ରଥ ଖଳା ହାଲଚାଲ : ଆଗେଇ ଚାଲିଛି ଅଖକାମ

ପୁରୀ : ରଥଖଳାରେ ରଥ ନିର୍ମାଣ କାର୍ଯ୍ୟକୁ ଆଜି ୩୭ ଦିନ ପୂରିଥିବା ବେଳେ ତିନିର ରଥର ବିଶ୍ୱକର୍ମାମାନଙ୍କ ନେତୃତ୍ଵରେ ମହାରଣା ସେବକମାନେ ଅଖ କାମକୁ ଆଗେଇ ନେଇଛନ୍ତି। ତିନି ରଥର ୪୨ ଚକ ପାଇଁ ୨୧ ଅଖ ଆବଶ୍ୟକ ଥିବାବେଳେ ଆଜି ସୁଦ୍ଧା ୫ ଅଖ କାମ ସରିଛି। ନନ୍ଦିଘୋଷ ରଥର ୮ ଅଖରୁ ୩ ଅଖ କାମ ସରିଥିବା ବେଳେ ତାଳଧ୍ୱଜ ରଥର ୭ ଅଖରୁ ୨ ଅଖ କାମ ଶେଷ ହୋଇଛି। ସେପଟେ ବିନ୍ଧ କାମ ବି ଆଗେଇ ଚାଲିଛି। ମୁହାଣ୍ଟ, ଚଉତା ବିନ୍ଧ କାମ ମଧ୍ୟ ତ୍ୱରାନ୍ଵିତ ହୋଇଛି। ରୂପକାର ସେବକମାନେ ଗୁଜ କାମ ବି ଶେଷ ପର୍ଯ୍ୟାୟରେ ପହଞ୍ଚାଇଥିବା ବେଳେ ନାଟଗୁଡ଼ୁ ଓ ପଟାଗୁଜ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସେପଟେ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଯେତେ ଆଗେଇ ଚାଲିଛି ସେହି ଅନୁସାରେ ଦୋଳବେଦି କମାରଶାଳରେ ବି ଆବଶ୍ୟକ ଲୌହ କାମ ବଢି ଚାଲିଛି। ପ୍ରାଥମିକ ପର୍ଯ୍ୟାୟରେ ତୁମ୍ବ ଓ ଅରରେ ସଂଯୋଗ ରଖିବା ପାଇଁ ଅରକଣ୍ଟା କାମ ଶେଷ ପରେ କମାର ସେବକମାନେ ଭୂଇଁ ବିଡିଆ, ଦଣ୍ଡାବିଡିଆ, ତିନି ଭୂଇଁ, ପ୍ରଭା, ଚାରସ୍ପର୍ଶ ଆଦି ପାଇଁ ଦଣ୍ଡାକଣ୍ଟା ଓ ପୋଖରିଆ କାମ ଆରମ୍ଭ କରିଥିଲେ। ଆଜିଠାରୁ ଗୟଳ କଣ୍ଟା କାମ ଆରମ୍ଭ ହୋଇଛି। ଯୋଖା, ଗୟଳ, ଚପାକ, ସିଂହାସନ ରାୟ, ମୂଳ କଇଁଚି ଆଦିରେ ଗୟଳ କଣ୍ଟା ଆବଶ୍ୟକ ଥିବାବେଳେ ତିନି ରଥ ପାଇଁ କଣ୍ଟା ପ୍ରସ୍ତୁତିରେ କମାର ସେବକମାନେ ଲାଗି ପଡ଼ିଛନ୍ତି।

ସମ୍ବନ୍ଧିତ ଖବର