ସହାୟତା ‌ଦେଲାନି ପୁଲିସ୍‌, ଦୁଷ୍କର୍ମ ପୀଡ଼ିତା ନାବାଳିକାଙ୍କ ଆତ୍ମହତ୍ୟା ଉଦ୍ୟମ

ଟାଙ୍ଗୀ : ବର୍ଷକ ପୂର୍ବରୁ ଦୁଷ୍କର୍ମର ଶିକାର ହୋଇଥିବା ଜଣେ ନାବାଳିକା ପୁଣି ଦୁଷ୍କର୍ମ ଉଦ୍ୟମର ଶିକାର ହେବା ଏବଂ ଥାନାକୁ ଆସିବା ସତ୍ତ୍ବେ ପୁଲିସର ସହାୟତା ନ ପାଇବାରୁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଏହି ଘଟଣା ସାଧାରଣରେ ଉଦ୍‌ବେଗ ସୃଷ୍ଟି କରିଛି। ଅବଶ୍ୟ ନାବାଳିକାଙ୍କ ଆତ୍ମହତ୍ୟା ଉଦ୍ୟମ ପରେ ପୁଲିସ ଏ ଦିଗରେ ପଦକ୍ଷେପ ନେଇଛି। କଟକ ଜିଲ୍ଲାର ଟାଙ୍ଗୀ ଥାନା ଅଞ୍ଚଳରେ ଏଭଳି ଏକ ଘଟଣା ଘଟିଛି।

ଟାଙ୍ଗୀ ଥାନା କହ୍ନେଇପୁର ପଞ୍ଚାୟତ ଚିନ୍ତାମଣିପୁର ଗ୍ରାମର ଜଣେ ନାବାଳିକାକୁ ଦଶହରା ଭସାଣି ସନ୍ଧ୍ୟାରେ ସେହି ଗ୍ରାମର ଜଣେ ଯୁବକ ଦୁଷ୍କର୍ମ ଉଦ୍ୟମ କରିଥିଲେ। ନାବାଳିକା ଜଣକ ଏ ସଂପର୍କରେ ଟାଙ୍ଗୀ ଥାନାରେ ଅଭିଯୋଗ କରିଥିଲେ। ତେବେ ଘଟଣାକୁ ରଫାଦଫା କରିବା ପାଇଁ ସ୍ଥାନୀୟ ଅଞ୍ଚଳର କେତେକ ବ୍ୟକ୍ତି ପୁଲିସ୍ ଉପରେ ଚାପ ପକାଇଥିଲେ। ଦୀର୍ଘ ଦିନ ବିତି ଯାଇଥିଲେ ମଧ୍ୟ ପୁଲିସ୍ ଏହି ଘଟଣା ଉପରେ କୌଣସି ପଦକ୍ଷେପ ନନେବାରୁ ଗତକାଲି ପୀଡିତା ଏବଂ ତାଙ୍କ ଭଉଣୀ ଥାନାରୁ ଫେରି ଟ୍ରେନ ଲାଇନକୁ ଯାଇ ଆତ୍ମହତ୍ୟା ଉଦ୍ୟମ କରିବା ବେଳେ ସେମାନଙ୍କୁ ଉଦ୍ଧାର କରା ଯାଇଥିଲା। ଏହି ଘଟଣା ପରେ ପୁଲିସ ଶେଷରେ ଅଭିଯୁକ୍ତ ଚିନ୍ତାମଣିପୁର ଗ୍ରାମର ଲୋକନାଥ ସାହାଣି ଓରଫ୍ ହଇନ ନାମରେ ମାମଲା ରୁଜୁ କରିଛି।

ଗରିବ ଘରର ଏହି ନାବାଳିକା ଜଣକ ଗତବର୍ଷ ଦୁଷ୍କର୍ମର ଶିକାର ହୋଇ ଗର୍ଭବତୀ ହୋଇଥିଲେ। ପୁଲିସ୍ ସେହି ଘଟଣାରେ ଅଭିଯୁକ୍ତକୁ ଗିରଫ କରି ଜେଲ୍ ପଠାଇବା ସହ ନାବାଳିକାକୁ ସ୍ବଧାର ଗୃହରେ ଥଇଥାନ କରିଥିଲା। ପରେ ପୀଡ଼ିତା ଜଣକ ଏକ ମୃତ ଶିଶୁ ଜନ୍ମ କରିବା ପରେ ପୀଡ଼ିତାଙ୍କ ଭଉଣୀ ସ୍ବଧାର ଗୃହରୁ ଆଣି ତାଙ୍କୁ ନିଜ ହେପାଜତରେ ଘରକୁ ଆଣିଥିଲେ। ତେବେ ଗାଁରେ ନରହି ଭଉଣୀ ତାଙ୍କୁ ନିକଟସ୍ଥ ହାଡୁଓତା ଗାଁରେ ଏକ ଭଡ଼ାଘରେ ନିଜ ପାଖରେ ରଖିଥିଲେ। ଦଶହରା ଭସାଣି ସନ୍ଧ୍ୟାରେ ନାବାଳିକା ଜଣକ ଭଡ଼ା ଘରେ ଏକୁଟିଆ ଥିବା ବେଳେ ହଇନ ସେଠାରେ ପହଞ୍ଚି ତାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲା। କିନ୍ତୁ କୌଶଳ କ୍ରମେ ନାବାଳିକା ସେଠାରୁ ଖସି ପଳାଇ ଆସିଥିଲେ। ପୀଡ଼ିତାଙ୍କ ଭଉଣୀ ଏ ସଂକ୍ରାନ୍ତରେ ପଚାରିବାରୁ ଅଭିଯୁକ୍ତ ତାଙ୍କୁ ମାଡ଼ ମଧ୍ୟ ମାରିଥିଲେ। ଏତେ ସବୁ ପରେ ବି ନାବାଳିକାଙ୍କ ଅଭିଯୋଗ ଗ୍ରହଣ ନ କରାଯିବା ଘଟଣାକୁ ନେଇ ନାବାଳିକା ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଅନ୍ୟପଟେ ଟାଙ୍ଗୀ ଥାନା ଅଧିକାରୀ ପଦାରବିନ୍ଦ ତ୍ରିପାଠୀ କହିଛନ୍ତି ଯେ ନାବାଳିକାର ବୟାନ ରେକର୍ଡ ଓ ଡାକ୍ତରୀ ପରୀକ୍ଷା କରାଯିବା ସହ ମାମଲା ରୁଜୁ ହୋଇଛି। ଅଭିଯୁକ୍ତକୁ ଖୁବଶୀଘ୍ର ଧରିବା ପାଇଁ ଉଦ୍ୟମ କରାଯାଉଛି।

ସମ୍ବନ୍ଧିତ ଖବର