ନୂଆଦିଲ୍ଲୀ: ରସଗୋଲା ଓଡ଼ିଶାର ଚିରକାଳର ମିଠା। ଏହା ଓଡ଼ିଶାର ଥିଲା, ଅଛି ଓ ରହିବ ବୋଲି ଓଡ଼ିଶା ଫୋରମ ମଞ୍ଚ ପକ୍ଷରୁ ଅନୁଷ୍ଠିତ ଅାଲୋଚନାଚକ୍ରରେ ଗବେଷକମାନେ ମତ ପ୍ରକାଶ କରିଛନ୍ତି। ଏହି ଅାଲୋଚନାଚକ୍ରରେ ଅଂଶଗ୍ରହଣ କରି ତିନି ତୁଣ୍ଡରେ ଛେଳି କୁକୁର ପରି ଧୂର୍ତ୍ତବୁଦ୍ଧିଦ୍ୱାରା ଏହାକୁ ନିଜର କରିବାକୁ ଯେଉଁ ଅସାଧୁ ଉଦ୍ୟମ ହୋଇଛି, ତାହା ଅଚିରେ ପଣ୍ଡ ହେବ ବୋଲି ଗବେଷକ ଡକ୍ଟର ଅସିତ ମହାନ୍ତି କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଗତ ମାର୍ଚ୍ଚ ୩୦ରେ ନୂଆଦିଲ୍ଲୀର ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟର ସଭାକକ୍ଷରେ ଏହି ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ଏକକ ବକ୍ତା ରୂପେ ଯୋଗଦେଇ ଦୀର୍ଘ ପ୍ରାୟ ଦେଢ଼ ଘଣ୍ଟା ଧରି ବିଭିନ୍ନ ନଥିପତ୍ର ଓ ପ୍ରାମାଣିକ ଦଲିଲ ଆଧାରରେ ଡକ୍ଟର ମହାନ୍ତି ଏହି ବକ୍ତବ୍ୟ ଉପସ୍ଥାପନ କରିଥିଲେ। ଭକ୍ତକବି ବଳରାମ ଦାସଙ୍କ ‘ଦାଣ୍ଡି ରାମାୟଣ’ ଓଡ଼ିଶାର ରସଗୋଲାର ପ୍ରାୟ ୫୦୦ ବର୍ଷର ପ୍ରମାଣ ଏବଂ ଆଧୁନିକ କାଳରେ ବଙ୍ଗଳାର ୧୮୯୬ ମସିହାର ଏକ କବିତାରେ ରସଗୋଲାର ଉଲ୍ଲେଖ ଥିଲେ ମଧ୍ୟ ତା’ ପୂର୍ବରୁ ୧୮୯୨ ଓ ୧୮୯୩ରେ ଓଡ଼ିଆ ସାହିତ୍ୟ କୃତିରେ ରସଗୋଲାର ଉଲ୍ଲେଖ ଅଛି ବୋଲି ସେ ଦର୍ଶାଇଥିଲେ। ଏପରିକି ବ୍ୟାସକବି ଫକୀରମୋହନଙ୍କ ‘ଓୟେଲଟେୟାର ଦର୍ଶନ’ ଭ୍ରମଣ କାହାଣୀରେ ମଧ୍ୟ ଓଡ଼ିଶାର ଉନ୍ନତମାନର ରସଗୋଲାର ପ୍ରମାଣ ରହିଛି ବୋଲି ସେ ପ୍ରାମାଣିକ ତଥ୍ୟ ଉପସ୍ଥାପନ କରିଥିଲେ।
୧୮୬୮ରେ କୋଲକାତାରେ ନବୀନ ଚନ୍ଦ୍ର ଦାଶ ସ୍ପଞ୍ଜ ରସଗୋଲା ତିଆରି ଆରମ୍ଭ କରିଥିଲେ ବୋଲି ପଶ୍ଚିମବଙ୍ଗ ପକ୍ଷରୁ କୁହାଯାଉଥିବା ବେଳେ ସେ ସମ୍ପର୍କରେ କୌଣସି ଐତିହାସିକ ତଥ୍ୟ, ପ୍ରମାଣ ନାହିଁ ଏବଂ ରସଗୋଲାର ତଥାକଥିତ ଶତବାର୍ଷିକୀ ପାଳନ କରି ୧୯୬୮ରେ କୋଲକାତାର ବାଗବଜାରଠାରେ ଏକ ପଥର ଖୋଦେଇ ଫଳକ ପ୍ରତିଷ୍ଠାରୁ ଏହି ବିବାଦ ଅାରମ୍ଭ ହୋଇଛି ବୋଲି ଡ.ମହାନ୍ତି ଦର୍ଶାଇଥିଲେ। ବିଶିଷ୍ଟ ସାମ୍ବାଦିକ ଓ ସାହିତ୍ୟିକ ସୁରେନ୍ଦ୍ର ମହାନ୍ତି ‘କଳିଙ୍ଗ’ ସମ୍ବାଦପତ୍ରର ଏକ ସଂପାଦକୀୟର ଉଲ୍ଲେଖ କରିଥିଲେ।
ଅପରପକ୍ଷେ ଶ୍ରୀଜଗନ୍ନାଥଙ୍କ ନୀଳାଦ୍ରିବିଜେ ନୀତି ସହିତ ରସଗୋଲା ଭୋଗ ପାରମ୍ପରିକ ଭାବରେ ଜଡ଼ିତ ଅଛି ଏବଂ ଏହାର ପରମ୍ପରା ଅନ୍ୟୁନ ସାତ ଶହ ବର୍ଷର ବୋଲି ମାଦଳାପାଞ୍ଚି ଓ ଶ୍ରୀମନ୍ଦିର ସ୍ୱତ୍ୱଲିପିର ପ୍ରାମାଣିକତା ଆଧାରରେ ଦର୍ଶାଇ ସେ ଓଡ଼ିଶାର ଦାବି ଦୃଢ଼ ଭାବରେ ଉପସ୍ଥାପନ କରିଥିଲେ। ଏହି ଅବସରରେ, ଉପସ୍ଥିତ ବ୍ୟକ୍ତିମାନେ ଆଲୋଚନାରେ ଅଂଶଗ୍ରହଣ କରି ଓଡ଼ିଶା ଯେପରି ରସଗୋଲା ପାଇଁ ଯଥାଶୀଘ୍ର ଜି.ଆଇ. ମାନ୍ୟତା ପାଇବ ସେ ଦିଗରେ ସମସ୍ତ ଉଦ୍ୟମ ସରକାର ସକ୍ରିୟ ଭାବେ କାମ କରନ୍ତୁ ବୋଲି ମତ ଦେଇଥିଲେ।
ଏହି ଆଲୋଚନାଚକ୍ରରେ ଓଡ଼ିଶା ଫୋରମ୍ର ପୁନଃନିର୍ବାଚିତ ସଭାପତି ଗୋକୁଳ ପଟ୍ଟନାୟକ ଅଧ୍ୟକ୍ଷତା କରିଥିବାବେଳେ ନବନିର୍ବାଚିତ ଉପସଭାପତି ସଂଜୀବ ମହାନ୍ତି ଓ ସଂପାଦକ ପ୍ରଦୀପ୍ତ କୁମାର ସାହୁ ଉପସ୍ଥିତ ଥିଲେ। ଆରମ୍ଭରେ ରବି ପାଣି ସ୍ୱାଗତ ଭାଷଣ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଚିତ୍ରଶିଳ୍ପୀ ଯତୀନ ଦାସ, ଅବସରପ୍ରାପ୍ତ ଆଇଏଏସ୍. ଡି.ପି.ବାଗ୍ଚୀ ଓ ଅମୂଲ୍ୟରତ୍ନ ନନ୍ଦ, ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରଫେସର ପ୍ରକାଶ ଚନ୍ଦ୍ର ପଟ୍ଟନାୟକ, ଅଧ୍ୟାପିକା ମୋନିକା ଦାସ ପ୍ରମୁଖ ଉପସ୍ଥିତ ଥିଲେ। ପରିଶେଷରେ ଗବେଷକ ଡକ୍ଟର ମହାନ୍ତିଙ୍କୁ ସ୍ମାରକୀ ଉପହାର ଦେଇ ଡି.ପି. ବାଗ୍ଚୀ ସମ୍ବର୍ଦ୍ଧିତ କରିଥିଲେ।