ବ୍ଲକ୍‌ ଅଧ୍ୟକ୍ଷଙ୍କ ପଞ୍ଚାୟତରେ ରାସନ କାର୍ଡ ଘୋଟାଲା : ସବୁ କୋଠାବାଲାଙ୍କୁ କାର୍ଡ଼

ଫ୍ୟାକ୍ଟି୍ର ମାଲିକ, ସରକାରୀ ଚାକିରିଆ ବି ସାମିଲ୍‌

ଯାଜପୁର/ଦଶରଥପୁର/ବିଂଝାରପୁର : ଯାଜପୁର ଜିଲ୍ଲା ଅନ୍ତର୍ଗତ ବିଂଝାରପୁର ନିର୍ବାଚନମଣ୍ଡଳୀରେ ଗୋଟିଏ ପରେ ଗୋଟିଏ ଦୁର୍ନୀତିର ପର୍ଦ୍ଦାଫାସ୍‌ ହେବାରେ ଲାଗିଛି। ମନରେଗା ଯୋଜନା ଭଳି ରାସନ ସାମଗ୍ରୀକୁ ଥିଲାବାଲା ଲୋକମାନେ କବ୍‌ଜା କରିନେଇଛନ୍ତି। ଖୋଦ୍‌ ବିଂଝାରପୁର ବ୍ଲକ୍‌ ଅଧ୍ୟକ୍ଷଙ୍କ ପଞ୍ଚାୟତରେ କୋଠାଘର ଥିବା ଲୋକ ରାସନକାର୍ଡ ହାତେଇଛନ୍ତି। ଏପରିକି ଫ୍ୟାକ୍ଟ୍ରି ମାଲିକ ଓ ସରକାରୀ ଚାକରିଆ ବି ଏହି ତାଲିକାରେ ରହିଛନ୍ତି।

ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ସିଂହପୁର ପଞ୍ଚାୟତର ଜଗନ୍ନାଥ ସାମଲ। ତାଙ୍କର ୪ ବଖରା କୋଠାଘର ରହିଛି। ସେ ଜଣେ ପେନ୍‌ସନ୍‌ଭୋଗୀ। ମାତ୍ର ତାଙ୍କ ସ୍ତ୍ରୀ ସତ୍ୟଭାମା ସାମଲଙ୍କୁ ଦିଆଯାଇଛି ରାସନ କାର୍ଡ। ସେମିତି କୃଷ୍ଣ ଖିଲାଙ୍କର ୭ ବଖରା କୋଠା ଘର ସହ ଡାକବାଜି ଯନ୍ତ୍ର ବ୍ୟବସାୟ ରହିଛି। ତାଙ୍କ ସ୍ତ୍ରୀ ସୁଧାଲି ଖିଲାରଙ୍କୁ କାର୍ଡ ମିଳିଛି। ଭୀମସେନ ଖିଲାରଙ୍କର ୬ ବଖରା କୋଠା ତାଙ୍କ ସ୍ତ୍ରୀ ଭାରତୀଙ୍କୁ ବି କାର୍ଡ ମିଳିଛି। ଆଶିଷ ରଂଜନ ପ୍ରଧାନଙ୍କର ୨ ମହଲା କୋଠା ଏବଂ ଡାକବାଜିଯନ୍ତ୍ର ବ୍ୟବସାୟ। ସ୍ତ୍ରୀ ନିରୁପମା ପ୍ରଧାନଙ୍କୁ ମିଳିଛି କାର୍ଡ। ସେହିପରି ଗୟାଧର ଦାସଙ୍କର ୬ ବଖରା କୋଠା ଘର ସହ ୩ ଚକିଆ ଗାଡି ରହିଥିବାବେଳେ ତାଙ୍କ ସ୍ତ୍ରୀ ସୀତାସୁନ୍ଦରୀ ଦାସଙ୍କୁ ଫର୍ମ ନଂ ୭୯୮ରେ କାର୍ଡ, ରାମଚନ୍ଦ୍ର ସାହୁଙ୍କର ୨ ମହଲା କୋଠା ସହ ଧାନକୁଟା ମେସିନ୍‌ ରହିଛି। ତାଙ୍କ ସ୍ତ୍ରୀ ଚମ୍ପି ଦେଇଙ୍କୁ କାର୍ଡ। ଦକ୍ଷ ବିଶ୍ୱାଳଙ୍କର ୬ ବଖରା କୋଠା, ତାଙ୍କ ସ୍ତ୍ରୀ ଅମ୍ବିକା ବିଶ୍ୱାଳଙ୍କୁ କାର୍ଡ ଯୋଗାଇ ଦିଆଯାଇଛି। ଭୀମସେନ ପାତ୍ରଙ୍କର ୪ ବଖରା ଘର ସହ ୨ଟି ଅଟୋ ଅଛି। ଅଥଚ ତାଙ୍କ ସ୍ତ୍ରୀ ସବିତା ପାତ୍ରଙ୍କୁ ଫର୍ମ ମିଳିଛି କାର୍ଡ। କୈଳାସ ସାମଲଙ୍କର ୨ ମହଲା କୋଠା, ତାଙ୍କ ସ୍ତ୍ରୀ ମିନତି ସାମଲଙ୍କୁ କାର୍ଡ, ପ୍ରହଲ୍ଲାଦ ପାତ୍ରଙ୍କର ୨ ମହଲା କୋଠା ସହ ଡାକବାଜିଯନ୍ତ୍ର ଅଛି। ତାଙ୍କ ସ୍ତ୍ରୀ ଯମୁନା ପାତ୍ରଙ୍କୁ ପାଇଛନ୍ତି କାର୍ଡ।

ସେହିଭଳି, କୋଠାଘର ଥିବା ପଦ୍ମଲୋଚନ ସାମଲଙ୍କ ସ୍ତ୍ରୀ ପ୍ରିୟମ୍ବଦା, ଦୁର୍ଯ୍ୟୋଧନ ସାହୁଙ୍କର ସ୍ତ୍ରୀ ଭାରତୀ ସାହୁ, କୃଷ୍ଣ ସାହୁଙ୍କ ସ୍ତ୍ରୀ ହୀରାମଣି ସାହୁ, କୁଳମଣି ନାୟକଙ୍କ ସ୍ତ୍ରୀ ଊର୍ମିଳା ନାୟକଙ୍କୁ କାର୍ଡ ଯୋଗାଇ ଦିଆଯାଇଛି। କେଶବ ଚନ୍ଦ୍ର ସାହୁଙ୍କ ସ୍ତ୍ରୀ ସରୋଜିନୀ ସାହୁ, ନଗେନ ସାହୁଙ୍କର ୮ ବଖରା ଘର ସହ ୪ ଚକିଆ ଗାଡି, ଟ୍ରାକ୍ଟର ଏବଂ ଆଇସ୍‌କ୍ରିମ୍‌ ଫ୍ୟାକ୍‌ଟ୍ରି ରହିଥିବା ବେଳେ ତାଙ୍କ ସ୍ତ୍ରୀ ମଞ୍ଜୁଲତା ସାହୁଙ୍କୁ କାର୍ଡ ଦିଆଯାଇଛି। ନରହରି ସାହୁଙ୍କ ସ୍ତ୍ରୀ ପିନ୍ତେଇ, ନିରଂଜନ ସାହୁଙ୍କସ୍ତ୍ରୀ ପାର୍ବତୀ, ଶୁକଦେବ ନାୟକଙ୍କ ସ୍ତ୍ରୀ ସୁପ୍ରଭା, କପିଳ ବେହେରାଙ୍କ ସ୍ତ୍ରୀ ସରୋଜିନୀ ବେହେରା, ଭାଗବତ ସାମଲଙ୍କ ସ୍ତ୍ରୀ ଗୌରୀ ସାମଲଙ୍କୁ ମିଳୁଛି ରାସନ ସାମଗ୍ରୀ। ସୁରେନ୍ଦ୍ର ନାୟକଙ୍କ ସ୍ତ୍ରୀ ମୀନାକ୍ଷୀ ନାୟକ, ଦେବେନ୍ଦ୍ର ନାୟକଙ୍କ ସ୍ତ୍ରୀ ପୂର୍ଣ୍ଣମା ନାୟକ, ବିପିନ ସାମଲଙ୍କ ସ୍ତ୍ରୀ ସୁଧାଂଶୁବାଳା ସାମଲଙ୍କୁ ମିଳିଛି ରାସନ କାର୍ଡ।

କେବଳ ସେତିକି ନୁହେଁ ପେନସନ ଭୋଗୀ ଓ କୋଠାଘର ଥାଇ ଶ୍ରୀଧର ସାହୁଙ୍କ ସ୍ତ୍ରୀ ସାବିତ୍ରୀ ସାହୁ, କରୁଣାକର ନାୟକଙ୍କ ସ୍ତ୍ରୀ ହେମଲତା ନାୟକଙ୍କୁ ମିଳୁଛି ରାସନ ସାମଗ୍ରୀ। ସେପଟେ ଭରତଚନ୍ଦ୍ର ନାୟକ ଜଣେ ସରକାରୀ ଶିକ୍ଷକ ଏବଂ ୮ ବଖରା ଘର ରହିଥିବାବେଳେ ତାଙ୍କ ସ୍ତ୍ରୀ ସୁଧାଂଶୁବାଳା ନାୟକ, ଗଦାଧର ବେହେରାଙ୍କର ୬ ବଖରା କୋଠା ସହ ପୁଅ-ଝିଅ ସରକାରୀ ଚାକିରିଆ ରହିଥିବା ବେଳେ ତାଙ୍କ ସ୍ତ୍ରୀ ବୀଣାପାଣି ବେହେରାଙ୍କୁ ରାସନକାର୍ଡ ଯୋଗାଇ ଦିଆଯାଇଛି। ଶତାଧିକ ଯୋଗ୍ୟ ବ୍ୟକ୍ତି ବାରମ୍ବାର କାର୍ଡ ଖଣ୍ଡେ ପାଇଁ ଆବେଦନ କରୁଥିବାବେଳେ ସେମାନଙ୍କ କଥା କେହି ଶୁଣୁ ନଥିବା ଅଭିଯୋଗ ହୋଇଛି।

ଏ ବିଷୟରେ ବିଂଝାରପୁର ବିଡିଓ ଦାମୋଦର ଖୁଣ୍ଟିଆଙ୍କୁ ପଚାରିବାରୁ ସେ କହିଥିଲେ ଯେ ଏ ସଂକ୍ରାନ୍ତରେ ବିଧିବଦ୍ଧ ତଦନ୍ତ କରାଯିବ। ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର