରିବାଲାକୁ ଧରିଥିଲେ।ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି।

ଆମ ଜଗନ୍ନାଥପ୍ରସାଦ ପ୍ରତିନିଧି ଜଣାଇଛନ୍ତି, ସେହିପରି ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଇଲାକାରେ ଜଣେ ଅନୁସୂଚିତ ଜାତିର ଯୁବତୀଙ୍କୁ ଦୁଷ୍କର୍ମ ମାମଲାରେ ପୁଲିସ ଅଭିଯୁକ୍ତ ବାଲ୍ୟ ମହାନ୍ତିକୁ ଗିରଫ କରି କୋର୍ଟ ଚାଲାଣ କରିଛି। ବାଲ୍ୟର ଘର ଲଙ୍କାଗଡ଼ ଛକ ସାହିରେ। ଅଭିଯୋଗ ଅନୁସାରେ, ୪ ଦିନ ତଳେ ଯୁବତୀଙ୍କୁ ଏକୁଟିଆ ଦେଖି ବାଲ୍ୟ ଦୁଷ୍କର୍ମ କରିଥିଲା। ଗାଁରେ ପ୍ରଘଟ ହେବା ପରେ ସାହି ଲୋକେ ବୈଠକ ଡାକି ଆଲୋଚନା କରିଥିଲେ। ଯୁବତୀଙ୍କୁ ବିବାହ କରିବାକୁ ବାଲ୍ୟକୁ କୁହାଯାଇଥିଲା। କିନ୍ତୁ ବାଲ୍ୟର ପରିବାର ଲୋକେ ଏହାର ବିରୋଧ କରିଥିଲେ। ଶେଷରେ ଯୁବତୀଙ୍କ ପରିବାର ଲୋକେ ଭଂଜନଗର ଏସ୍‌ଡିପିଓଙ୍କୁ ଭେଟି ଜଗନ୍ନାଥପ୍ରସାଦ ଥାନାରେ ଏତଲା ଦେଇଥିଲେ।

ଆମ ଭଞ୍ଜନଗର ପ୍ରତିିନିଧିଙ୍କ ସୂଚନା ଅନୁସାରେ, ଗତକାଲି ରାତିରେ ବାହାଡାପଦର ଗାଁରେ ଜଣେ ମହିଳାଙ୍କୁ ଯୁବକ ଦୁଷ୍କର୍ମ ଉଦ୍ୟମ କରିବା ବେଳେ ଧରାପଡିଛନ୍ତି। ଗ୍ରାମବାସୀ ତାକୁ କାବୁ କରି ଭଂଜନଗର ଥାନା ଜିମା ଦେଇଥିଲେ। ମହିଳାଜଣଙ୍କର ସ୍ୱାମୀ ଘରେ ନଥିବା ବେଳେ ଏହାର ସୁଯୋଗ ନେଇ ଜଗନ୍ନାଥପ୍ରସାଦ ଥାନା କୁମ୍ପାଲୋଡାର ବୁଲୁ ସାହୁ ଦୁଷ୍କର୍ମ ଉଦ୍ୟମ କରିଥିଲା। ମହିଳାଜଣକ ଚିତ୍କାର କରିବାରୁ ଗ୍ରାମବାସୀ ସେଠାରେ ପହଞ୍ଚି ବୁଲୁକୁ ଧରି ନିସ୍ତୁକ ମାଡ଼ ମାରି ପୁଲିସ ଜିମା ଦେଇଥିଲେ। ମହିଳା ଜଣକଙ୍କ ଏତଲା ଆଧାରରେ ପୁଲିସ ମାମଲା ରୁଜୁ କରିଛି। ଗ୍ରାମବାସୀଙ୍କ ମାଡ଼ରେ ବୁଲୁ ଆହତ ହୋଇଥିବାରୁ ତାକୁ ଭଂଜନଗର ଉପଖଣ୍ଡ ଡାକ୍ତରଖାନାରେ ଭର୍ତି କରାଯାଇଛି।

ସମ୍ବନ୍ଧିତ ଖବର