ରଥ ଖଳା ହାଲଚାଲ : ସରିଲା ଗରଗରା ହଣା

ପୁରୀ : ରଥଖଳାରେ ରଥ ନିର୍ମାଣ କାର୍ଯ୍ୟକୁ ଆଜି ୩୬ ଦିନ ପୂରିଲା। ବିଶ୍ୱକର୍ମାମାନେ ମହାଣ୍ଟ ଓ ଚଉତା କାମକୁ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚାଇଛନ୍ତି। ଆଜିଠାରୁ ଅଖହଣା କାର୍ଯ୍ୟ ଆରମ୍ଭ କରାଯାଇଛି। ଚାରି ନାହାକା କାର୍ଯ୍ୟ ଶେଷ ହେବା ପରେ ଗତ ଦୁଇ ଦିନ ହେଲା ଗରଗରା କାଠ ହଣା କାର୍ଯ୍ୟ ଆରମ୍ଭ କରି ଆଜି ଶେଷ ଅବସ୍ଥାରେ ପହଞ୍ଚିଛି। ଅନ୍ୟପଟେ ତିନି ରଥ ପାଇଁ ୪୨ଟି ଚକ ଆବଶ୍ୟକ ରହିଥିବା ବେଳେ ତିନି ରଥର ଗୋଟିଏ ଲେଖା ରଥ କାର୍ଯ୍ୟ ବାକି ରହିଛି। ଏହା ସହିତ ସୁଭଦ୍ରାଙ୍କ ଦର୍ପଦଳନ ରଥର ଆଉ ଗୋଟିଏ ଚକ ବାକି ରହିଛି। ଆଜି ପାଗ ଅନୁକୂଳ ଯୋଗୁ ରଥଖଳା ବାହାରେ ନନ୍ଦିଘୋଷ ପାଇଁ ୮ଟି, ତାଳଧ୍ୱଜ ପାଇଁ ୭ଟି ଓ ଦର୍ପଦଳନ ପାଇଁ ୬ଟି ୪୦ ଫୁଟିଆ ଅଖ କାଠକୁ ସାଇଜ କରି ହଣାଯାଇଛି। ଅଖ କାର୍ଯ୍ୟ ସରିବା ପରେ ଦଣ୍ଡାହଣା ଅନୁକୂଳ ହେବ ବୋଲି ଜଣାପଡ଼ିଛି। ସେହିପରି ତିନି ରଥ ପାଇଁ ମୋଟ ୪୪ଟି ଯୋକାର ଆବଶ୍ୟକତା ରହିଛି। ନନ୍ଦିଘୋଷ ପାଇଁ ୧୬ଟି, ତାଳଧ୍ୱଜ ପାଇଁ ୧୬ଟି ଏବଂ ଦର୍ପଦଳନ ପାଇଁ ୧୨ଟି ଯୋକା ଆବଶ୍ୟକ ରହିଛି। ନନ୍ଦିଘୋଷ ପାଇଁ ୫ଟି ଯୋକା ହଣା କାର୍ଯ୍ୟ ଶେଷ ହୋଇଛି।

ସମ୍ବନ୍ଧିତ ଖବର