ରଥ ଖଳା ହାଲଚାଲ : ୪୨ରୁ ସରିଲା ୧୫ ତୁମ୍ବ

ପୁରୀ : ରଥଯାତ୍ରା ଯେତେ ପାଖେଇ ଆସୁଛି ରଥଖଳା ସେତେ ଚଳଚଞ୍ଚଳ ହେବାରେ ଲାଗିଛି। ରଥଖଳାରେ ବିଶ୍ୱକର୍ମା, କରତି, କମାର, ଭୋଇ ସେବକଙ୍କ ସଂଖ୍ୟା ବି ବଢ଼ିଚାଲିଛି। ଆଜି ରଥ ନିର୍ମାଣର ପଞ୍ଚମ ଦିନରେ ବି ତୁମ୍ବକଟା ଜାରି ରହିଥିଲା। ପଞ୍ଚମ ଦିନ ଶେଷ ସୁଦ୍ଧା ୪୨ଟି ତୁମ୍ବରୁ ୧୫ଟି ତୁମ୍ବ କାମ ଶେଷ ହୋଇଛି। ନନ୍ଦିଘୋଷ ରଥର ୬ ତୁମ୍ବ ପ୍ରସ୍ତୁତି ସରିଥିବା ବେଳେ ତର୍ପଦଳନ ରଥର ୬ ଓ ତାଳଧ୍ୱଜ ରଥର ୩ଟି ତୁମ୍ବ କାମ ଶେଷ ହୋଇଛି। ନିୟମାନୁସାରେ ତୁମ୍ବ କାମର ୭ ଦିନ ପରେ ସୂତା ବାଡ଼ିଆ ଓ ବିନ୍ଧ କାମ ଆରମ୍ଭ ହୋଇଥାଏ। ସେହି ଅନୁଯାୟୀ ଆଉ ଗୋଟିଏ ଦିନ ପରେ ପ୍ରସ୍ତୁତ ତୁମ୍ବରେ ସୂତା ବାଡ଼ିଆ ଓ ବିନ୍ଧ କାମ ଆରମ୍ଭ ହେବ ବୋଲି ଜଣାପଡ଼ିଛି। ବିନ୍ଧ କାମ ଶେଷ ହେବା ପରେ ଅର, ପଇ ଖଞ୍ଜା ଏବଂ ସିଙ୍ଗଡ଼ା ବାଡ଼ିଆ କାମ ଆରମ୍ଭ ହେବ। ରଥ ତତ୍ତ୍ଵାବଧାରକ ସୁଦର୍ଶନ ମେକାପ, ରଥ ଅମୀନ ଲକ୍ଷ୍ମଣ ମହାପାତ୍ର, ଭୋଇ ସର୍ଦ୍ଦାର ରବି ଭୋଇ, ନନ୍ଦିଘୋଷ ରଥର ମୁଖ୍ୟ ବିଶ୍ୱକର୍ମା ବିଜୟ ମହାପାତ୍ର, ବଡଠାକୁରଙ୍କ ତାଳଧ୍ୱଜ ରଥର ମୁଖ୍ୟ ବିଶ୍ୱକର୍ମା ନରସିଂହ ମହାପାତ୍ର ଏବଂ ମା ସୁଭଦ୍ରାଙ୍କ ଦର୍ପଦଳନ ରଥର ମୁଖ୍ୟ ବିଶ୍ୱକର୍ମା କୃଷ୍ଣଚନ୍ଦ୍ର ମହାରଣାଙ୍କ ତତ୍ତ୍ୱାବଧାନରେ ରଥ ନିର୍ମାଣ କାମ ଆଗେଇ ଚାଲିଛି।

ସମ୍ବନ୍ଧିତ ଖବର