ରଥଖଳା : ୩୯ ଚକ, ୬ ଗରଗରା ଶେଷ

ପୁରୀ : ଆଉ ତିନି ଦିନ ପରେ ଶୀତଳଷଷ୍ଠୀ। ଏହି ଦୃଷ୍ଟିରୁ ଆଜି ସୁଦ୍ଧା ସମସ୍ତ ଚକ କାମ ଶେଷ କରିବାକୁ ମହାରଣା ସେବକମାନେ ଲକ୍ଷ୍ୟ ରଖିଛନ୍ତି। ତଥାପି ଖବର ଲେଖା ହେବା ସୁଦ୍ଧା ୪୨ଟି ଚକରୁ ୩୯ଟି ଚକ କାମ ଶେଷ ହୋଇଛି। ବାକି ୩ ଚକ କାମ ରାତି ଭିତରେ ସାରିବାକୁ ମହାରଣା ସେବକମାନେ ଲକ୍ଷ୍ୟ ରଖିଛନ୍ତି। ୩୯ ଚକରୁ ତାଳଧ୍ବଜ ରଥର ୧୩ଟି ଚକ ଶେଷ ହୋଇଛି। ବାକି ଗୋଟିଏ ଚକର ତୁମ୍ବରେ ଅର ସଂଯୋଗ ପୂର୍ବକ ବିଲେଇ ବାଡ଼ିଆ ପରେ ଜନ୍ତାଗାଡ଼ରୁ ରଥଖଳାକୁ ଆସିଛି। ସେଠାରେ ପଇ ସଂଯୋଗ କାର୍ଯ୍ୟ ଆରମ୍ଭ ହୋଇଛି। ଦେବଦଳନ ରଥର ୧୨ଟି ଚକରୁ ୧୧ଟି ଶେଷ ହୋଇଛି। ଶେଷ ଚକର ଅନ୍ତିମ ସ୍ପର୍ଶ ବାକି ରହିଛି। ନନ୍ଦିଘୋଷ ରଥର ୧୬ ଚକରୁ ୧୫ଟି ଚକ କାମ ଶେଷ ହୋଇଛି। ଶେଷ ଚକର ତୁମ୍ବରେ ସିଙ୍ଗଡ଼ାବାଡ଼ିଆ ପରେ ରଥଖଳାରେ ଅରରେ ସାଲ କାର୍ଯ୍ୟ କରାଯାଉଛି। ତିନି ରଥର ୨ଟି ଲେଖାଁଏ ଗରଗରା ପ୍ରସ୍ତୁତ ସରିଛି। ଆଜି ବିନ୍ଧ କାର୍ଯ୍ୟ ଶେଷ ହୋଇଛି। ଆଜିଠାରୁ ତିନି ରଥର ଦଣ୍ଡା ନିର୍ମାଣ କାମ ଆରମ୍ଭ ହୋଇଛି। ତାଳଧ୍ବଜ ରଥର ୯ଟି ଦଣ୍ଡା, ଦେବଦଳନ ରଥର ୭ଟି ଦଣ୍ଡା ଏବଂ ନନ୍ଦିଘୋଷ ରଥର ୯ଟି ଦଣ୍ଡାର ଚାରିପାର୍ଶ୍ବ ସମତୁଲ କରାଯାଉଛି।

ସୂଚନାଯୋଗ୍ୟ, ପ୍ରଥମ ପର୍ଯ୍ୟାୟରେ ଚକ-ଅଖ ଯୋକା, ଦ୍ବିତୀୟ ପର୍ଯ୍ୟାୟରେ ଚକ-ଅଖକୁ ବାନ୍ଧି ରଖିବାକୁ ଦଣ୍ଡା ପକା ଏବଂ ତୃତୀୟ ପର୍ଯ୍ୟା‌ୟରେ ଦଣ୍ଡା ଉପରେ ଗରଗରା ପଡ଼ିବା ପରେ ଚାରିନାହାକା ଉଠିଥାଏ। ଏହାପରେ ପୋଲ ଗୟଳ ରଥର ଉଭୟପାର୍ଶ୍ବରେ ପଡ଼ିବ ଓ ଛନ୍ଦା ଗୟଳ ଲାଗି ହେବ। ଗୟଳକୁ ମୁଣ୍ଡାଇ ରଖିବା ପାଇଁ ଟାଣ ଦିଆଯାଏ। ପ୍ରତି ରଥରେ ୫ ଫୁଟର ୧୧ଟି ଟାଣ ଦିଆଯାଏ। ପରେ ଯୋକା ଲାଗି ଦେବୀ ପଟା ପକାଯାଏ। ଅନ୍ୟପଟେ ରୂପକାର ସେବକମାନେ ଗୁଜ କାମ ୭୫ ଭାଗ ଶେଷ କରି ସାରିଛନ୍ତି। ଦୋଳବେଦୀ ଅସ୍ଥାୟୀ କମାରଶାଳରେ ଓଝା ସେବକମାନେ ଦଣ୍ଡା କଣ୍ଟା ପ୍ରସ୍ତୁତିରେ ଲାଗିଛନ୍ତି।

ସମ୍ବନ୍ଧିତ ଖବର