ତଥାପି ଥମୁନି ବିବାଦ, ବୟାନବାଜି ଜାରି : ଜିଲ୍ଲାପାଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ଜୋର ଧରିଲା

ଭୁବନେଶ୍ୱର : ଭିତର ରତ୍ନଭଣ୍ଡାର ଚାବି ମିଳିବା ପ୍ରସଙ୍ଗକୁ ନେଇ ବିବାଦ ଥମିବା ପରିବର୍ତେ ବଢିଲାଣି। ବିରୋଧୀ ଏହି ପ୍ରସଙ୍ଗରେ ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ଵାଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିବା ସହିତ ସରକାରଙ୍କୁ ଘେରିଛନ୍ତି। ପୂର୍ବରୁ ଚାବି ମିଳୁନଥିବା ସଂପର୍କରେ କହୁଥିବା ଜିଲ୍ଲାପାଳ କେମିିତି ଚାବି ପାଇଲେ ବୋଲି ପ୍ରଶ୍ନ କରି ଜବାବ ମାଗିଛନ୍ତି।

ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଏହି ପ୍ରସଙ୍ଗରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଟ୍ଵିଟ୍‌ କରି ଏହି ପ୍ରସଙ୍ଗ ଭିତରକୁ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଟାଣିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି, ଇତିହାସରେ କଳାପାହାଡର ଶ୍ରୀମନ୍ଦିର ଉପରେ ଆକ୍ରମଣ ପ୍ରସଙ୍ଗ ଓଡ଼ିଆ ଜାତିର ଭାବପ୍ରବଣତାକୁ ଅପମାନିତ କରିଥିଲା। ଆଜି ଦିନରେ ରତ୍ନଭଣ୍ଡାର ଯେତେବେଳେ ସଙ୍କଟରେ ସେତେବେଳେ କେଉଁ କଳାପାହାଡ ମାନସିକତା ମୁଖ୍ୟମନ୍ତ୍ରୀଙ୍କୁ ନିରବ ରହିବା ପାଇଁ ବାଧ୍ୟ କରିଛି, ତାହା ଓଡ଼ିଆ ଜାତିକୁ ବ୍ୟସ୍ତ ବିବ୍ରତ କରୁଛି। ଚାବି ହଜିବା ପ୍ରସଙ୍ଗ ଆଜି ସାଢେ ଚାରି କୋଟି ଓଡ଼ିଆଙ୍କ ସହିତ ବିଶ୍ୱର ଶ୍ରୀଜଗନ୍ନାଥ ପ୍ରେମୀଙ୍କୁ ଆନ୍ଦୋଳିତ କରୁଛି।

ଶ୍ରୀ ପ୍ରଧାନ କହିଛନ୍ତି, ମୁଖ୍ୟ ପ୍ରଶାସକ କିଏ ହେବ ତାହା ସରକାରଙ୍କ ପ୍ରଶାସନିକ ଅଧିକାର। ମାତ୍ର ରତ୍ନଭଣ୍ଡାର ଚାବି ହଜିବା ଓ ରତ୍ନଭଣ୍ଡାର ଧନ ସଂପତ୍ତିର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ମୁଖ୍ୟ ପ୍ରଶାସକଙ୍କ ଅଚାନକ ବଦଳି ସାଧାରଣ ଲୋକଙ୍କ ଠାରୁ ତଥ୍ୟ ଲୁଚାଇ ରଖିବାର ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ହୋଇପାରେ। ମୁଖ୍ୟ ପ୍ରଶାସକ ବଦଳି ହେବା ପରେ ଚାବି ମିଳିବା, ମହାପ୍ରଭୁଙ୍କ ରତ୍ନଭଣ୍ଡାରର ସୁରକ୍ଷା ନେଇ ଶ୍ରୀଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ସନ୍ଦେହ ବଢାଇ ଦେଇଛି। ରତ୍ନଭଣ୍ଡାର ଚାବି ନେଇ ଜିଲ୍ଲାପାଳ ଓ ଆଇନମନ୍ତ୍ରୀଙ୍କ ବୟାନରେ ତାଳମେଳ ରହୁନଥିବା ଅଭିଯୋଗ ଆଣିଛନ୍ତି କେନ୍ଦ୍ରମନ୍ତ୍ରୀ।

ଏପଟେ ରତ୍ନଭଣ୍ଡାର ଚାବି ପ୍ରସଙ୍ଗରେ ଆଇନମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, ତଦନ୍ତ କମିସନ ରିପୋର୍ଟ ଆସିବା ପରେ ଏହା କେଉଁ ଚାବି ତାହା ସ୍ପଷ୍ଟ ହୋଇଯିବ।

ପୂର୍ବତନ ଆଇନମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନ କହିଛନ୍ତି, ଡୁପ୍ଲିକେଟ ଚାବି କଥା ସେ ଆଇନମନ୍ତ୍ରୀ ଥିବା ବେଳେ ମଧ୍ୟ ଶୁଣିନାହାନ୍ତି। ଏପରିକି ଡୁପ୍ଲିକେଟ ଚାବି କଥା ଶ୍ରୀମନ୍ଦିର ଆଇନରେ କେଉଁଠି ଉଲ୍ଲେଖ ଥିବା କଥା ସେ ଜାଣିନାହାନ୍ତି। ଟ୍ରେଜେରିରେ ଯେଉଁ ଚାବି ରହିବା କଥା ତାହା ରେକର୍ଡ଼ ରୁମକୁ କିଭଳି ଆସିଲା ସେ ନେଇ ଶ୍ରୀ ହରିଚନ୍ଦନ ପ୍ରଶ୍ନ କରିବା ସହିତ ଏହି ଚାବି ଅସଲି ନା ନକଲି ବୋଲି ପଚାରିଛନ୍ତି।

ବିଜେପି ନେତା ବିଜୟ ମହାପାତ୍ର ମଧ୍ୟ ଗଣମାଧ୍ୟମ ସାମ୍ନାରେ ନିଜ ମତ ରଖି ଜିଲ୍ଲାପାଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। କହିଛନ୍ତି, ରତ୍ନଭଣ୍ଡାର ଭଳି ଅତି ଗୁରୁତ୍ୱପୂର୍ଣ୍ଣ ଓ ଭକ୍ତଙ୍କ ଭାବାବେଗ ସହ ଜଡିତ ପ୍ରସଙ୍ଗ ହଠାତ୍‌ ବିବାଦ ଘେରକୁ ଆସିଗଲା, ଯେତେବେଳେ ଚାବି ଟ୍ରେଜେରିରେ ନାହିଁ ବୋଲି ପ୍ରଶାସନ କହିଲା। ଏବେ ପୁଣି ରେକର୍ଡ ରୁମରେ ଚାବି ମିଳିଲା ବୋଲି ଘୋଷଣା କରାଯାଉଛି।

ଶ୍ରୀ ମହାପାତ୍ର ଆହୁରି କହିଛନ୍ତି, ମିଳିଥିବା ଚାବି ଯଦି ରତ୍ନଭଣ୍ଡାରର ହୋଇଥିବ ତେବେ ଏହା ନିଶ୍ଚିତ ଭାବେ ଏକ ଆଶ୍ୱସ୍ତି କର କଥା। କିନ୍ତୁ ଜିଲ୍ଲାପାଳଙ୍କର ଦାୟିତ୍ୱହୀନ ବିବୃତି ଆଦୌ ଗ୍ରହଣୀୟ ନୁହେଁ। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ।

ସେହିଭଳି କଂଗ୍ରେସ ମଧ୍ୟ ଜିଲ୍ଲାପାଳଙ୍କୁ ରତ୍ନଭଣ୍ଡାର ଚାବି ବିବାଦ ଭିତରକୁ ଟାଣିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ଦାୟିତ୍ୱହୀନ ଭଳି କାମ କରୁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଜଗନ୍ନାଥ ସେନା କହିଛି, ରତ୍ନଭଣ୍ଡାରର ଡ଼ୁପ୍ଲିକେଟ ଚାବି ତିଆରି ହୋଇପାରିବ ନାହିଁ ବୋଲି ଆଇନ ରହିଛି। ଏଭଳି ସ୍ଥଳେ ଡୁ୍‌୍ଲପ୍ଲିକେଟ ଚାବି କେଉଁଠୁ ଆସିଲା? ରତ୍ନଭଣ୍ଡାରରେ ୩ଟି ତାଲା ପଡ଼ିଛି। ତେଣୁ ୩ଟି ଚାବିକୁ ଏକାଠି କଲେ ହିଁ ରତ୍ନଭଣ୍ଡାର ଖୋଲିବ। ଯଦି ଡ଼ୁପ୍ଲିକେଟ ଚାବି ତିଆରି ହୋଇଛି ତେବେ କେଉଁ ସରକାର ଏଭଳି ନିର୍ଦ୍ଦେଶ ଦେଇଥିଲେ ତାହା ସ୍ପଷ୍ଟ କରାଯାଉ।

ସମ୍ବନ୍ଧିତ ଖବର