ଅନ୍ଧାରରେ ଟଣାହେଲା ନନ୍ଦିଘୋଷ

ପୁରୀ : ବାହୁଡ଼ା ଯାତ୍ରା ପାଇଁ ଆଜି ତିନି ରଥ ଦକ୍ଷିଣ ମୋଡ଼ ନେଇଥିବାବେଳେ ରଥଟଣା ସମୟରେ ବିଶୃଙ୍ଖଳା ଦେଖାଦେଇଛି। ଦର୍ପଦଳନ ଓ ତାଳଧ୍ୱଜ ରଥ ଟଣା ହୋଇ ନାକଚଣା ଦ୍ଵାର ସମ୍ମୁଖ ଶରଧାବାଲିକୁ ଯିବା ପରେ ଅନ୍ଧାର ହୋଇ ଯାଇଥିବାବେଳେ ବିନା ଷ୍ଟ୍ରିଟ୍‌ ଲାଇଟ୍‌ରେ ଆଜି ନନ୍ଦିଘୋଷ ରଥ ଟଣା ହୋଇଛି। ଏହାକୁ ନେଇ ଭକ୍ତଙ୍କ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି।

ଆଜି ଅପରାହ୍‌ଣ ୨ଟା ୫ରେ ମହାପ୍ରଭୁଙ୍କ ଆଜ୍ଞାମାଳ ଆସିବା ପରେ ତିନି ରଥର ଦକ୍ଷିଣ ମୋଡ଼ ଆରମ୍ଭ ହୋଇଥିଲା। ପ୍ରଥମେ ଅପରାହ୍‌ଣ ୨ଟା ୨୦ରେ ସୁଭଦ୍ରାଙ୍କ ଦର୍ପଦଳନ ରଥ ଟଣା ହୋଇ ଶରଧାବାଲିକୁ ଯାଇଥିଲା। ପରେ ବଳଭଦ୍ରଙ୍କ ତାଳଧ୍ୱଜ ରଥ ସଂଧ୍ୟା ୩ଟା ୪୫ରେ ଟଣା ହୋଇ ଶରଧାବାଲିକୁ ଯାଇଥିଲା। ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣା ହୋଇ ଶରଧାବାଲିକୁ ଯିବା ବେଳକୁ ସଂଧ୍ୟା ପ୍ରାୟ ୫ଟା ୪୫ ହୋଇଯାଇଥିଲା। ରଥଟଣା ହୋଇ ଶରଧାବାଲିରେ ପହଞ୍ଚିଲା ବେଳକୁ ରାତି ପ୍ରାୟ ୭ଟା ୨୦ ହୋଇଯାଇଥିଲା। ରଥ ଯିବା ରାସ୍ତାରେ ଆବଶ୍ୟକ ସଂଖ୍ୟକ ଷ୍ଟ୍ରିଟ୍‌ ଲାଇଟ୍‌ ନ ଥିବାରୁ ଅନ୍ଧାରରେ ରଥ ଟଣା ହୋଇଥିଲା। ବଡ଼ଦାଣ୍ଡରେ ରଥଯାତ୍ରା ପାଇଁ ହଜାର ହଜାର ଭକ୍ତ ଭିଡ଼ ଲଗାଉଥିବାବେଳେ ଏଭଳି ପରିସ୍ଥିତିରେ ଅନ୍ଧକାର ଭିତରେ ରଥଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ସମ୍ବନ୍ଧିତ ଖବର