କୁଷ୍ଠ ଆକ୍ରାନ୍ତଙ୍କ ଶବ ସାଇକଲରେ ବୋହିବା ଘଟଣା: ଜାତି ସମାଜରେ ମିଶିବା ଓ ଶୁଦ୍ଧିକ୍ରିୟା ପାଇଁ ବନ୍ଧା ପଡ଼ିଲା ରାସନ କାର୍ଡ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ୍‌ ବେହେରାଗୁଡ଼ା ଗାଁରେ ପୁଅର ଶୁଦ୍ଧିକ୍ରିୟା ଓ ସାମାଜିକ ବାସନ୍ଦ ଭୟରେ ମା’ର ରାସନକାର୍ଡ ବନ୍ଧାପଡ଼ିବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ବେହେରଗୁଡ଼ା ଗାଁର ସୁବାସ ଦରୱାନ (୫୦) ଗତ ୧୭ ତାରିଖ ରାତିରେ ପ୍ରାଣ ହରାଇଥିଲେ। ସେତେବେଳେ କୁଷ୍ଠରୋଗୀ ବୋଲି ଘୃଣା କରିବା ସହ ସାମାଜିକ ଲୋକ କିମ୍ବା ଜ୍ଞାତିକୁଟୁମ୍ବ କେହି ଶବ ନେବାକୁ ଆସି ନଥିଲେ। ସମ୍ପର୍କୀୟମାନେ ସାଇକଲରେ ଶବକୁ ଟାଣି ଟାଣି ଶ୍ମଶାନକୁ ନେଇ ଶେଷକୃତ୍ୟ କରିଥିଲେ। ଏବେ ଶୁଦ୍ଧିକ୍ରିୟାରେ ପୁଣି ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଥିଲା। ସାମାଜିକ ଲୋକ ଶୁଦ୍ଧିକ୍ରିୟା କରିବା ଓ ସମାଜରେ ସାମିଲ କରିବା ପାଇଁ ଭୋଜିଭାତ ଦେବାକୁ ମୃତ ସୁବାସ ଦରୱାନଙ୍କ ମା’ ପାର୍ବତୀ ଦରୱାନଙ୍କୁ ତାଗିଦ କରିଥିଲେ। ସାମାଜିକ ବାସନ୍ଦ ଭୟରେ ପାର୍ବତୀ ୬ ହଜାର ଟଙ୍କାରେ ଅନ୍ତୋଦୟ ରାସନ କାର୍ଡକୁ ବନ୍ଧା ପକାଇଥିଲେ। ସୁବାସଙ୍କ ମୃତ୍ୟୁର ୯ମାସ ପୂର୍ବରୁ ତାଙ୍କ ସ୍ତ୍ରୀ ମଧ୍ୟ ଛାଡ଼ି ପଳାଇଥିଲେ। ବର୍ତ୍ତମାନ ପାର୍ବତୀଙ୍କ ପରିବାରରେ ମୃତ ସୁବାସଙ୍କ ଦୁଇପୁଅ ଓ ଜଣେ ଝିଅ ରହିଛନ୍ତି। ସେମାନଙ୍କ ପାଠପଢ଼ା ବି ଏବେ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି। ଶୁଦ୍ଧିକ୍ରିୟା ପାଇଁ ନିଜ ରାସନକାର୍ଡକୁ ବନ୍ଧା ପକାଇବା ପରେ ପରିବାର ଭରଣ ପୋଷଣ ଦୁର୍ବିସହ ହୋଇପଡ଼ିଛି। ଦୁଇ ନାତି ଓ ନାତୁଣୀଙ୍କୁ ନେଇ କେମିତି ଚଳିବେ ବୋଲି ପାର୍ବତୀ ଦୁଃଖର ସହ ପ୍ରକାଶ କରିଛନ୍ତି। ଜିଲ୍ଲା ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ପଦକ୍ଷେପ ନେବାକୁ ସାଧାରଣରେ ଦାବି ହ‌େଉଛି।

ସମ୍ବନ୍ଧିତ ଖବର