ଶେଷ ହେଲା ରତ୍ନଭଣ୍ଡାର ଯାଞ୍ଚ, ୧୬ଜଣିଆ ପ୍ରତିନିଧି ଦଳର ରିପୋର୍ଟକୁ ଅପେକ୍ଷା

ପୁରୀ :  ଶେଷ ହୋଇଛି ରତ୍ନଭଣ୍ଡାର ଯାଞ୍ଚ। ଏହି କାର୍ଯ୍ୟରେ  ନିୟୋଜିତ ୧୬ଜଣିଆ ପ୍ରତିନିଧି ଦଳ ଯାଞ୍ଚ କରି ଫେରିଛନ୍ତି। ତେବେ ଯାଞ୍ଚ ସମୟରେ କୋର କମିଟି ସଦସ୍ୟ ବି.ସି.ମିତ୍ର ଝୁଣ୍ଟି ପଡ଼ି ଅାହତ ହୋଇଛନ୍ତି। ପୁରୀ ପୁଲିସ୍ ଅଧୀକ୍ଷକ ସାର୍ଥକ ଷଡ଼ଙ୍ଗୀ ଗାମୁଛା ପିନ୍ଧି ନ ଥିବାରୁ  ଭିତରକୁ ଯାଇ ନାହାନ୍ତି।  କାର୍ଯ୍ୟ ସଂପାଦନ କାଳରେ ପୁଲିସ ପୋଷାକ ପିନ୍ଧିବା ନିୟମ ଥିବାରୁ ସେ ନାଟମଣ୍ଡପ ନିକଟରେ ରହିଥିଲେ।  ଏହି ଦଳ ଭଣ୍ଡାରଘରର ସ୍ଥିତି ଯାଂଚ କରିଛନ୍ତି। ଭଣ୍ଡାରର ଭିତ୍ତିଭୂମି ( ଛାତ, କାନ୍ଥ ଓ ଚଟାଣ) କିଭଳି ରହିଛି ତାହା ଯାଞ୍ଚ କରାଯାଇଛି। ବର୍ତ୍ତମାନ ଶ୍ରୀମନ୍ଦିରର ମୁଖ୍ୟପ୍ରଶାସକଙ୍କ ଅଧ୍ୟକ୍ଷତାରେ ଯାଞ୍ଚ ଦଳର ବୈଠକ ଅାରମ୍ଭ  ହୋଇଛି। ଏହି ବୈଠକ ପରେ ଯାଞ୍ଚ ରିପୋର୍ଟ ପ୍ରସ୍ତୁତ ହୋଇଛି। ଶ୍ରୀମନ୍ଦିର ଭିତରେ ହିଁ  ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଗୁରୁବାର ହାଇକୋର୍ଟରେ ଏହି ରିପୋର୍ଟ ଦାଖଲ କରାଯିବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ କି ରତ୍ନ ଭଣ୍ଡାର ଖୋଲିବା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା।  ପୁଲିସ ସହ ଦମକଳ ବାହିନୀ, ଓଡ୍ରାଫ୍ ଟିମ୍, ବମ୍ ସ୍ବାର୍ଡ ଏବଂ ସ୍ନେକ ହେଲ୍ପଲାଇନ୍ ମଧ୍ୟ ସଜାଗ ଥିଲେ। ଓଡ୍ରାଫ୍ ଟିମ୍ ଏଲଇଡି ଲାଇଟ ଯୋଗାଇବା ସହ ଅନ୍ୟ ପରିସ୍ଥିତିର ମୁକାବିଲା ଲାଗି ମୁତୟନ ହୋଇଥିଲା। ୧୯୮୪ ପରେ ଭିତର ଭଣ୍ଡାରଘର ଖୋଲା ଯାଇ ନ ଥିବାରୁ କବାଟରେ ପଡ଼ିଥିବା ତାଲା ଖୋଲିବା ନେଇ ଅସୁବିଧା ହେବା ଆଶଙ୍କା ଥିବାରୁ କଟର ବ୍ୟବସ୍ଥା କରାଯାଇଥିଲା।

ଏହି ୧୬ ଜଣିଆ ଟିମ୍ ମନ୍ଦିରରେ ପ୍ରବେଶ କରିବା ପରେ ବେହରଣ ଦ୍ଵାର ପାଖରେ ମନ୍ଦିର ପ୍ରଶାସନ ଗାମୁଛା ପ୍ରଦାନ କରିଥିଲା । ଭଣ୍ଡାର ଖୋଲିବାକୁ ମନୋନୀତ ପ୍ରତିନିଧିମାନଙ୍କୁ ତିନି ଥର ଯାଞ୍ଚ୍ କରାଯାଇଥିଲା। ପ୍ରତିନିଧି ଦଳଙ୍କୁ ପ୍ରଥମେ ମେଟାଲ ଡିଟେକ୍ଟର ସାହାଯ୍ୟରେ ଯାଞ୍ଚ୍ କରାଯିବା ପରେ ବେହରଣ ଦ୍ଵାର ପାଖରେ ଗାମୁଛା ପିନ୍ଧିବା ପରେ ପୁଣିଥରେ ଯାଞ୍ଚ କରାଯାଇଥିଲା। ଯାଞ୍ଚ ପରେ ସେମାନେ ଜଗମୋହନ ଭିତରେ ପ୍ରବେଶ କରିଥିଲେ ।

ସମ୍ବନ୍ଧିତ ଖବର