ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ : ଗର୍ଜୁଥିଲେ, ତଦନ୍ତ ବେଳେ ପଛଘୁଞ୍ଚା

ପୁରୀ : ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣା ପ୍ରସଙ୍ଗକୁ ନେଇ ଓଡ଼ିଶା ପଡିଲା ଉଠିଲା। ପୁରୀର ସେବାୟତଙ୍କ ଠାରୁ ଆରମ୍ଭ କରି ତତ୍କାଳୀନ ଶ୍ରୀମନ୍ଦିର ପ୍ରଶାସକ, ରାଜନୈତିକ ନେତା ସମସ୍ତେ ଗର୍ଜିଲେ, ପୁଳା ପୁଳା ତଥ୍ୟ ରଖିଲେ ଗଣମାଧ୍ୟମ ସାମ୍ନାରେ। ସ୍ଥିତି ଏମିତି ହେଲା ଯେ ସରକାର ବାଧ୍ୟବାଧକତାରେ ତଦନ୍ତ କମିସନ ଗଠନ କଲେ। କିନ୍ତୁ ଏହା ପଛର ଆନ୍ତରିକତା ଏବେ ସାମ୍ନାକୁ ଆସିଛି।

ରାଜ୍ୟ ସରକାର ନିଯୁକ୍ତି କରିଥିବା ଜଷ୍ଟିସ ରଘୁବୀର ଦାସ ତଦନ୍ତ କମିସନଙ୍କ ନିକଟରେ ଶ୍ରୀମନ୍ଦିର ଚାବି ହଜିବା ଘଟଣା ସଂକ୍ରାନ୍ତରେ ମାତ୍ର ୪ଟି ସତ୍ୟପାଠ ଦାଖଲ ହୋଇଛି। କମିସନ ଆଜି ପୁରୀକୁ ଶୁଣାଣି ପାଇଁ ଆସି ଉଦ୍‌ବେଗ ପ୍ରକାଶ କରି କହିଛନ୍ତି, ଦାଖଲ ହୋଇଥିବା ସତ୍ୟପାଠରେ କିଛି ବି ତଥ୍ୟପ୍ରମାଣ ନାହିଁ। ଆହୁରି ଚାଞ୍ଚଲ୍ୟକର କଥା ହେଲା, ଖୋଦ୍‌ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ମଧ୍ୟ ଏଯାଏ ସତ୍ୟପାଠ ଦାଖଲ କରିନାହାନ୍ତି।

ପରିଣାମ ହେଲା, ଜଷ୍ଟିସ ଦାସ ଆଜି ତଦନ୍ତ ନ କରି ଫେରିଯାଇଛନ୍ତି। କେବଳ ସେତିକି ନୁହେଁ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ ପ୍ରମୁଖଙ୍କ ଉପରେ କମିସନ ବିରକ୍ତି ପ୍ରକାଶ କରିବା ସହ ସତ୍ୟପାଠ ଜରିଆରେ ତଥ୍ୟପ୍ରମାଣ ଦେବାକୁ ନିର୍ଦେଶ ଦେଇଛନ୍ତି। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନକୁ ଅଗଷ୍ଟ ୭ ପର୍ଯ୍ୟନ୍ତ ସମୟ ଦିଆଯାଇଛି। ସେହିଦିନ କଟକସ୍ଥିତ କମିସନ୍‌ଙ୍କ କାର୍ଯ୍ୟାଳୟଠାରେ ପୁନର୍ବାର ଶୁଣାଣି ହେବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ ଓ ଅନ୍ୟମାନଙ୍କୁ ଉପସ୍ଥିତ ରହିବାକୁ ନିର୍ଦେଶ ଦିଆଯାଇଛି।

ପୂର୍ବ ନିର୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଚାବି ହଜିବା ଘଟଣାର ତଦନ୍ତ ପାଇଁ ଆଜି ଜଷ୍ଟିସ୍‌ ରଘୁବୀର ଦାସ ଓ ଅନ୍ୟମାନେ ପୁରୀ ଆସିଥିଲେ। ସକାଳ ସାଢ଼େ ୯ଟାରେ କମିସନ୍‌ ଶ୍ରୀମନ୍ଦିରଠାରେ ପହଞ୍ଚି ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଚାବି ହଜିବା ଘଟଣାର ଶୁଣାଣି ପାଇଁ ପୁରୀ ସର୍କିଟ୍‌ ହାଉସ୍‌କୁ ଯାଇଥିଲେ। ପୂର୍ବାହ୍ଣ ୧୧ଟାରେ ସର୍କିଟ୍‌ ହାଉସ୍‌ର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ଶୁଣାଣିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର, ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ଵାଲ୍‌, ଆରକ୍ଷୀ ଅଧୀକ୍ଷକ ସାର୍ଥକ୍‌ ଷଡ଼ଙ୍ଗୀ, ଅତିରିକ୍ତ ଜିଲ୍ଲାପାଳ ବିଭୂତି ଭୂଷଣ ଦାସ, ଉପଜିଲ୍ଲାପାଳ ଭବତାରଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଏହାବାଦ୍‌ ଚାବି ହଜିବା ପ୍ରସଙ୍ଗରେ କମିସନ୍‌ଙ୍କ ନିକଟରେ ସତ୍ୟପାଠ ଦାଖଲ କରିଥିବା ଶ୍ରୀଜଗନ୍ନାଥ ସେନାର ଆବାହକ ତଥା ଆଇନଜୀବୀ ପ୍ରିୟଦର୍ଶନ ପଟ୍ଟନାୟକ ବି ଉପସ୍ଥିତ ଥିଲେ।

ଶ୍ରୀ ପଟ୍ଟନାୟକଙ୍କ ସତ୍ୟପାଠ ଉପରେ ଆଲୋଚନା ପରେ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ସହ ଜଷ୍ଟିସ୍‌ ଦାସ ଆଲୋଚନା କରିଥିଲେ। କିନ୍ତୁ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ କମିସନ୍‌ଙ୍କ ନିକଟରେ ସେପରି ତଥ୍ୟପ୍ରମାଣ ଉପସ୍ଥାପନ କରିପାରି ନଥିଲେ। ମୌଖିକ ଭାବେ କମିସନ୍‌ଙ୍କୁ ତଥ୍ୟପ୍ରମାଣ ଦେବାକୁ ଚେଷ୍ଟା କରିଥିଲେ। ପ୍ରଶାସନର ଏଭଳି ଆଭିମୁଖ୍ୟ ଆଜି କମିସନଙ୍କୁ ଅସନ୍ତୁଷ୍ଟ କରିଥିଲା। ବହୁ ପୂର୍ବରୁ ଏହା ଉପରେ ବିଜ୍ଞପ୍ତ ପ୍ରକାଶ ସରିଥିବା ଓ ତାରିଖ ଚୂଡ଼ାନ୍ତ ହୋଇ ସାରିଥିଲେ ବି କାହିଁକି ପ୍ରସ୍ତୁତ ହୋଇ ଆସିନାହଁ ବୋଲି କମିସନ୍‌ ଅଧିକାରୀମାନଙ୍କୁ ପ୍ରଶ୍ନ କରିଥିଲେ। ଅନ୍ୟପକ୍ଷରେ ପ୍ରଶାସନ ଯୁକ୍ତି ରଖିଥିଲା ଯେ ରଥଯାତ୍ରାରେ ବ୍ୟସ୍ତତା କାରଣରୁ ତଥ୍ୟ ପ୍ରମାଣ ଉପସ୍ଥାପନ କରାଯାଇପାରୁନାହିଁ।

ସମ୍ବନ୍ଧିତ ଖବର