ରସଗୋଲାକୁ ନେଇ ଜନସ୍ୱାର୍ଥ ମାମଲା : ହାଇକୋର୍ଟଙ୍କ ଜବାବ ତଲବ

0 34

କଟକ : ରସଗୋଲା ଓଡିଶାର ହୋଇଥିବାବେଳେ ପଶ୍ଚିମବଙ୍ଗ ଭୁଲ ତଥ୍ୟ ଦେଇ ଚଞ୍ଚକତା କରି ଜିଆଇ ମାନ୍ୟତା ହାସଲ କରିଛି ଦର୍ଶାଇ ରୁଜୁ ଜନସ୍ୱାର୍ଥ ମାମଲାରେ ହାଇକୋର୍ଟ ନୋଟିସ୍‌ ଜାରି କରିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ଭିନିତ ସରନ ଓ ଡକ୍ଟର ଜଷ୍ଟିସ ବି.ଆର୍‌.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଭୁବନେଶ୍ୱରର ସାଂସ୍କୃତିକ ଅନୁଷ୍ଠାନ ’ପୁଣ୍ୟ ଉତ୍କଳ’ର ଲେଖକ ସୁଶାନ୍ତ ଓ ’ଓଡିଆ ପର୍ବ’ ପତ୍ରିକାର ସନ୍ତୋଷ କୁମାର ସାହୁ ଦାୟର କରିଥିବା ମାମଲାର ଶୁଣାଣି କରି ୮ସପ୍ତାହ ଭିତରେ ଜବାବ ଦାଖଲ ପାଇଁ ମୁଖ୍ୟ ଶାସନ ସଚିବ, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ, ଚେନ୍ନାଇସ୍ଥିତ ଇଣ୍ଟେଲେକ୍‌ଚୁଆଲ୍‌ ପ୍ରପର୍ଟି ଅଫିସ୍‌ର ସହକାରୀ ରେଜିଷ୍ଟ୍ରାର, ପଶ୍ଚିମବଙ୍ଗ ଷ୍ଟେଟ୍‌ କାଉନସିଲ ଅଫ୍‌ ସାଇନ୍ସ ଆଣ୍ଡ୍‌ ଟେକ୍‌ନୋଲୋଜିକୁ ନିର୍ଦ୍ଦେଶ ଦେଇଛନ୍ତି। ଗ୍ରୀଷ୍ମ ଅବକାଶ ପରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସିଦ୍ଧାର୍ଥ ପ୍ରସାଦ ଦାସ ମାମଲା ପରିଚାଳନା କରୁଛନ୍ତି।

ଆଜି ମାମଲାର ଶୁଣାଣି ସମୟରେ ଶ୍ରୀ ଦାସ ଦର୍ଶାଇଥିଲେ ଯେ ଶ୍ରୀଜଗନ୍ନାଥ ମନ୍ଦିରରେ ରସଗୋଲାର ନୈବେଦ୍ୟ ପରମ୍ପରା ରହିଛି। ୫ଶହ ବର୍ଷ ତଳୁ ଭକ୍ତକବି ବଳରାମ ଦାସଙ୍କ ‘ଦାଣ୍ଡି ରାମାୟଣ’ର ତାଳପତ୍ର ପୋଥିରେ ରସଗୋଲା କଥା ଉଲ୍ଲେଖ ଥାଇ ମଧ୍ୟ ପଶ୍ଚିମବଙ୍ଗ ସରକାର ଭୁଲ ତଥ୍ୟ ଉପସ୍ଥାପନ କରି ଭାରତ ସରକାରଙ୍କ ଉପଦର୍ଶନ ବିଭାଗରୁ ୨୦୧୭, ନଭେମ୍ବର ୧୪ରେ ଜିଆଇ ମାନ୍ୟତା ହାସଲ କରିଥିଲେ। ରସଗୋଲାର ଆଦି ଉତ୍ସ ଓଡ଼ିଶା ହୋଇଥିବା ବେଳେ ଏବଂ ଶ୍ରୀମନ୍ଦିରରେ ପାରମ୍ପରିକ ଭୋଗ ଭାବେ ଏହା ନିଜର ସ୍ୱତନ୍ତ୍ର ସ୍ଥାନ ନିର୍ଣ୍ଣୟ କରି ସାରିଥିବା ବେଳେ ପଶ୍ଚିମବଙ୍ଗକୁ ଜିଆଇ ମାନ୍ୟତା ପ୍ରଦାନ ଗ୍ରହଣୀୟ ନୁହେଁ। ମାତ୍ର ଶହେ ବର୍ଷ ତଳେ ବଙ୍ଗାଳିମାନେ ଓଡ଼ିଆଙ୍କଠାରୁ ରସଗୋଲାର ପ୍ରସ୍ତୁତି ପ୍ରକ୍ରିୟା ଶିଖି ପରବର୍ତ୍ତୀ ସିମୟରେ ଏହା ସେମାନଙ୍କ ଦ୍ୱାରା ଉତ୍ପତି ହୋଇଛି ବୋଲି ଦାବି କରି ଭାରତ ସରକାରଙ୍କଠାରୁ ଭୌଗୋଳିକ ପରିଚିତି ପାଇବା ଫଳରେ ଓଡ଼ିଶାର ଅସ୍କିତା ଓ ଆତ୍ମିକ ଜନଜୀବନ ବହୁ ମାତ୍ରାରେ କ୍ଷତାକ୍ତ ହୋଇଛି। ‘ବାଂଲାର ରସୋଗୋଲ୍ଲା’ ନାଁରେ ଚଞ୍ଜକତା କରି ଓଡ଼ିଶାର ପ୍ରତିଷ୍ଠିତ ଥିବା ରସଗୋଲାର ଗୁଣରୂପ ବର୍ଣ୍ଣନା କରି ଏହି ଜିଆଇ ମାନ୍ୟତା ପଶ୍ଚିମବଙ୍ଗ ହାସଲ କରିଛି। ଓଡ଼ିଶାର ରସଗୋଲା ହୋଇଥିବା ବେଳେ ଏହି ପ୍ରସଂଗରେ ସରକାରୀ ନିଷ୍କ୍ରିୟତା ଯୋଗୁ ଆଜି ଏପରି ପରିସ୍ଥିତି ସୃଷ୍ଟି ହୋଇଛି। ରସଗୋଲା ଜିଆଇ ମାନ୍ୟତା ପ୍ରସଂଗରେ ଓଡ଼ିଶାକୁ ପକ୍ଷ ରଖିବାକୁ ସୁଯୋଗ ଦିଆଯାଇ ନାହିଁ। ଏପରି ପରିସ୍ଥିତିରେ ପଶ୍ଚିମବଙ୍ଗ ସରକାରଙ୍କୁ ରସଗୋଲା ପାଇଁ ପ୍ରଦାନ କରାଯାଇଥିବା ଜିିଆଇ ମାନ୍ୟତା ଆଇନ ଅନୁସାରେ ଗ୍ରହଣୀୟ ହୋଇ ନଥିବା ବେଳେ ଏହାକୁ ରଦ୍ଦ କରାଯାଉ ବୋଲି ଶ୍ରୀ ଦାସ ଦର୍ଶାଇଥିଲେ। ଏହି ପ୍ରସଂଗରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ ପାଇଁ ରାଜ୍ୟ ସରକାର ଓ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ପ୍ରଦାନର ଆବଶ୍ୟକତା ରହିଛି ବୋଲି ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି ଦର୍ଶାଯାଇଥିଲା।

ସମ୍ବନ୍ଧିତ ଖବର

Leave A Reply

Your email address will not be published.