ରାସନ୍ କାର୍ଡକୁ ନେଇ ଉଦ୍‌ବେଗ

ଭୁବନେଶ୍ବର : ରାସନ୍‌ କା‌ର୍ଡକୁ ନେଇ ଆଜି ବିଧାନସଭାର ପ୍ରଶ୍ନକାଳରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ଦଳ ମତ ନିର୍ବିଶେଷରେ ବିଧା‌ୟକ ନିଜ ନିଜ ନିର୍ବାଚନମଣ୍ଡଳୀରେ ବହୁ ଯୋଗ୍ୟ ହିତାଧିକାରୀ ରାସନ୍ କାର୍ଡ ପାଇବାରୁ ବଞ୍ଚିତ ହୋଇଛନ୍ତି ବୋଲି ଅଭିଯୋଗ କରିଥିଲେ। ସେମାନଙ୍କ ଆବେଦନ ଦୀର୍ଘ ଦିନ ଧରି ପଡ଼ି ରହିଥିଲେ ମଧ୍ୟ କାର୍ଡ ମିଳୁ ନାହିଁ ବୋଲି କହିଥିଲେ।

କେବେ କାର୍ଡ ମିଳିବ, ସେ ନେଇ ‌େଯାଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ନିର୍ଦ୍ଦିଷ୍ଟ ଭାବେ ଆଶ୍ବାସନା ଦେଇ ପାରି ନ ଥିଲେ। ତେବେ କୌଣସି ଯୋଗ୍ୟ ହିତାଧିକାରୀ ରାସନ୍ କାର୍ଡକୁ ବଞ୍ଚିତ ହେବେ ନାହିଁ ଓ ଏଥି ପାଇଁ ହିତାଧିକାରୀମାନେ ଆବେଦନ କରନ୍ତୁ ବୋଲି ମନ୍ତ୍ରୀ କହିିଥିଲେ।

କଂଗ୍ରେସ ସଭ୍ୟ ସୁରେଶ କୁମାର ରାଉତରାୟଙ୍କ ମୂଳ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ସ୍ବାଇଁ କହିଥିଲେ, ରାଜ୍ୟ ସରକାରଙ୍କ ଦ୍ବାରା ପ୍ରଚଳନ କରାଯାଇଥିବା ନୂଆ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ବର୍ତ୍ତମାନ ସୁଦ୍ଧା ୭ ଲକ୍ଷ ୭୪ ହଜାର ୭ ଶହ ୭୮ ପରିବାରକୁ ସାମିଲ କରାଯାଇଛି। ଏହି ଯୋଜନାରେ ସାମିଲ ହେବାକୁ ଆବେଦନ କରିଥିବା ସମସ୍ତ ଦରଖାସ୍ତଗୁଡ଼ିକ ବିଧିବଦ୍ଧ ଭାବେ ସରକାରଙ୍କ ଦ୍ବାରା ନିର୍ଦ୍ଧାରିତ ମାନଦଣ୍ଡ ଆଧାରରେ ଯାଞ୍ଚ କରାଯାଇ ଯୋଗ୍ୟ ହିତାଧିକାରୀ ପରିବାରଗୁଡ଼ିକୁ ରାସନ୍ କାର୍ଡ ପ୍ରଦାନ କରାଯାଇଛି। ସଭ୍ୟମାନଙ୍କ ଅତିରିକ୍ତ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଆହୁରି କହିଥିଲେ, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍,୨୦୧୩ରେ ୧୯.୬.୨୦୧୯ ସୁଦ୍ଧା ୮୬ ଲକ୍ଷ ୮୨ ହଜାର ୪ ଶହ ୪୪ଟି ପରିବାରଙ୍କୁ ସାମିଲ କରାଯାଇଛି। ଏହି ଯୋଜନାରୁ ବାଦ୍ ପଡ଼ିଥିବା ସମସ୍ତ ଯୋଗ୍ୟ ହିତାଧିକାରୀମାନଙ୍କ ନିମନ୍ତେ ଗ୍ରାମାଞ୍ଚଳ ପାଇଁ ବ୍ଲକ୍ ସ୍ତରରେ ରାସନ୍ କାର୍ଡ ପରିଚାଳନା କେନ୍ଦ୍ରମାନ ଖୋଲାଯାଇଛି। ଏଠାରେ ଆବେଦନ କଲେ ଉପଯୁକ୍ତ ତଦନ୍ତ ଆଧାରରେ ଯୋଗ୍ୟ ବିବେଚିତ ଆବେଦନକାରୀଙ୍କୁ ରାସନ୍ କାର୍ଡ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି। ଏହା ଏକ ନିରନ୍ତର ପ୍ରକ୍ରିୟା ଅଟେ।

ସୁରେଶ ରାଉତରାୟ କହିଥିଲେ, କିଛି ସ୍ଥାନରେ ଥିବା ଆଦିବାସୀ ଓ ହରିଜନ ପଡ଼ାରେ ନିହାତି ଗରିବ ଲୋକ ରହୁଛନ୍ତି। ସେମାନେ ଟିପ ଚିହ୍ନ ବି ଦେଇ ପାରୁ ନାହାନ୍ତି। କିନ୍ତୁ ସେମାନଙ୍କୁ ରାସନ୍ କାର୍ଡ ମିଳି ନାହିଁ। କାର୍ଡ ନ ଥିବାରୁ ସେମାନେ ବାତ୍ୟାରେ ରିଲଫ୍ ପାଇବାରୁ ବି ବଞ୍ଚିତ ହେଉଛନ୍ତି। ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ତାଙ୍କ ନିର୍ବାଚନମଣ୍ଡଳୀରେ ବହୁ ଲୋକ ରାସନ୍ କାର୍ଡ ପାଇବାରୁ ବଞ୍ଚିତ ହୋଇଛନ୍ତି ବୋଲି କହିଥିଲେ। ବିଜେପି ସଭ୍ୟ ମୋହନ ମାଝୀ ବିଭିନ୍ନ ବ୍ଲକ୍‌ରେ ନକଲି କାର୍ଡ ଗଦା ‌େହାଇଛି ବୋଲି ଅଭିଯୋଗ କରିଥିଲେ। ଚୌଦ୍ବାର-କଟକ ବିଧାୟକ ସୌଭିକ୍ ବିଶ୍ବାଳ ତାଙ୍କ ନିର୍ବାଚନମଣ୍ଡଳୀରେ ଦୀର୍ଘ ଦିନ ଆବେଦନ କରିଥିଲେ ବି ହିତାଧିକାରୀମାନଙ୍କୁ କାର୍ଡ ମିଳୁ ନାହିଁ ବୋଲି ଦୃଷ୍ଟି ଆକର୍ଷଣ କରିଥିଲେ। ମନ୍ତ୍ରୀ କହିଥିଲେ, ଯୋଗ୍ୟ ହିତାଧିକାରୀମାନଙ୍କୁ ଆବେଦନ କରିବାକୁ ବିଧାୟକମାନେ ସଚେତନ କରାନ୍ତୁ। ଯଦି ଆବେଦନକୁ ଯାଞ୍ଚ୍ କରାଯାଇ କାର୍ଡ ଦେବାରେ ବିଳମ୍ବ ହେଉଛି, ତାହା ହେଲେ ସେମାନେ ନିର୍ଦ୍ଦିଷ୍ଟ ଭାବେ ଅଭିଯୋଗ ଆଣନ୍ତୁ। ତାହା ଉପରେ ପଦକ୍ଷେପ ନିଆଯିବ।

ସମ୍ବନ୍ଧିତ ଖବର