ହେଲିକପ୍ଟରରେ ପୁଲିସ କ୍ୟାମ୍ପକୁ ଯିବ ରାସନ୍‌  

ଚିତ୍ରକୋଣ୍ଡାରେ କମ୍ବିଂ ଜୋରଦାର: ଏସପି

ମାଲକାନଗିରି : ପୁଲିସ କ୍ୟାମ୍ପକୁ ରାସନ ନେଇ ଯାଉଥିବା ବୋଟକୁ ମାଓବାଦୀ ଲୁଟ୍‌ କରିବା ପରେ ବିକଳ୍ପ ପଥ ବାଛିବାକୁ ବାଧ୍ୟ ହୋଇଛି ପୁଲିସ। ପୂର୍ବଭଳି ଆଉ ଜଳପଥରେ ରାସନ ପରିବହନ ହେବନାହିଁ। ଆକାଶ ମାର୍ଗରେ କୁନ୍ତୁରପଦର ପୁଲିସ କ୍ୟାମ୍ପକୁ ପଓ୍ଵନହଂସ ହେଲିକପ୍ଟର ଯୋଗେ ରାସନ୍‌ ଯିବ ବୋଲି ମାଲକାନଗିରି ଏସ୍‌ପି ଜଗମୋହନ ମୀନା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।

ପ୍ରକାଶ ଥାଉକି ଗତ ସପ୍ତାହରେ ମାଓବାଦୀ କୁନ୍ତୁରପଦର ପୁଲିସ କ୍ୟାମ୍ପକୁ ଏକ ବୋଟ୍‌ ଯୋଗେ ରାସନ ସାମଗ୍ରୀ ଯାଉଥିବା ବେଳେ ତୋଟାପଦର ଗ୍ରାମ ନିକଟରେ ବୋଟକୁ ମାଓବାଦୀ ଲୁଟି ନେଇଥିଲେ। ଘଟଣା ପରେ ସ୍ଥାନୀୟ ଲୋକେ ଭବିଷ୍ୟତରେ ଆଉ ପୁଲିସର କୌଣସି ସାମଗ୍ରୀ ବୋଟରେ ନେବେ ନାହିଁ ବୋଲି ମନା କରି ଦେଇଥିଲେ। ତେଣୁ ବିକଳ୍ପ ଉପାୟ ଭାବେ ପୁଲିସ ପ୍ରଶାସନ ଏଭଳି ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛି।

ସେହିପରି ମାଓବାଦୀଙ୍କ ସମ୍ଭାବ୍ୟ ଆକ୍ରମଣକୁ ଏଡାଇବା ପାଇଁ କମ୍ବିଂ ଅପରେସନକୁ ଜୋରଦାର କରାଯିବା ସହ ସମସ୍ତ ପଦକ୍ଷେପ ନିଆଯାଇଛି ବୋଲି ଏସ୍‌ପି ପ୍ରକାଶ କରିଛନ୍ତି। ଆଜି ଚିତ୍ରକୋଣ୍ଡା ସ୍ପିଲୱେ ଘାଟରେ ମାଓବାଦୀ ଜଣକୁ ଗୁଳି କରି ହତ୍ୟା କରିଥିବା ବିଷୟକୁ ଏସପି ସ୍ୱୀକାର କରିବା ସହ ତଦନ୍ତ ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି। ଚିତ୍ରକୋଣ୍ଡାକୁ ସଂପୂର୍ଣ୍ଣ ରୂପେ ସିଲ୍‌ କରାଯିବା ସହ କମ୍ବିଂକୁ ଜୋରଦାର କରାଯାଇଛି ବୋଲି ସୂଚନା ଦେଇଛନ୍ତି। ଅପରପକ୍ଷରେ ଜିଲ୍ଲାରେ କ୍ରମାଗତ ଭାବେ ମାଓବାଦୀ ଅଘଟଣ ଘଟାଇ ଚାଲିଥିବା ବେଳେ ଏହା ପୁଲିସ ପାଇଁ ଚ୍ୟାଲେଞ୍ଜ ହୋଇଛି।

ସମ୍ବନ୍ଧିତ ଖବର