ଆସନ୍ତାକାଲି ଘୋଷଯାତ୍ରା: ରଥ-ପଥ-ଭକ୍ତ ପ୍ରସ୍ତୁତ; ମହାପ୍ରଭୁ ଦେଲେ ନବଯୌବନ ଦର୍ଶନ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ମାଉସୀ ଘର ନେଇ ଯିବାକୁ ନନ୍ଦିଘୋଷ, ଦର୍ପଦଳନ ଓ ତାଳଧ୍ୱଜ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପହଞ୍ଚିଛି। ଶ୍ରୀମନ୍ଦିରରୁ ଆଜ୍ଞାମାଳ ଆସିବା ପରେ ତିନି ରଥକୁ ଦକ୍ଷିଣ ମୋଡ଼ କରାଯାଇଛି। ପରେ ପରଂପରା ଅନୁସାରେ ରଥଗୁଡ଼ିକୁ ପୂଜାର୍ଚ୍ଚନା କରାଯାଇଛି।

ଶ୍ରୀକ୍ଷେତ୍ରରେ ଆଜି ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ନବଯୌବନ ଦର୍ଶନ କରିଛନ୍ତି। ରାତି ପାହିଲେ ଘୋଷଯାତ୍ରା ହେବ। ମାଉସୀ ମନ୍ଦିରକୁ ରଥ ଗଡ଼ିବା ପୂର୍ବରୁ ରଥ-ପଥକୁ ପ୍ରସ୍ତୁତ କରାଯାଇଛି। ଭକ୍ତି ଭାବନାରେ ଭକ୍ତମାନେ ବଡ଼ ଦାଣ୍ଡରେ ହଜିବେ। ଏଥିପାଇଁ ପୁରୀରେ ଲକ୍ଷାଧିକ ଭକ୍ତ ପହଞ୍ଚି ସାରିଥିବା ବେଳେ ସକାଳ ପାହିଲା ବେଳକୁ ବଡ଼ଦାଣ୍ଡ, ରେଳଷ୍ଟେସନ, ବେଳାଭୂମି, ମଠ-ମନ୍ଦିର ପରିସର ଲୋକାରଣ୍ୟରେ ପରିଣତ ହେବ।

ମହାପ୍ରଭୁଙ୍କ ନବଯୌବନ ଦର୍ଶନ ଅବସରରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି କ୍ରାନ୍ତି ଅନୁଷ୍ଠିତ ହୋଇଥିଲା। ଭକ୍ତମାନେ ପରିମାଣିକ ଦର୍ଶନ ପରେ ସାହାଣମେଲା ଦର୍ଶନ କରିଥିଲେ। ଶ୍ରୀଜିଉଙ୍କ ଗୁପ୍ତନୀତି ଚାଲିଛି। ଶ୍ରୀମନ୍ଦିର ପ୍ରଶାସନ ଓ ପୁଲିସ କର୍ମଚାରୀଙ୍କ ଦ୍ୱାରା ରଥଗୁଡ଼ିକୁ ଦକ୍ଷିଣମୋଡ଼ କରାଯାଇଛି।

ସମ୍ବନ୍ଧିତ ଖବର