ଚଳଚଞ୍ଚଳ ରଥଖଳା, ତିନି ରଥର ଚକଡ଼େରା ଅନୁକୂଳ

ପୁରୀ : ରଥ ନିର୍ମାଣ ପାଇଁ ଚଳଚଞ୍ଚଳ ହୋଇଉଠିଛି ରଥଖଳା। ପ୍ରାରମ୍ଭିକ ପର୍ଯ୍ୟାୟରେ ତୁମ୍ବ, ବିନ୍ଧ, ଅର, ପଇ ଆଦି କାମ ଶେଷ ହେବା ପରେ ଆଜି ଚକଡେରା କାର୍ଯ୍ୟ ଅନୁକୂଳ ହୋଇଛି। ଆଜି ପବିତ୍ର ଭଉଁରୀରେ ମହାପ୍ରଭୁଙ୍କ ଆଜ୍ଞା ମିଳିବା ପରେ ପୂର୍ବ ପ୍ରସ୍ତୁତ ଚକ ସହ ଅଖକୁ ସଂଯୋଗ କରାଯାଇଛି। ଅନୁକୂଳ ପର୍ବରେ ତିନି ରଥର ତିନୋଟି ଚକଡେରା କାମ ଶେଷ ହୋଇଥିବା ବେଳେ ମହାରଣା ସେବକ ଓ ଭୋଇ ସେବକମାନେ ଏହି କାର୍ଯ୍ୟ ସଂପାଦନ କରିଛନ୍ତି। ପର୍ଯ୍ୟାୟକ୍ରମେ ଅନ୍ୟ ସବୁ ଚକଡେରା କାର୍ଯ୍ୟ ଶେଷ ହେବ।

ଅନ୍ୟପଟେ କମାର ସେବକମାନେ ଯୋଖିଆ ବାଡ଼େଇବା କାର୍ଯ୍ୟ ଆଜିଠାରୁ ଅନୁକୂଳ କରିଛନ୍ତି। ପରମ୍ପରା ଅନୁଯାୟୀ, ଆଜି ସକାଳେ ରବି ଭୋଇଙ୍କ ନେତୃତ୍ୱରେ ଭୋଇ ସେବକମାନେ ମହାରଣା ସେବକଙ୍କୁ ଚକ, ଅଖ ଡେରା ସଂପର୍କରେ ଅବଗତ କରିଥିଲେ। ପରେ ଚକ, ଅଖ ଡେରା ହୋଇଥିଲା। ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଆଜ୍ଞାମାଳ ଆସିବା ପରେ ଡେରା ହୋଇଥିବା ଚକରେ ବିଜେ କରାଯାଇଥିଲା। ପୂଜାପଣ୍ଡା ସେବକମାନେ ବିଧି ମୁତାବକ ପୂଜାର୍ଚ୍ଚନା ପରେ ଚକଡେରା କାର୍ଯ୍ୟ ଅନୁକୂଳ ହୋଇଥିଲା। ଏଥି ସହ କମାର ସେବକମାନେ ଦୋଳବେଦି କମାରଶାଳରେ ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ଯୋଖିଆ କଣ୍ଟା ବାଡ଼େଇବା କାମ ଅନୁକୂଳ କରିଥିଲେ। ଏହି ଅବସରରେ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ, ତିନି ରଥର ମୁଖ୍ୟ ବିଶ୍ୱକର୍ମା, ଭୋଇ ସେବକ, ତିନି ରଥର ମୁଖ୍ୟ କମାର ସେବକ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର