‘ହେରାପଞ୍ଚମୀ’ର ରସ ଓ ରହସ୍ୟ

ଶ୍ରୀଜଗନ୍ନାଥଙ୍କ ‘ନନ୍ଦିଘୋଷ’ ରଥ ନିକଟରେ ବିମାନରେ ଦେବୀଲକ୍ଷ୍ମୀ

0 251

ଶ୍ରୀଜଗନ୍ନାଥଙ୍କ ଶ୍ରୀଗୁଣ୍ଡିଚା ଯାତ୍ରାର ଏକ ରସପୂର୍ଣ୍ଣ ଓ ରହସ୍ୟମୟ ନୀତି ହେଉଛି ‘ହେରାପଞ୍ଚମୀ’। ଆଷାଢ଼ ଶୁକ୍ଳ ଦ୍ଵିତୀୟାରେ ଆରମ୍ଭ ହେଉଥିବା ରଥଯାତ୍ରାର ପଞ୍ଚମଦିନ ଅନୁଷ୍ଠିତ ହେଉଥିବାରୁ ଏହା ‘ହେରାପଞ୍ଚମୀ’। କିନ୍ତୁ ଏହାର ତିଥି- ଆଷାଢ଼ ଶୁକ୍ଳ ଷଷ୍ଠୀ।

ଏହାର କାହାଣୀ ଅତ୍ୟନ୍ତ ରସପୂର୍ଣ୍ଣ ଓ ରୋଚକ। ‘ହେରା’ର ଅର୍ଥ ଅବଲୋକନ ବା ଦର୍ଶନ। ସରଳ ଓଡ଼ିଆରେ ‘ଦେଖିବା’। ଚର୍ଯାଗୀତିକାରେ ଉପଲବ୍‌ଧ ପ୍ରାଚୀନ ଓଡ଼ିଆ ଭାଷାରେ ମଧ୍ୟ ଏହି ଶବ୍ଦ ‘ଦେଖିବା’ ଅର୍ଥରେ ପ୍ରଯୁକ୍ତ ହୋଇଛି। କିନ୍ତୁ ‘ବାମଦେବ ସଂହିତା’ରେ ବର୍ଣ୍ଣନା ଅଛି- ‘‘ହରଂ ଚ ମନସା କୃତ୍ଵା ହେରେତି ନାମ ଯୋଗତଃ।।’’ ଅର୍ଥାତ୍‌ ହର ବା ଶିବଙ୍କୁ ମନ ମଧ୍ୟରେ ସ୍ମରଣ କରି ଶ୍ରୀଦେବୀ (ଲକ୍ଷ୍ମୀ) ଏହି ଯାତ୍ରା କରିଥିବାରୁ ଏହା ‘ହେରାଯାତ୍ରା’ ନାମରେ ପରିଚିତ। କିନ୍ତୁ ପ୍ରକୃତ ଅର୍ଥରେ ଏହା ‘ହେରା’ ବା ଶ୍ରୀଜଗନ୍ନାଥଙ୍କୁ ଦେଖିବା ନିମନ୍ତେ ଶ୍ରୀଦେବୀ (ଲକ୍ଷ୍ମୀ)ଙ୍କର ଏକ ଯାତ୍ରା। ଏହାର ପୃଷ୍ଠଭୂମିରେ ରହିଛି ଶ୍ରୀମନ୍ଦିରରେ ଦାମ୍ପତ୍ୟଲୀଳାର ରୋଚକ ଆଖ୍ୟାନ।

ଏ ପ୍ରସଙ୍ଗରେ ‘ସ୍କନ୍ଦପୁରାଣ-ଶ୍ରୀପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟ’ର ଊନବିଂଶ ଅଧ୍ୟାୟ, ପଞ୍ଚଦଶ ଶ୍ଳୋକ ବିଶେଷ ତାତ୍ପର୍ଯ୍ୟପୂର୍ଣ୍ଣ। ସେହି ଶ୍ଳୋକଟି ହେଉଛି, ‘‘ପୁଂ ନାମା ଭଗବାନ୍‌ ବିଷ୍ଣୁଃ ସ୍ତ୍ରୀ ନାମ୍ନା କମଳାଳୟା / ଦେବତିର୍ଯ୍ୟନ୍ମନୁଷ୍ୟାଦୌ ବିଦ୍ୟତେ ନ ତୟୋଃ ପରମ୍‌।ା’’ ଏହାର ଅର୍ଥ- ପୁରୁଷ ନାମରେ ଭଗବାନ ବିଷ୍ଣୁ ଓ ସ୍ତ୍ରୀ ନାମରେ କମଳାଳୟା ଲକ୍ଷ୍ମୀ ହିଁ, କି ଦେବଗଣ, କି ତିର୍ଯ୍ୟକ୍‌ ବୃନ୍ଦ, କି ମନୁଷ୍ୟ- ସମସ୍ତ ପ୍ରାଣୀଙ୍କ ଅଭ୍ୟନ୍ତରରେ ରହିଅଛନ୍ତି। ଏ ଦୁହିଁଙ୍କ ଭିନ୍ନ ଅନ୍ୟ କିଛି ବିଦ୍ୟମାନ ନାହିଁ।’’ ଏହା ଏ ସୃଷ୍ଟିରେ ଭଗବାନ ବିଷ୍ଣୁ ଓ ଦେବୀଲକ୍ଷ୍ମୀଙ୍କ ପରିପୂରକତାକୁ ଓ ଅପରିହାର୍ଯ୍ୟତାକୁ ସୂଚିତ କରେ। କିନ୍ତୁ ଶ୍ରୀଗୁଣ୍ଡିଚା ଯାତ୍ରାରେ ଦେବୀଲକ୍ଷ୍ମୀଙ୍କୁ ସାଙ୍ଗରେ ନନେଇ, ଭାଇ ବଳରାମ ଓ ଭଉଣୀ ସୁଭଦ୍ରାଙ୍କ ସହିତ ଶ୍ରୀଜଗନ୍ନାଥ ଯାଇଥାଆନ୍ତି। ତେଣୁ ଦେବୀ ଲକ୍ଷ୍ମୀ ସେଥିରେ ରୁଷ୍ଟ ହୋଇଥାଆନ୍ତି। ବିମଳାଦେବୀଙ୍କ ପରାମର୍ଶକ୍ରମେ, ସେ ଶ୍ରୀଜଗନ୍ନାଥଙ୍କୁ ଦେଖିବାପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି। ଶ୍ରୀଜଗନ୍ନାଥଙ୍କୁ ବଶୀଭୂତ କରି ଫେରାଇ ଆଣିବା ନିମନ୍ତେ ଦେବୀ ବିମଳା ତାଙ୍କୁ ‘ମୋହଚୂର୍ଣ୍ଣ’ ବି ଦେଇଥାଆନ୍ତି।

ଏ ସଂପର୍କରେ ଉଲ୍ଲେଖନୀୟ ଯେ ଶ୍ରୀଜଗନ୍ନାଥାଦି ଦେବତା ଶ୍ରୀଗୁଣ୍ଡିଚାଯାତ୍ରାରେ ଯାଇଥିଲେ ମଧ୍ୟ, ଶ୍ରୀମନ୍ଦିର ଶୂନ୍ୟ ନଥାଏ। ଶ୍ରୀଜଗନ୍ନାଥଙ୍କ ପ୍ରତିନିଧି ରୂପେ ଶ୍ରୀମାଧବ ଏବଂ ତାଙ୍କ ସହିତ ଶ୍ରୀଦେବୀ (ଲକ୍ଷ୍ମୀ) ଓ ଭୂଦେବୀ (ସରସ୍ୱତୀ) ଶ୍ରୀମନ୍ଦିରର ଭିତର କାଠଠାରେ ବିରାଜମାନ ଥାଆନ୍ତି। ହେରାପଞ୍ଚମୀ ଦିନ ସେଠାରୁ (ଭଣ୍ଡାର ଘର ନିକଟରୁ) ଶ୍ରୀଦେବୀଙ୍କୁ ମହାଜନ ସେବକ ବିମାନକୁ ବିଜେ କରାଇ ଆଣନ୍ତି ଏବଂ ବିମାନବଡୁ ସେବକ ତାଙ୍କୁ ଆଡମ୍ବରପୂର୍ଣ୍ଣ ଘଣ୍ଟ, ବାଜା, କାହାଳୀ ସହିତ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଥିବା ରଥ ନିକଟକୁ ନେଇଯାଆନ୍ତିା ସେଠାରେ ଶ୍ରୀଜଗନ୍ନାଥଙ୍କ ‘ନନ୍ଦିଘୋଷ’ ରଥକୁ ଚିହ୍ନଟ କରିସାରି, ଦେବୀ ବିମାନ ଉପରେ ବସି ରହିଥିବାବେଳେ ଶ୍ରୀଜଗନ୍ନାଥଙ୍କ ପ୍ରତିନିଧି ରୂପେ ପତିମହାପାତ୍ର ସେବକ ତାଙ୍କର ବନ୍ଦାପନା ଓ ପୂଜାର୍ଚ୍ଚନା ଆଦି କରନ୍ତି।

ତା’ପରେ ଦେବୀଙ୍କ ବିମାନ ଶ୍ରୀଗୁଣ୍ଡିଚା ମନ୍ଦିରର ଜୟବିଜୟ ଦ୍ଵାର ନିକଟକୁ ଯାଏ ଏବଂ ବିମାନ ଉପରେ ଥାଇ, ସେହିଠାରୁ ସେ ବିମଳାଦେବୀଙ୍କ ଠାରୁ ଆଣିଥିବା ମୋହଚୂର୍ଣ୍ଣ ଶ୍ରୀଜଗନ୍ନାଥଙ୍କ ଉପରକୁ ନିକ୍ଷେପ କରନ୍ତି। ତାହାର ତୁରନ୍ତ ପ୍ରତିଫଳ ସ୍ୱରୂପ, ପତି ମହାପାତ୍ରଙ୍କ ଦ୍ଵାରା ତାଙ୍କୁ ଆଜ୍ଞାମାଳ ପ୍ରଦାନ କରନ୍ତିି ଶ୍ରୀଜଗନ୍ନାଥ ଏବଂ ପ୍ରତିଶ୍ରୁତି ମଧ୍ୟ ଦିଅନ୍ତି ଯେ ତିନିଦିନ ପରେ ସେ ନିଶ୍ଚୟ ଫେରିବେ। କିନ୍ତୁ ସେହି ସମୟକୁ ସନ୍ଧ୍ୟାଧୂପର ସମୟ ହୋଇଯାଇ ଥିବାରୁ, ଦେବୀଲକ୍ଷ୍ମୀ ଶ୍ରୀଜଗନ୍ନାଥଙ୍କୁ ଆଉ ଅଧିକ ସମୟ ଦର୍ଶନ କରିବାର ସୁଯୋଗ ପାଆନ୍ତି ନାହିଁ। ସେଥିରେ ରୁଷ୍ଟ ହୋଇ ଦେବୀ ନନ୍ଦିଘୋଷ ରଥରୁ ଖଣ୍ଡିଏ କାଠ ଭାଙ୍ଗିଦେଇ ଚାଲିଆସନ୍ତି।

ଏ ପ୍ରସଙ୍ଗରେ ‘ଶ୍ରୀଦାରୁବ୍ରହ୍ମଙ୍କ ଆଜ୍ଞାମାଳ ରହସ୍ୟ’ ପୁସ୍ତକରେ ଶ୍ରୀମନ୍ଦିରର ପ୍ରତିହାରୀ ସେବକ ରବୀନ୍ଦ୍ରନାଥ ପ୍ରତିହାରୀ ଏକ ତାତ୍ପର୍ଯ୍ୟପୂର୍ଣ୍ଣ ବ୍ୟାଖ୍ୟା ଦେଇଛନ୍ତି। ବିଧି ଅନୁସାରେ, ଯିବାବେଳେ ଘଣ୍ଟ, ବାଜା ଓ କାହାଳୀ ସହିତ ରଥମାର୍ଗ (ବଡ଼ଦାଣ୍ଡ) ଦେଇ ଦେବୀ ଯାଇଥାନ୍ତି। କିନ୍ତୁ ଫେରିବାବେଳେ ସେ ହେରାଗୋହିରୀ ସାହି ବାଟରେ ଫେରନ୍ତି। ତେଣୁ ଶ୍ରୀ ପ୍ରତିହାରୀ ଲେଖିଛନ୍ତି, ‘‘ଏହି କାର୍ଯ୍ୟ (ରଥକାଠ ଭାଙ୍ଗିବା କାର୍ଯ୍ୟ) ଠିକ୍‌ ହୋଇନାହିଁ ବୋଲି ବୋଧହୁଏ ଜଗଜ୍ଜନନୀଙ୍କର ହୃଦ୍‌ବୋଧ ହୋଇଥିବାରେ ସେ ଗୋଟିଏ ଅପରାଧୀ ଭଳି ନିଜକୁ ଭାବି, ହେରାଗୋହିରୀ ସାହି ବାଟଦେଇ, ଲୁଚିଲା ପରି, ବିନା ଘଣ୍ଟ, କାହାଳୀ, ବାଜାରେ ଶ୍ରୀମନ୍ଦିର ଫେରନ୍ତି।’’ ‘ରଥଚକଡ଼ା’ ପୋଥିରେ ଏହି ନୀତି ସଂପର୍କରେ ଗୋଟିଏ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ମିଳେ। ତାହା ହେଉଛି- ଏହି ‘ହେରାପଞ୍ଚମୀ’ ଯାତ୍ରା ମହାରାଜା କପିଳେଶ୍ୱର ଦେବ ଆରମ୍ଭ କରିଥିଲେ। ପୂର୍ବରୁ ମନ୍ତ୍ରୋଚ୍ଚାରଣ ମାଧ୍ୟମରେ ଏହା ସଂପନ୍ନ ହେଉଥିଲା। କପିଳେଶ୍ୱର ଦେବ ଲକ୍ଷ୍ମୀଦେବୀଙ୍କର ସୁବର୍ଣ୍ଣ ପ୍ରତିମା ଗଢ଼ାଇ, ହେରାଗୋହିରୀ ସାହି ବସାଇ, ଏହି ନୀତି କଲେ। ସେଥିରେ ସେତେବେଳେ ପଞ୍ଚପାଣ୍ଡବ (ପଞ୍ଚମହାଦେବ) ସାମିଲ ହେଉଥିଲେ। କିନ୍ତୁ ଏବେ ହେରାପଞ୍ଚମୀ ନୀତିରେ ପଞ୍ଚପାଣ୍ଡବ (ପଞ୍ଚମହାଦେବ) ସାମିଲ ହେଉନାହାନ୍ତି।

-ଅସିତ ମହାନ୍ତି

ସମ୍ବନ୍ଧିତ ଖବର

Leave A Reply

Your email address will not be published.