ବିବାହ ଗଇଣ୍ଠାଳ ଫିଟା ଓ ରସଗୋଲା ଭୋଗ

ନୀଳାଦ୍ରି ବିଜେ ପାଇଁ ରଥ ଉପରେ ପ୍ରସ୍ତୁତ ଶ୍ରୀଜଗନ୍ନାଥ

ପୁରୀର ଶ୍ରୀଜଗନ୍ନାଥ ମନ୍ଦିରରେ ବହୁ ଶତାବ୍ଦୀ ଧରି ‘ନୀଳାଦ୍ରି ବିଜେ’ ଦିନ ମହାଲକ୍ଷ୍ମୀଙ୍କ ମାନଭଞ୍ଜନର ମଧୁର ନୈବେଦ୍ୟ ରୂପେ ରସଗୋଲା ଭୋଗ ଅର୍ପିତ ହୋଇ ଆସୁଛି। ଏ ସଂପର୍କରେ ଶ୍ରୀମନ୍ଦିର ସ୍ୱତ୍ଵଲିପିରେ ମଧ୍ୟ ଉଲ୍ଲେଖ ଅଛି। ଏହାକୁ ଦାମ୍ପତ୍ୟ କଳହର ମଧୁର ପରିଣତି ବୋଲି ଆଖ୍ୟା ଦିଆଯାଇଥାଏ। ନୀଳାଦ୍ରିବିଜେ ନୀତିରେ, ବଡ଼ଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଶ୍ରୀମନ୍ଦିର ପ୍ରବେଶ ଠାରୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ପ୍ରବେଶ ନୀତିରେ ଗୋଟିଏ ଭିନ୍ନତା ଥାଏ। ସ୍ୱତ୍ଵଲିପି ଅନୁସାରେ, ‘‘ବଡ଼ଠାକୁର ଓ ସୁଭଦ୍ରା ପହଣ୍ଡି ହୋଇ ସିଂହାସନକୁ ଆସନ୍ତି। ଆସିଲାବେଳେ ପ୍ରତ୍ୟେକ ଠାକୁରଙ୍କୁ ଶୁଆସାରୀ ଦେଉଳଠାରେ ପତି ମହାପାତ୍ର ଘସା, ବିଡ଼ିଆ ମଣୋହି ଓ ବନ୍ଦାପନା କରନ୍ତି।’’ କିନ୍ତୁ ଶ୍ରୀଜଗନ୍ନାଥ ପହଣ୍ଡି ହୋଇ ଆସିବାବେଳେ ଘସା, ବିଡ଼ିଆ ମଣୋହି ଓ ବନ୍ଦାପନା ସହିତ ‘ଭୋଗ’ ହୁଏ। ଏହି ‘ଭୋଗ’ ହେଉଛି ରସଗୋଲା। ରୁକ୍ମିଣୀ ବିବାହ ସହିତ ଏହାର ସଂପର୍କ ରହିଛି। ଶ୍ରୀମନ୍ଦିରର ପ୍ରଥା ଅନୁସାରେ, ଆଷାଢ଼ କୃଷ୍ଣ ଏକାଦଶୀ ଦିନ ଶ୍ରୀମନ୍ଦିରରେ ରୁକ୍ମିଣୀ ହରଣ ନୀତି ଅନୁଷ୍ଠିତ ହୋଇଥାଏ। ତା’ପରେ ଶ୍ରୀଜଗନ୍ନାଥଙ୍କ ସହ ରୁକ୍ମିଣୀ (ଲକ୍ଷ୍ମୀ)ଙ୍କର ବିବାହ ହୁଏ। ତେଣୁ ସପ୍ତମଙ୍ଗଳା ନଯାଉଣୁ ପଡ଼ିଥାଏ ସ୍ନାନପୂର୍ଣ୍ଣିିମା। ସେଦିନ ସ୍ନାନବେଦୀରେ ସ୍ନାନନୀତି ପରେ ଶ୍ରୀଜଗନ୍ନାଥ ଜରରେ ପଡ଼ନ୍ତି ଏବଂ ୧୫ଦିନ ପରେ ସୁସ୍ଥ ହୋଇ, ଭକ୍ତଙ୍କୁ ନବଯୌବନରେ ଦର୍ଶନ ଦିଅନ୍ତି। ତା’ପରଦିନ ଭାଇ ଓ ଭଉଣୀଙ୍କୁ ନେଇ ବାହାରିଯାଆନ୍ତି ଶ୍ରୀଗୁଣ୍ଡିଚା ଯାତ୍ରାରେ। ତେଣୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସେହି ବିବାହର ଗଇଣ୍ଠାଳ ଫିଟି ନଥାଏ। ତାହା ଫିଟେ ନୀଳାଦ୍ରିବିଜେ ଦିନ। ସେହି ଅବସରରେ ଶ୍ରୀମନ୍ଦିରର ଭଣ୍ଡାରଘର ଠାରେ ଗଇଣ୍ଠାଳ ଫିଟା ନୀତି ଓ ରସଗୋଲା ଭୋଗ ହୋଇଥାଏ। ଏଣୁ ରସଗୋଲା ପାରମ୍ପରିକ ଭାବରେ ନୀଳାଦ୍ରିବିଜେର ନୈବେଦ୍ୟ। ଦେବୀ ଲକ୍ଷ୍ମୀଙ୍କ ମାନଭଞ୍ଜନର ମହୌଷଧି। ତେବେ ତା’ ପୂର୍ବରୁ ‘ଲକ୍ଷ୍ମୀ-ନାରାୟଣ ବଚନିକା’ ବା ଲୋକକଥିତ ଭାଷାରେ ‘ଲକ୍ଷ୍ମୀ-ନାରାୟଣ କଳି’ ହୋଇଥାଏ। ନୀତି ଅନୁସାରେ, ଦେବୀଲକ୍ଷ୍ମୀଙ୍କର ଭେଟମଣ୍ଡପ ଠାରେ ଏବଂ ଶ୍ରୀଜଗନ୍ନାଥଙ୍କର ରଥଉପରେ ଏକା ସମୟରେ ବନ୍ଦାପନା ହେବାପରେ, ଦେବୀ ଲକ୍ଷ୍ମୀ ଭଣ୍ଡାର ଘରକୁ ବିଜେ କରିଥାନ୍ତି। ସ୍ୱତ୍ଵଲିପି ଅନୁସାରେ, ଏହା ପରର ନୀତି ହେଉଛି, ‘‘ଦେବଦାସୀ ଯାଇ ଶ୍ରୀଜଗନ୍ନାଥ ସିଂହଦ୍ଵାରକୁ ଆସିବା ପୂର୍ବରୁ ଦରଜା ବନ୍ଦ କରିଥାନ୍ତି। ମହାପ୍ରଭୁ ସିଂହଦ୍ଵାରକୁ ଆସିଲେ ତାହା ଫିଟାଇ ଦିଅନ୍ତି। ତା’ପରେ ଠାକୁର ଭିତରକୁ ବିଜେ କରନ୍ତି ଏବଂ ଜୟବିଜୟ ଦ୍ଵାରଠାରେ ଦ୍ଵାର ବନ୍ଦ ଥାଏ। ଦଇତାମାନଙ୍କ ମଧ୍ୟରେ ଓ ଦେବଦାସୀମାନଙ୍କ ମଧ୍ୟରେ ବଚନିକା ଆରମ୍ଭ ହୁଏ ଓ ଦେବଦାସୀମାନେ ଦଇତାଙ୍କୁ ଲଣ୍ଡଭଣ୍ଡ କରନ୍ତି।’’ କିନ୍ତୁ ଶ୍ରୀମନ୍ଦିରରୁ ଦେବଦାସୀ ପ୍ରଥା ଲୋପ ପାଇବାପରେ ଏବେ ଦେବୀଲକ୍ଷ୍ମୀଙ୍କ ପକ୍ଷରୁ ମଧ୍ୟ ଏହି ବଚନିକା ଦଇତାପତି ସେବକ କରୁଛନ୍ତି। ଏହାପରେ ଜୟବିଜୟ ଦ୍ଵାର ଫିଟି, ଶ୍ରୀଜଗନ୍ନାଥ ଭିତରକୁ ଯାଆନ୍ତି ଏବଂ ଭଣ୍ଡାରଘରଠାରେ ଗଇଣ୍ଠାଳ ଫିଟା ନୀତି ହୁଏ। କାରଣ ଦେବୀଲକ୍ଷ୍ମୀ ସେହିଠାରେ ବିରାଜମାନ କରିଥାଆନ୍ତି। ସେହିଠାରେ ହିଁ ରସଗୋଲା ଭୋଗ ହୁଏ। ଏହି ରସଗୋଲା ଭିତରଛ ମହାପାତ୍ର ସେବକ ସାତ୍ତ୍ଵିକ ଭାବରେ ନିଜ ଘରୁ ପ୍ରସ୍ତୁତ କରିଆଣି ଭୋଗ କରିଥାଆନ୍ତି। ଏହି ଅବସରରେ ପୁରୀର ରାଘବ ଦାସ ମଠ ପକ୍ଷରୁ ମଧ୍ୟ ଜଗମୋହନଠାରେ ଶ୍ରୀଜଗନ୍ନାଥ ଓ ଶ୍ରୀଦେବୀ (ଲକ୍ଷ୍ମୀ)ଙ୍କୁ ରସଗୋଲା ଭୋଗ ହୋଇଥାଏ। ବଡ଼ଦାଣ୍ଡଠାରେ ସାରାଦିନ ରଥସ୍ଥ ଠାକୁରମାନଙ୍କୁ ମଧ୍ୟ ଭକ୍ତମାନେ ସର୍ପା ମଣୋହି ବିଧିରେ ରସଗୋଲା ଭୋଗ ଅର୍ପଣ କରିଥାଆନ୍ତି। ସାରା ବର୍ଷରେ ଏହି ଗୋଟିଏ ଦିନ ରସଗୋଲା ଭୋଗ ହେଉଥିବାରୁ ଶ୍ରୀମନ୍ଦିରର ଭୋଗ ପରମ୍ପରାରେ ଏହାର ସ୍ଥାନ ସ୍ୱତନ୍ତ୍ର। ଏହା ଶ୍ରୀଜଗନ୍ନାଥଙ୍କ ଶ୍ରୀଗୁଣ୍ଡିଚା ଯାତ୍ରାର ମଧୁର ପରିସମାପ୍ତିର ପ୍ରତୀକ।
-ଅସିତ ମହାନ୍ତି

ସମ୍ବନ୍ଧିତ ଖବର