ରଥ ଖଳା ହାଲ୍‌ଚାଲ୍‌ : କତରା ଓ ତାଗ ବାଡ଼ିଆ କାମ ଆରମ୍ଭ

ପୁରୀ :ରଥଖଳାରେ ରଥନିର୍ମାଣ କାର୍ଯ୍ୟକୁ ଆଜି ୬୯ ଦିନ ପୂରିଛି। ଏହା ଭିତରେ ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଆଜି ତିନି ରଥ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନରେ କତରା ଓ ତାଗ ବାଡ଼ିଆ କାମ ଆରମ୍ଭ ହୋଇଛି। ଆଜି ତିନି ରଥ ପାଇଁ ୨ଟି ଲେଖା ୬ଟି କତରା କାମ ଶେଷ ହୋଇଛି। ତିନି ରଥ ପାଇଁ ୧୨ଟି ଲେଖା ୩୬ଟି କତରା ସଂଯୋଗ ଆବଶ୍ୟକ ଥିବା ବେଳେ ଆଜି ଦିନ ସୁଦ୍ଧା ତିନି ରଥର ୪ଟି ଲେଖା କତରା କାମ ଶେଷ ହୋଇଛି। ସେପଟେ ତିନି ରଥର କଇଁଚି କାମ ବି ଆରମ୍ଭ ହୋଇଛି। ମୂଳ ଭୂଇଁ ଓ ଅଗ ଭୂଇଁ କଇଁଚି କାମକୁ ମହାରଣା ସେବକ ଓ ଭୋଇ ସେବକମାନେ ଆଗେଇ ନେଇଛନ୍ତି। ଅନ୍ୟପକ୍ଷରେ ତିନି ରଥରେ ପଛ ତାଗ ବାଡ଼ିଆ କାମ ଆରମ୍ଭ ହୋଇଥିବା ବେଳେ ଆଜିଠାରୁ ଦୁଆର କାମ ଆରମ୍ଭ ହୋଇଛି। ନନ୍ଦିଘୋଷ ରଥର ୪ଟି, ତାଳଧ୍ୱଜ ରଥର ୪ଟି ଓ ଦର୍ପଦଳନ ରଥ ୪ଟି ଦୁଆର ଆବଶ୍ୟକ ଥିବା ବେଳେ ଆଜି ତିନି ରଥର ଗୋଟିଏ ଲେଖା ଦୁଆର କାମ ଆରମ୍ଭ ହୋଇଛି। ଗତକାଲିଠାରୁ ତିନି ରଥ ପାଇଁ ଆବଶ୍ୟକ ୧୨ଟି ଚନ୍ଦ୍ରଶାଳି କାମ ସରିଥିବା ବେଳେ ପ୍ରତି ଦୁଆରରେ ଗୋଟିଏ ଲେଖା ଚନ୍ଦ୍ରଶାଳି ସଂଯୋଗ କରାଯିବ। ଦୁଆର କାମ ଶେଷ ପରେ ପରବର୍ତୀ ସମୟରେ ପ୍ରଭା ଓ ଅନ୍ୟାନ୍ୟ କାମ ଆରମ୍ଭ ହେବ।

ସମ୍ବନ୍ଧିତ ଖବର