ରଥ ଖଳା ହାଲଚାଲ : ସରିଲା ଦୁଆର ବେଢ଼ା କାମ

ପୁରୀ :ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମହାପ୍ରଭୁଙ୍କ ତିନି ରଥ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ରଥର ଦୁଆର ବେଢା କାମ ସରିଛି। ଗତକାଲି ପ୍ରତି ରଥର ଦୁଇଟି ଲେଖା ଦୁଆର ବେଢା ସରିଥିବା ବେଳେ ଆଜି ତିନି ରଥର ୪ଟି ଲେଖା ବେଢା କାମ ସରିଛି। ତିନି ରଥର ସିଂହାସନ, ବେଦି କାମ ଚାଲିଛି। ସେହିଭଳି ତିନି ରଥରେ ଧ୍ୱଜାବତା ବାଡିଆ କାମ ମଧ୍ୟ ଶେଷ ହୋଇଛି। ଚିତ୍ରକରମାନେ ଆଜି ତିନି ରଥରେ ଲାଗିବାକୁ ଥିବା ଘୋଡାମାନଙ୍କର ରଙ୍ଗ କାମ ଶେଷ ପର୍ଯ୍ୟାୟରେ ପହଞ୍ଚାଇଛନ୍ତି। ତିନି ରଥର ୧୨ଟି ଘୋଡାର ରଙ୍ଗ କାମ ଶେଷ ହୋଇଛି। ରୂପକାର ସେବକମାନେ ପ୍ରଭା ଖୋଦେଇ କରିଛନ୍ତି। ସେହିଭଳି ରଥ ସାରଥୀଙ୍କ ରଙ୍ଗ କାମ ମଧ୍ୟ ହୋଇଛି। ଅନ୍ୟପକ୍ଷରେ ତିନି ରଥରେ ଲାଗିବାକୁ ଥିବା ରଥକନାର ସିଲେଇ କାମ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଆଗେଇ ଚାଲିଛି। ଦାନ ସୂତ୍ରରେ ମିଳିଥିବା ୧୨୫୦ ମିଟର କନାର ସିଲେଇ କାମ ଦରଜିମାନେ ଆଗେଇ ନେଇଛନ୍ତି। ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ପାଇଁ ୪୨୫ ମିଟର, ବଡ ଠାକୁରଙ୍କ ତାଳଧ୍ୱଜ ରଥର ୪୨୫ ମିଟର ଓ ମା ସୁଭଦ୍ରାଙ୍କ ଦର୍ପଦଳନ ରଥ ପାଇଁ ୪୦୦ ମିଟର ରଥକନାର ସିଲେଇ କାମ ଚାଲିଛି। ଦରଜିମାନେ ବତା, ଦୁଆର ବେଢା, ଚନ୍ଦ୍ରଶାଳି, ଅଁଳାଶ୍ରୀ କାମ କରିଛନ୍ତି।

ସମ୍ବନ୍ଧିତ ଖବର