ରେଳଯାତ୍ରୀଙ୍କ ପାଇଁ ‘ରଥଯାତ୍ରା ମୋବାଇଲ୍‌ ଆପ୍‌’

ଭୁବନେଶ୍ୱର : ପୁରୀ ଘୋଷଯାତ୍ରାକୁ ଦୃଷ୍ଟିରେ ରଖି ଯାତ୍ରୀଙ୍କ ସୁବିଧା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ମୋବାଇଲ ଆପ୍‌ ‘ECOR Yatra’ ସେବା ଆରମ୍ଭ ହୋଇଛି। ଏହାଦ୍ୱାରା ରଥଯାତ୍ରା ସମୟରେ ପୁରୀକୁ ଆସୁଥିବା ତୀର୍ଥଯାତ୍ରୀ ଓ ଭକ୍ତମାନେ ଉପକୃତ ହୋଇପାରିବେ। ରଥଯାତ୍ରା ସମୟରେ ପୂର୍ବତଟ ରେଳପଥ ପକ୍ଷରୁ ସେବା ପ୍ରଦାନ କରାଯାଇଥିବା ସ୍ୱତନ୍ତ୍ର ଟ୍ରେନ ସହ ନିୟମିତ ଚାଲୁଥିବା ଟ୍ରେନ୍‌ ଓ ଅନ୍ୟ ସୁବିଧା ଉପଲବ୍ଧ ପାଇଁ ସ୍ମାର୍ଟ ଫୋନ୍‌ରେ ଗୁଗ୍‌ଲ ପ୍ଲେ ଷ୍ଟୋରରୁ ଯାତ୍ରୀମାନେ ‘ECOR Yatra’କୁ ଡାଉନ୍‌ଲୋଡ୍‌ କରିପାରିବେ।

ପୂର୍ବତଟ ରେଳପଥ ପକ୍ଷରୁ ଜୁଲାଇ୧୩ରୁ ୨୪ ପର୍ଯ୍ୟନ୍ତ ରଥଯାତ୍ରା ପାଇଁ ଚଳିତବର୍ଷ ୧୮୬ଟି ସ୍ୱତନ୍ତ୍ର ଟ୍ରେନ୍‌ ଚଳାଚଳ କରିବ। ଏହି ଆପ୍‌ରେ ସ୍ୱତନ୍ତ୍ର ଟ୍ରେନ୍‌ଗୁଡ଼ିକର ସମ୍ପୂର୍ଣ୍ଣ ବିବରଣୀ, ଚଳାଚଳ ଦିବସ, ସମୟ ସମ୍ପର୍କରେ ସୂଚନା ରହିଛି। ସମସ୍ତ ସ୍ୱତନ୍ତ୍ର ଟ୍ରେନଗୁଡ଼ିକ ପାଇଁ ପୁରୀଠାରେ ନିର୍ଦିଷ୍ଟ ପ୍ଲାଟଫର୍ମ ସମ୍ପର୍କରେ ଲାଇଭ୍‌ ସୂଚନା ଉପଲବ୍ଧ ହେବ। ଆଇଆରସିଟିସି ପକ୍ଷରୁ ଟୁରିଜିମ୍‌, ରିଟାୟାରିଂ ରୁମ୍‌, ମେଳା ସେଡ୍‌ର ଉପଲବ୍ଧ, ଲଜିଂ ବ୍ୟବସ୍ଥା ସମ୍ପର୍କରେ ସୂଚନା ମିଳିବ। ରଥଯାତ୍ରାର ରୀତି ଓ ନୀତି ସମ୍ବନ୍ଧିତ ସୂଚନା, ପୁରୀ ଓ ଅନ୍ୟାନ୍ୟ ସ୍ଥାନରେ ୪୦ଟି ସ୍ୱତନ୍ତ୍ର ଟିକେଟ କାଉଣ୍ଟର ସମ୍ବନ୍ଧରେ ସୂଚନା, ପୁରୀଠାରେ ଓଏସଆରଟିସି ଦ୍ୱାରା ପରିବହନ ସୁବିଧା, ପ୍ରି-ପେଡ୍‌ ଟ୍ୟାକ୍ସି ବ୍ୟବସ୍ଥା ଓ ଭଡ଼ାର ସୂଚନା, ରେଳ ସିଟ୍‌ ଉପଲବ୍ଧ, ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ପାଇଁ ହୁଇଲ ଚେୟାର, ପ୍ଲାଟଫର୍ମରେ ବ୍ୟାଟେରି ଚାଳିତ ଯାନ ଓ ଷ୍ଟେସନରେ ମାଗଣ ୱାଇଫାଇ ସୁବିଧା ଉପଲବ୍ଧ ସମ୍ପର୍କରେ ଜଣାପଡ଼ିବ। ଉଭୟ ସଂରକ୍ଷିତ ଓ ଅଣ ସଂରକ୍ଷିତ ଟିକେଟକୁ ଏହି ଆପ ଜରିଆରେ ବୁକ୍‌ କରାଯାଇ ପାରିବ।

ସମ୍ବନ୍ଧିତ ଖବର