ହାଇୱା – କାର୍‌ ଧକ୍କା : ରାଷ୍ଟ୍ରପତି ବେହେରାଙ୍କ ସମେତ ୨ ମୃତ, ହତ୍ୟା ଅଭିଯୋଗ ଆଣିଲେ ପରିବାର

ସୋନପୁର/କଣ୍ଟାବାଞ୍ଜି : ଗତ ଗୁରୁବାର ରାତି ପ୍ରାୟ ୧୨ଟା ବେଳେ ସୋନପୁର-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ ସିଆଲଜୁରି ରାଜ ଢାବା ପାଖରେ ସଂଘଟିତ ଏକ ସଡ଼କ ଦୁର୍ଘଟଣାରେ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ପୂର୍ବ ଉପଧ୍ୟକ୍ଷ ତଥା ବିଜେପି ନେତା ରାଷ୍ଟ୍ରପତି ବେହେରା(୫୦) ଓ ଅନ୍ୟ ଜଣେ କଣ୍ଟାବାଞ୍ଜିର ଧର୍ମରାଜ ଯାଦବ‌ (୩୯)ଙ୍କ ମୃତ୍ୟୁ ହୋଇଛି। ଗରୁବାର ରାତିରେ ଏକ କାର‌ (ଓଡି-୦୩-ଏଲ-୪୩୩୪)ରେ ବିରିପାଲି ଗ୍ରାମର ରାଷ୍ଟ୍ରପତି ଓ ବଣ୍ଟାବାଞ୍ଜିର ଧର୍ମରାଜଙ୍କ ସହ ହେମନ୍ତ ସାଗର, ଚନାବାହାଲ ଗ୍ରାମର ଅନ୍ତର୍ଯ୍ୟାମୀ ମହାକୁଡ ଏବଂ ଚଟୁଅନକା ଗ୍ରାମର ଦିଲ୍ଲୀପ ତାଣ୍ଡି କଣ୍ଟାବ‌ାଞ୍ଜିରୁ ବାହାରି ଭୁବନେଶ୍ବର ଯାଉଥିଲେ। ଏହି ସମୟରେ ‌ସୋନପୁର ପଟରୁ ତରଭା ଯାଉଥିବା ଏକ ହାଇୱା ଗାଡ଼ି (ଓଡି-୩୧-ସି-୪୨୨୧) ସେମାନଙ୍କୁ ଧକ୍କା ଦେଇଥିଲା। ରାଷ୍ଟ୍ରପତି ଓ ଧର୍ମରାଜଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୩ ଜଣ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ଦୁର୍ଘଟଣା ପରେ ଗୁରୁତର ରାଷ୍ଟ୍ରପତିଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜକୁ ଚିକିତ୍ସା ପାଇଁ ନିଆଯାଇଥିଲା କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେହିପରି ଗୁରୁତର ଆହତ ଧର୍ମରାଜ ଯାଦବ, ହେମନ୍ତ ସାଗର, ଅନ୍ତର୍ଯ୍ୟାମୀ ମହାକୁଡ଼, ଦିଲ୍ଲୀପ ତାଣ୍ଡି ଆଦିଙ୍କୁ ସୁବର୍ଣ୍ଣପୁର ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଧର୍ମରାଜଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଅନ୍ୟ ୩ ଜଣ ଚିକିତ୍ସାଧୀନ ଅଛନ୍ତି। ଦୁର୍ଘଟଣା ପରେ ହାଇୱା ଡ୍ରାଇଭର ଘଟଣାସ୍ଥଳରୁ ଫେରାର ମାରିଥିବା ବ‌େଳେ ହାଇୱା ଗାଡି ଏବଂ କାରକୁ ପୁଲିସ ଜବତ କରିଛି। ଏନେଇ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଚାଲିଥିବା ଫାଣ୍ଡି ଅଧିକାରୀ ସଞ୍ଜିବ ବସ୍ତିଆ ସୂଚନା ଦେଇଛନ୍ତି। ଏହାକୁ ନେଇ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ରାଷ୍ଟ୍ରପତିଙ୍କ ପରିବାରବର୍ଗ ପକ୍ଷରୁ ଅଭିଯୋଗ କରାଯାଇଛି। ଏ ସମ୍ପର୍କରେ ସୋନପୁର ଆଇଆଇସି ଲୋକେଶ୍ବର ସାହୁଙ୍କୁ ଯୋଗଯୋଗ କରାଯିବାରୁ ସେଭଳି ଅଭିଯୋଗ ଆସିଲେ ସେ ଦିଗରେ ତଦନ୍ତ କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର