ଯାଜପୁରରେ ରାସନ ଚାଉଳ ରିସାଇକ୍ଲିଂ, ବର୍ଷ ବର୍ଷର ଚାଉଳ ଡିଲର ଆଣିଲେ କେଉଁଠୁ?

ଡିଲର-ମିଲର-ଟ୍ରାନସପୋର୍ଟରଙ୍କ ମଧୁଚନ୍ଦ୍ରିକା

ଯାଜପୁର: ଯାଜପୁର ରାସନ କେଳେଙ୍କାରୀ ନେଇ ଦିନକୁ ଦିନ ନୂଆ ନୂଆ ତଥ୍ୟ ପଦାକୁ ଆସିବାରେ ଲାଗିଛି। କରୋନା ପାଇଁ ସରକାର ରାସନ ସାମଗ୍ରୀ ସହିତ ହଜାରେ ଟଙ୍କା ସହାୟତା ରାଶି ଦେବା ଯୋଗୁଁ ହିଁ ରାସନ କେଳେଙ୍କାରୀର ଗୁମର ଖୋଲିଛି। ‘ସମ୍ବାଦ’ ଅନୁସନ୍ଧାନ ଟିମ୍ ଏହା ଉପରେ ନଜର ରଖିଥିବାବେଳେ ବିଭିନ୍ନ ବ୍ଲକ୍‌ରେ ଏଥିନେଇ ଲୋକେ ଡିଲର ଓ ଯୋଗାଣ ବିଭାଗକୁ ଘେରିବା ଆରମ୍ଭ କରିଛନ୍ତି। ଯୋଗାଣ ବିଭାଗ ଏହା ଉପରେ ତଦନ୍ତ କରୁଛି ବୋଲି ଅଧିକାରୀ ସଫେଇ ଦେଉଛି। ପ୍ରଶ୍ନ ଉଠୁଛି, ଡିଲରମାନେ ବର୍ଷକର ଶହଶହ କୁଇଣ୍ଟାଲ ଚାଉଳ ଆଣୁଛନ୍ତି କେଉଁଠୁ? ଏହି ଗୁରୁତର ପ୍ରସଙ୍ଗକୁ ଯୋଗାଣ ବିଭାଗ, ଜିଲ୍ଲା ପ୍ରଶାସନ ଏବଂ ପୁଲିସ ଅତି ଚତୁରତାର ସହିତ ଏଡ଼ାଇ ଯାଉଥିବାବେଳେ ରାସନ ଚାଉଳ ରିସାଇକ୍ଲିଂ କରାଯାଉଥିବା ସ୍ପଷ୍ଟ ହେବାରେ ଲାଗିଛି। ଏହି କାରବାରରେ ଡିଲର-ମିଲର-ଟ୍ରାନ୍ସପୋର୍ଟରଙ୍କ ମଧୁଚନ୍ଦ୍ରିକା ପଦାକୁ ଆସିଛି।

ଗତ ୨୦୧୮ ଅକ୍ଟୋବରରୁ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ ବଳରେ ନୂତନ କାର୍ଡଗୁଡ଼ିକ ବ୍ଲକ୍‌ର ଏମଆଇଙ୍କ ଜରିଆରେ ବଣ୍ଟନ କରାଯାଇଥିଲା। କେତେକ ଏମଆଇ କାର୍ଡ ବଣ୍ଟନ ନକରି ଡିଲରଙ୍କୁ ଦେଇଥିଲେ। ଡିଲରମାନେ ସଚେତନ ଲୋକଙ୍କୁ କାର୍ଡ ବଣ୍ଟନ କରି ମଳିମୁ୍ଣ୍ଡିଆ ଲୋକଙ୍କ କାର୍ଡକୁ ନିଜ ନିକଟରେ ରଖି ବର୍ଷ ବର୍ଷ ହେଲା ରାସନ ସାମଗ୍ରୀ ହଡ଼ପ କରିଚାଲିଥିଲେ। ଏବେ କାର୍ଡଧାରୀଙ୍କ ନାମରେ ସରକାର ଦେଇଥିବା ହଜାରେ ଟଙ୍କା ସହାୟତା ରାଶି ଶିକ୍ଷକଙ୍କ ଜରିଆରେ ବଣ୍ଟନ କରାଯିବାରୁ ହିତାଧିକାରୀମାନେ ତାଙ୍କର କାର୍ଡ ହୋଇଛି ବୋଲି ଜାଣିବାକୁ ପାଇଛନ୍ତି। ଜିଲ୍ଲାର ଶତାଧିକ ହିତାଧିକାରୀଙ୍କ କୁଇଣ୍ଟାଲ କୁଇଣ୍ଟାଲ ଚାଉଳ କାଗଜପତ୍ର‌ରେ ବଣ୍ଟନ ହେଉଥିଲା। ଚାଉଳ ଗୋଦାମରୁ ମିଲକୁ ଯାଇ ଅଖା କେବଳ ବଦଳ ହେଉଥିଲା। ଡିଲର- ଏମ୍‌ଆଇ- ଟ୍ରାନସପୋର୍ଟର- ମିଲରଙ୍କ ଦ୍ବାରା ରାସନ ଚାଉଳ ରିସାଇକ୍ଲିଂ ଚାଲିଛି। କେତେକ ନିର୍ଦ୍ଦିଷ୍ଟ ମିଲ୍‌ରେ ଅଖା ପରିବର୍ତ୍ତନ କରାଯାଇ ଅସାଧୁ ମେଣ୍ଟ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରିଚାଲିଛନ୍ତି। ମାସ ମାସର ରାସନ ସାମଗ୍ରୀ ଏକକାଳୀନ ବଣ୍ଟନ କରିଥିବା ଡିଲରଙ୍କୁ ଭିଜିଲାନସ ତଦନ୍ତ ପରିସରଭୁକ୍ତ କରାଗଲେ ବହୁ ଗୁପ୍ତ ତଥ୍ୟ ପଦାକୁ ଆସିପାରନ୍ତା। ଏହି କାରବାରରେ ଜିଲ୍ଲାସ୍ତରୀୟ ଏକାଧିକ ଅଧିକାରୀଙ୍କ ସଂପୃକ୍ତିକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।

ଦଶରଥପୁର, ଧର୍ମଶାଳା, କୋରେଇ ବ୍ଲକ୍‌ରେ ରାସନ କେଳେଙ୍କାରୀ ଖବର ‘ସମ୍ବାଦ’ରେ ବାରମ୍ବାର ପ୍ରକାଶ ପାଇବା ସତ୍ତ୍ବେ ଜିଲ୍ଲା ପ୍ରଶାସନ ଓ ଯୋଗାଣ ବିଭାଗର ଅଧିକାରୀ ଆଖି, କାନ, ପାଟି ବନ୍ଦ କରି ବସିଛନ୍ତି। ଆଜି ରସୁଲପୁର ଜାଲପଡ଼ା ପଞ୍ଚାୟତରେ ମଧ୍ୟ ରିଲିଫ ଚାଉଳ ହଡ଼ପ ପ୍ରତିବାଦରେ ଲୋକମାନେ ଘେରାଉ କରିଥିଲେ। ଏହିପରି ଭାବେ ଥାନା ଓ ଯୋଗାଣ ବିଭାଗରେ ମଧ୍ୟ ଲୋକମାନେ ଅଭିଯୋଗ କରୁଥିଲେ ହେଁ କ‌ାର୍ଯ୍ୟାନୁଷ୍ଠାନ ନାହିଁ। ଥାନାରେ ଏତଲା ସତ୍ତ୍ବେ ପୁଲିସର ନିରବତା ବିସ୍ମିତ କରିଛି। ଜିଲ୍ଲା ପ୍ରଶାସନର କେତେକ ଉଚ୍ଚ ଅଧିକାରୀଙ୍କ ପ୍ରୋତ୍ସାହନରେ ରାସନ କେଳେଙ୍କାରୀ ଜିଲ୍ଲାରେ ଚାଲିଛି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର