ରଥ ଖଳା ହାଲ୍‌ଚାଲ୍‌ : ଉଠିଲା ଚଉଦ ନାହାକା

ପୁରୀ : ରଥଖଳାରେ ରଥ ନିର୍ମାଣ କାର୍ଯ୍ୟକୁ ଆଜି ଦୁଇ ମାସ ପୂରିଛି। ପ୍ରଥମ ଭୂଇଁ ଓ ଦ୍ଵିତୀୟ ଭୂଇଁ କାମ ଶେଷ ପରେ ମହାରଣା ସେବକମାନେ ଆଜି ତିନି ରଥର ଚଉଦ ନାହାକା ଉଠାଇଛନ୍ତି। ଆଜି ଅପରାହ୍‌ଣରେ ମହାରଣା ସେବକମାନେ ଚଉଦ ନାହାକା ପାଇଁ ଆବଶ୍ୟକ କାଠ ଖଞ୍ଜିଛନ୍ତି। ପ୍ରଥମ ଭୂଇଁ କାମ ଶେଷ ପରେ ଖମ୍ବି ଉଠିଛି। ଖମ୍ବି ସହିତ ଛକାଠ ବି ଉଠାଯାଇଛି। ଆସନ୍ତାକାଲି ଦ୍ଵିତୀୟ ଭୂଇଁ କାଠ ଉଠାଇବାକୁ ମହାରଣା ସେବକମାନେ ଲକ୍ଷ୍ୟ ରଖିଛନ୍ତି। ଢ଼ାଙ୍କ ସଳଖା କାମ ଶେଷ ପରେ ଦ୍ଵିତୀୟ ଭୂଇଁ ଉଠିବ। ଦ୍ଵିତୀୟ ଭୂଇଁ କାମ ଶେଷ ପରେ ପୁଣି ଖଦି ଓରା ପଡ଼ି ଢ଼ାଙ୍କ ସଳଖା ଯାଇ ତୃତୀୟ ଭୂଇଁ କାମ ଉଠିବ। ତୃତୀୟ ଭୂଇଁରେ ଭାରସାମ୍ୟ ରଖିବା ପାଇଁ ଆସନ୍ତାକାଲିଠାରୁ ଢ଼ମକ କଣ୍ଟା ବାଡ଼ିଆ କାମ ଆରମ୍ଭ ହେବ। ଢ଼ମକ କଣ୍ଟା ବାଡ଼େଇ ଭାରସାମ୍ୟ ସଜାଡ଼ିବା ପରେ ତୃତୀୟ ଭୂଇଁ କାମ ଆରମ୍ଭ ହେବ ବୋଲି ଜଣାପଡ଼ିଛି। ସେପଟେ ରୂପକାର ସେବକମାନେ ନିଜ ନିଜ କାମକୁ ପର୍ଯ୍ୟାୟ କ୍ରମେ ଶେଷ କରୁଛନ୍ତି। କମାରଶାଳ ବି ରଥ କଣ୍ଟା ପାଇଁ ତତ୍ପର ହୋଇଉଠିଛି।

ସମ୍ବନ୍ଧିତ ଖବର