ରଥ ଖଳା ହାଲଚାଲ : ଆଗେଇ ଚାଲିଛି ଈଶ କାଠ ବିନ୍ଧ

ପୁରୀ : ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ବାକି ଥିବା ଛୋଟବଡ଼ କାମକୁ ମହାରଣା ସେବକ ଓ ଭୋଇ ସେବକମାନେ ଆଗେଇ ନେଇଛନ୍ତି। ମହାରଣା ସେବକମାନେ ଆଜି ବାକି ଥିବା କନକମୁଣ୍ଡି କାମ ଶେଷ କରିଥିବାବେଳେ କଣି ଫାଉଡ଼ି, ଧୂଳି ଦଣ୍ଡା ସହ ଅନ୍ୟାନ୍ୟ କାମକୁ ଶେଷ କରିଛନ୍ତି। ସେପଟେ ଦେବୀ ସିଂହାସନ କାମ ବି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରୂପକାର ସେବକମାନେ ଇଶ କାଠରେ ବିନ୍ଧ କରିବା ଆରମ୍ଭ କରିଛନ୍ତି। ପଟାଗୁଜ ଓ ଅନ୍ୟାନ୍ୟ କାମ ବି ଆଗେଇ ନେଇଛନ୍ତି। ଚିତ୍ରକର ସେବକମାନେ ଇତି ମଧ୍ୟରେ ତିନି ରଥ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ରଥର କଳାଧଳା ଘୋଡ଼ାରେ ରଙ୍ଗଦେବା ଶେଷ କରିଥିବା ବେଳେ ପାର୍ଶ୍ୱ ଦେବାବେଦୀଙ୍କୁ ରଙ୍ଗଦେବା କାର୍ଯ୍ୟକୁ ଶେଷ ପର୍ଯ୍ୟାୟରେ ପହଞ୍ଚାଇଛନ୍ତି। ସେପଟେ ରଥରେ ବି ରଙ୍ଗ କାମ ଆଗେଇ ଚାଲିଛି। କମାର ସେବକମାନେ ବି ଦୋଳବେଦି କମାରଶାଳରେ ଲୌହ ସାମଗ୍ରୀ କାମକୁ ଆଗେଇ ନେଇଛନ୍ତି।

ଆଜି ଶେଷ ରଥ ସମନ୍ଵୟ ବୈଠକ

ପୁରୀ : ଆସନ୍ତାକାଲି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପ୍ରସ୍ତୁତିର ଶେଷ ସମନ୍ଵୟ ବୈଠକ ଅନୁଷ୍ଠିତ ହେବ। ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିବେ। ମୁଖ୍ୟମନ୍ତ୍ରୀଙ୍କ ସହିତ ବିଭିନ୍ନ ବିଭାଗର ପ୍ରାୟ ୭ ଜଣ ମନ୍ତ୍ରୀ ଓ ପୁଲିସ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେବେ। ଆସନ୍ତାକାଲି ପୂର୍ବାହ୍ନ ୧୧ଟା ବେଳେ ସ୍ଥାନୀୟ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ପରିସରରେ ବୈଠକ ଅନୁଷ୍ଠିତ ହେବ।

ବୈଠକରେ ରଥଯାତ୍ରା ପ୍ରସ୍ତୁତିକୁ ନେଇ ସମୀକ୍ଷା କରାଯିବ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ପ୍ରଶାସନ ପ୍ରସ୍ତୁତି ଚୂଡାନ୍ତ କରିଛି। ବୈଠକକୁ ସଫଳ କରିବାକୁ ପ୍ରଶାସନିକ ସ୍ତରରେ ବ୍ୟାପକ ପ୍ରସ୍ତୁତି ମଧ୍ୟ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ବୈଠକକୁ ସଫଳ କରିବା ଓ ଶାନ୍ତିଶୃଙ୍ଖଳାରେ ସାରିବାକୁ ପ୍ରଶାସନ ବ୍ୟାପକ ପ୍ରସ୍ତୁତି କରିଛି। ବୈଠକରେ ଯେମିତି ସେଭଳି କିଛି ଅଭିଯୋଗ ଓ ବଡ ପ୍ରସଙ୍ଗ ନ ଉଠିବ ସେଥି ପାଇଁ ଜିଲ୍ଲା ପ୍ରଶାସନ ସଚେତନ ରହିଛି। ମୁଖ୍ୟମନ୍ତ୍ରୀ ବୈଠକକୁ ସଫଳ କରିବାକୁ ଜିଲ୍ଲା ପ୍ରଶାସନ ଗତ ତିନି ଦିନ ଧରି ଘନ ଘନ ବୈଠକ ଡାକି ସ୍ଥିତି ଅନୁଧ୍ୟାନ କରିଛି। ଜିଲ୍ଲାପାଳ ନିଜେ ସେବାୟତ, ବୁଦ୍ଧିଜୀବୀଙ୍କ ସହିତ ଆଲୋଚନା କରିଛନ୍ତି। ଏହି ବୈଠକରେ ଆଇନ ସମେତ ସାତ ବିଭାଗର ମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି। ଆଜି ଏ ନେଇ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଡି.ଭି ସ୍ୱାମୀ ମଧ୍ୟ ପୁରୀରେ ପହଞ୍ଚି ବିଭାଗୀୟ ଅଧିକାରୀମାନଙ୍କ ଠାରୁ ପ୍ରସ୍ତୁତି ସଂପର୍କରେ ଅବଗତ ହୋଇଛନ୍ତି। ଗତ ୩ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଶେଷ ସମନ୍ଵୟ ବୈଠକ ଧାର୍ଯ୍ୟ ହୋଇଥିଲା। ବୈଠକର ଦିନକ ପୂର୍ବରୁ ସେବାୟତମାନେ ବିଭିନ୍ନ ପ୍ରସଙ୍ଗକୁ ନେଇ ଶ୍ରୀମନ୍ଦିରରେ ପୋଷ୍ଟର ମାରିବାରୁ ହଠାତ ବୈଠକ ବାତିଲ ହୋଇଥିବା ନେଇ ଚର୍ଚ୍ଚା ହୋଇଥିଲା।

ସମ୍ବନ୍ଧିତ ଖବର