ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ସମୀକ୍ଷା : ଶୃଙ୍ଖଳିତ ରଥଯାତ୍ରା ପାଇଁ ସହଯୋଗ ଲୋଡ଼ିଲେ

ପୁରୀ : ଆଉ ୭ ଦିନ ପରେ ଶ୍ରୀକ୍ଷେତ୍ର ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଏହାର ଚତୁର୍ଥ ତଥା ଶେଷ ସମନ୍ଵୟ କମିଟି ବୈଠକ ଆଜି ପୂର୍ବାହ୍‌ଣରେ ପୁରୀ ଭିଆଇପି ରୋଡ୍‌ସ୍ଥିତ ଆୟୁର୍ବେଦିକ୍‌ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବୈଠକରେ ଅଧ୍ୟକ୍ଷତା କରି ରଥଯାତ୍ରା ଉପରେ ସମୀକ୍ଷା କରିଥିବା ବେଳେ ରଥଯାତ୍ରା ସମୟରେ ସ୍ୱାସ୍ଥ୍ୟସେବା, ପରିମଳ, ଗମନାଗମନ, ଆଲୋକୀକରଣ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ବ୍ୟବସ୍ଥା ଉପରେ ବିସ୍ତୁତ ଆଲୋଚନା ହୋଇଛି। ବୈଠକରେ ମୁଖ୍ୟମନ୍ତ୍ରୀ ଶୃଙ୍ଖଳିତ ରଥଯାତ୍ରା ଓ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ଵ ଦେବା ସହ ଏଥିରେ ସମସ୍ତଙ୍କ ସହଯୋଗ ଲୋଡ଼ିଛନ୍ତି।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବୈଠକରେ କହିଲେ, ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ରାଜ୍ୟ ତଥା ଦେଶବିଦେଶରୁ ଲକ୍ଷ ଲକ୍ଷ ଭକ୍ତଙ୍କ ଆଗମନ ହୋଇଥାଏ। ଏହି ଦୃଷ୍ଟିରୁ ରଥଯାତ୍ରାକୁ ଶୃଙ୍ଖଳାର ସହ ସମାପନ କରିବା ଏକ ଗୁରୁ ଦାୟିତ୍ଵ। ରଥଯାତ୍ରାରେ ସେବାୟତଙ୍କ ପ୍ରମୁଖ ଭୂମିକା ରହିଛି। ଏଣୁ ଶୃଙ୍ଖଳିତ ରଥଯାତ୍ରା ଓ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ। ସେବାୟତଙ୍କ ଠାରୁ ଆରମ୍ଭ କରି ସରକାରୀ ଅଧିକାରୀ ଓ ଅନ୍ୟମାନେ ଏ ଦିଗରେ ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଥିଲେ। କେନ୍ଦ୍ରାଞ୍ଚଳ ରାଜସ୍ୱ କମିସନର୍‌ ଡିଭି ସ୍ୱାମୀ ସ୍ୱାଗତ ଭାଷଣ ଦେବା ସହ ଅଧିକାରୀଙ୍କୁ ରଥଯାତ୍ରା ପାଇଁ ପ୍ରସ୍ତୁତ ଏସ୍‌ଓପି ଉପରେ ସୂଚନା ରଖିବାକୁ ଅଧିକାରୀମାନଙ୍କୁ ନିବେଦନ କରିଥିଲେ। ଆରମ୍ଭରୁ ଶ୍ରୀମନ୍ଦିର ନୀତି ପ୍ରଶାସକ ପ୍ରଦୀପ କୁମାର ଦାଶ ସୂଚନା ଦେଇ କହିଥିଲେ, ଇତି ମଧ୍ୟରେ ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ପାର୍ଶ୍ୱ ଦେବାଦେବୀ ଓ ରଥ ରଙ୍ଗ କାମ ଆଗେଇ ଚାଲିଛି। ଦରଜୀମାନେ ତିନି ରଥ ପାଇଁ ଆବଶ୍ୟକ କନା ସିଲେଇକୁ ବି ଆଗେଇ ନେଇଛନ୍ତି। ପ୍ରାୟ ସବୁ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ହରପ୍ରସାଦ ପଟ୍ଟନାୟକ କହିଥିଲେ, ରଥଯାତ୍ରା ପାଇଁ ୫୪୧ଜଣ ଡାକ୍ତର ଓ ପାରାମେଡିକାଲ୍‌ ଷ୍ଟାଫ୍‌ଙ୍କୁ ନିୟୋଜିତ କରାଯିବ। ୧୬୭ ଜଣ ଅତିରିକ୍ତ ଡାକ୍ତରଙ୍କୁ ନିୟୋଜିତ କରାଯାଇଥିବା ବେଳେ ଏ ମଧ୍ୟରେ ୧୨୭ ଜଣ ଏମ୍‌ବିବିଏସ୍‌ ଡାକ୍ତର ରହିଛନ୍ତି। ସେହିଭଳି ୩୭୪ ଜଣ ପାରା ମେଡିକାଲ୍‌ ଷ୍ଟାଫ୍‌ଙ୍କୁ ନିୟୋଜିତ କରାଯିବ। ୭୦ଟି ଫାଷ୍ଟ୍‌ ଏଡ୍‌ ସେଣ୍ଟର ଖୋଲାଯିବାକୁ ଥିବାବେଳେ ୬୯ଟି ଆମ୍ବୁଲାନ୍‌ସ ବ୍ୟବସ୍ଥା କରାଯାଇଛି। ଯେଉଁଥିରେ ୩୦ଟି ସରକାରୀ ଆମ୍ବୁଲାନ୍‌ସ ଓ ୩୯ଟି ସ୍ୱେଚ୍ଛାସେବୀ ଅନୁଷ୍ଠାନ ତରଫରୁ ମୁତୟନ ରହିବେ। ଜନସ୍ୱାସ୍ଥ୍ୟ ବିଭାଗ ନିର୍ବାହୀ ଯନ୍ତ୍ରୀ କହିଲେ, ରଥଯାତ୍ରା ପାଇଁ ବଡ଼ଦାଣ୍ଡରେ ୨୦ଟି ପିଇବା ପାଣି ଟ୍ୟାଙ୍କର ବ୍ୟବସ୍ଥା କରାଯାଇଛି। ସହରରେ ୨୦୦ଟି ଷ୍ଟାଣ୍ଡ୍‌ପୋଷ୍ଟ ରହିଥିବାବେଳେ ଅସ୍ଥାୟୀ ଭାବେ ଆଉ ୨୫୦ଟି ଷ୍ଟାଣ୍ଡପୋଷ୍ଟ ବ୍ୟବସ୍ଥା କରାଯାଇଛି। ୭୫୭ଟି ହ୍ୟାଣ୍ଡ୍‌ପମ୍ପ୍‌ ବି ରହିଛି। ପାନୀୟ ଜଳଯୋଗାଣ ଅବ୍ୟାହତ ରଖିବା ପାଇଁ ୨୬ଟି ଡିଜିଟାଲ୍‌ ଜେନେରେଟର୍‌ ବ୍ୟବସ୍ଥା କରାଯାଇଛି। ପାନୀୟ ଜଳଯୋଗାଣକୁ ସୁବ୍ୟବସ୍ଥିତ କରିବା ପାଇଁ ୫ଟି ମୋବାଇଲ୍‌ ୟୁନିଟ୍‌ ଗଠନ କରାଯାଇଛି।

ପୌର ନିର୍ବାହୀ ଅଧିକାରୀଙ୍କ ସୂଚନା ହେଲା, ଚଳିତ ରଥଯାତ୍ରା ପାଇଁ ୨୫୫ଟି ନାଳ ସଫା ଲକ୍ଷ୍ୟ ରଖାଯାଇଥିବାବେଳେ ଆଜି ସୁଧା ୨୩୨ଟି ନାଳର ସଫା କାର୍ଯ୍ୟ ଶେଷ ହୋଇଛି। ମଶାମରା ଔଷଧ ସିଞ୍ଚନ କାର୍ଯ୍ୟ ଶେଷ ହୋଇଛି। ବର୍ଷା ସମୟରେ ପାନୀୟ ଜଳ ନିଷ୍କାସନ ପାଇଁ ୧୪ଟି ପମ୍ପସେଟ୍‌ର ବ୍ୟବସ୍ଥା କରାଯାଇଛି। ଜବରଦଖଲ ଉଚ୍ଛେଦ ଜାରି ରହିଥିବାବେଳେ ୭ ତାରିଖରେ ଉଚ୍ଛେଦ କାର୍ଯ୍ୟ ସରିବ। ସଫେଇ ପାଇଁ ୨୦୦ ଜଣ ପ୍ରଫେସନାଲ୍‌ ସଫେଇ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ୬୪ଟି ଜାଗାରେ ଆଲୋକୀକରଣ ବ୍ୟବସ୍ଥା କରାଯାଇଛି। ରଥଯାତ୍ରା ପାଇଁ କରାଯାଇଥିବାବେଳେ ଏ ଭିତରେ ବ୍ୟାରିକେଡିଂ ଶେଷ ହୋଇଛି ବୋଲି ପୂର୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ସୂଚନା ଦେଇଥିଲେ।

ଜାତୀୟ ରାଜପଥ ବିଭାଗ ଓ ଏନ୍‌ଏଚ୍‌ଏଆଇ ପକ୍ଷରୁ ରାସ୍ତା କାମ ଉପରେ ସୂଚନା ଦିଆଯାଇଥିଲା। ରାସ୍ତା ମରାମତି କାମ ସରିଥିବାବେଳେ ବିଭିନ୍ନ ସ୍ଥାନରେ ସ୍ପିଡ୍‌ ବ୍ରେକର୍‌ ଲଗାଯିବ। ଜାତୀୟ ରାଜପଥରେ ଦୁର୍ଘଟଣା ପାଇଁ ଆମ୍ବୁଲାନ୍‌ସ ବ୍ୟବସ୍ଥା କରାଯାଇଥିବା ସେ ସୂଚନା ଦେଇଥିଲେ। ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ପୁଲିସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ବଡ଼ଦାଣ୍ଡରେ ଅଘଟଣକୁ ଏଡ଼ାଇବା ପାଇଁ ୮ଟି ଅଗ୍ନିଶମ ଗାଡ଼ି ଓ ପାଣି ସିଞ୍ଚନ ବ୍ୟବସ୍ଥା କରାଯାଇଛି। ଏଥିସହ ସମୁଦ୍ର କୂଳରେ ପର୍ଯ୍ୟଟକ ବୁଡ଼ି ରୋକିବା ପାଇଁ ଲାଇଫ୍‌ ଗାର୍ଡ଼ ମୁତୟନ କରାଯିବ ବୋଲି ଅଗ୍ନିଶମ ବିଭାଗ ସୂଚନା ଦେଇଥିଲା। ଏହାବାଦ୍‌ ପରିବହନ, ରେଳବାଇ, ସୂଚନା ଓ ଲୋକ ସଂପର୍କ, ପର୍ଯ୍ୟଟନ, ଯୋଗାଣ ଓ ସ୍ୱେରେଜ୍‌ ବିଭାଗ କରିଥିବା କାର୍ଯ୍ୟ ଉପରେ ଆଲୋଚନା ହୋଇଥିଲା।

ରଥଯାତ୍ରା ସମୟରେ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ୧୧ଟି ସୂଚନା କେନ୍ଦ୍ର ବିଭିନ୍ନ ସ୍ଥାନରେ ଖୋଲାଯାଉଥିବାବେଳେ ଏହି ସମୟରେ ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ପ୍ରସ୍ତୁତି ସରିଥିବା ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସୂଚନା ଦେଇଥିଲେ। ସେହିଭଳି ରଥଯାତ୍ରା ସମୟରେ ୧୮୪ଟି ଅତିରିକ୍ତ ଟ୍ରେନ୍‌, ୨୪ଟି ଅତିରିକ୍ତ ଟିକେଟ୍‌ କାଉଣ୍ଟର, ମେଡିକାଲ୍‌ ସୁବିଧା ଓ ଅନ୍ୟାନ୍ୟ ବ୍ୟବସ୍ଥା କରାଯାଇଥିବା ରେଳବାଇ ପକ୍ଷରୁ ସୂଚନା ଦିଆଯାଇଥିଲା।

ବୈଠକରେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା, ପର୍ଯ୍ୟଟନ ଓ ସଂସ୍କତି ମନ୍ତ୍ରୀ ଆଶୋକ ଚନ୍ଦ୍ର ପଣ୍ଡା, ସାଂସଦ ପିନାକୀ ମିଶ୍ର, ବିଧାୟକ ସଂଜୟ ଦାସବର୍ମା, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ପୁଲିସ ମହାନିର୍ଦେଶକ ଡା. ରାଜେନ୍ଦ୍ର ପ୍ରସାଦ ଶର୍ମା, କେନ୍ଦ୍ରାଞ୍ଚଳ ରାଜସ୍ୱ କମିସନର୍‌ ଡିଭି ସ୍ୱାମୀ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର, ସୂଚନା ଓ ଲୋକ ସଂପର୍କ ବିଭାଗ ସଚିବ ହେମନ୍ତ ଶର୍ମା, ସଂସ୍କତି ଓ ଓଡ଼ିଆ ଭାଷା, ସାହିତ୍ୟ ବିଭାଗ ସଚିବ ମନୋରଂଜନ ପାଣିଗ୍ରାହୀ, ଜିଲ୍ଲାପାଳ ଅରବିନ୍ଦ୍ର ଅଗ୍ରୱାଲ୍‌, ଆରକ୍ଷୀ ଅଧୀକ୍ଷକ ସାର୍ଥକ୍‌ ଷଡ଼ଙ୍ଗୀ ମଞ୍ଚାସୀନ ଥିଲେ। ବୈଠକରେ ସେବାୟତଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର