ମୌସୁମୀ ସମୟରେ ପୁଣି ଥରେ ରତ୍ନଭଣ୍ଡାର ଯାଞ୍ଚ ହେବ!

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ବୁଧବାର ଯାଞ୍ଚ ହେଲା ପରେ ମଧ୍ୟ ଏଥିରେ ଆତ୍ମ ସନ୍ତୋଷ ମିଳି ନାହିଁ। ପୁଣି ଥରେ ରତ୍ନଭଣ୍ଡାର ଯାଞ୍ଚ ହୋଇପାରେ ବୋଲି ବିଶେଷଜ୍ଞ କମିଟି କହିଛି। ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ଵାଲ କହିଛନ୍ତି, ଭିତର ରତ୍ନଭଣ୍ଡାର ତାଲା ଗୁଡ଼ିକ ସବୁ ସିଲ ହୋଇଥିଲା। ବାହାରୁ ଭିତର ଦିଶୁଥିବାରୁ ତାଲା ଖୋଲିବା ଦରକାର ହେଲାନି। ଆମେ ୫ଟି ଚାବି ନେଇ ଯାଇଥିଲୁ ଓ ଭିତର ଦିଶୁଥିବାରୁ କେଉଁ ଚାବିରେ ଖୋଲିବ ଚେଷ୍ଟା କରି ନଥିଲୁ। ସେ କହିଛନ୍ତି, ଭିତର ଚାବି ଜିଲ୍ଲା ଟ୍ରେଜେରୀରେ ନାହିଁ, ମନ୍ଦିର ପ୍ରଶାସନ ପକ୍ଷରୁ ଚାବି ଟ୍ରେଜେରୀରେ କେବେ ଦିଆଯାଇନି। ମନ୍ଦିର ଅଫିସରେ ଯେଉଁ ଚାବି ଥିଲା ସେହି ଚାବି ନେଇ ଯାଇଥିଲୁ।

ସୂଚନାଯୋଗ୍ୟ, ବୁଧବାର ଜିଲ୍ଲା ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ, ଏ.ଏସ.ଆଇର ସଦସ୍ୟ ଓ ହାଇକୋର୍ଟଙ୍କ ପ୍ରତିନିଧି ଶ୍ରୀଜଗନ୍ନାଥଙ୍କର ରତ୍ନଭଣ୍ଡାର ସ୍ଥିତି ଅନୁଧ୍ୟାନ କରିଛନ୍ତି। ଅନୁଧ୍ୟାନ ପରେ ୧୫ ଜଣିଆ ଟିମ୍‌ ଜାଣିବାକୁ ପାଇଛି ଯେ, କାନ୍ଥରେ ଫାଟ ରହିଛି। ଏଥି ସହ କାନ୍ଥ ଓଦା ଥିବା ମଧ୍ୟ ଦେଖାଯାଇଛି। ଯାଞ୍ଚାକରୀ ଦଳ ଶ୍ରୀଜଗନ୍ନାଥଙ୍କର ରତ୍ନଭଣ୍ଡାରର ଅନୁଧ୍ୟାନ ଶେଷ କରିବା ପରେ ଏହି ତଥ୍ୟ ସାମ୍ନାକୁ ଆସିଛି। ତିନିଟି ଭଣ୍ଡାର ଘରକୁ ନେଇ ଗଠିତ ଶ୍ରୀମନ୍ଦିରର ରତ୍ନଭଣ୍ଡାରର ବାହାର ଦୁଇଟି ଘରକୁ ପ୍ରତିନିଧି ଦଳ ଯାଞ୍ଚ କରିବାକ ସକ୍ଷମ ହୋଇଥିଲେ। ବାହାର ଭଣ୍ଡାର ଘରୁ ତୃତୀୟ ଭଣ୍ଡାର ଘର ଭିତର ପାର୍ଶ୍ୱ ଦୃଶ୍ୟମାନ ହେଉଥିବାରୁ ସର୍ଚ୍ଚ ଲାଇଟ୍‌ ଯୋଗେ ଏହା ଯାଞ୍ଚ କରାଯାଇଛି।

ଏସ୍‌ପି ଡ. ସାର୍ଥକ ଷଡ଼ଙ୍ଗୀଙ୍କ ବ୍ୟତୀତ ଛତିଶାନିଯୋଗର ମହାନାୟକ ଜନାର୍ଦ୍ଦନ ପାଟଯୋଶୀ, ଭଣ୍ଡାର ମେକାପ ଗଣେଶ ମେକାପ, ଦେଉଳିକରଣ ଚନ୍ଦ୍ରଶେଖର ମଙ୍ଗରାଜ, ଚଢ଼ାଉକରଣ ହିମାଂଶୁ ପଟ୍ଟନାୟକ, ଗଜପତିଙ୍କ ପ୍ରତିନିଧି ଅମିୟ ମହାନ୍ତି, ଏଏସ୍‌ଆଇର ଏଚ୍‌.ଏ. ନାୟକ, ଚିତ୍ତରଂଜନ ଦାଶ, କୋର କମିଟି ଜି.ସି. ମିତ୍ର, ଏନ୍‌.ସି.ପାଲ, ହାଇକୋର୍ଟଙ୍କ ପ୍ରତିନିଧି ଏନ୍‌.କେ. ମହାନ୍ତି, ରତ୍ନଭଣ୍ଡାର ସବ୍‌କମିଟିର ୨ଜଣ ସଦସ୍ୟ, ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ଵାଲ, ଶ୍ରୀମନ୍ଦିର ପ୍ରଶାସକ ପ୍ରଦୀପ କୁମାର ଜେନା ଓ ନୀତି ପ୍ରଶାସକ ରତ୍ନଭଣ୍ଡାର ଭିତରକୁ ପ୍ରବେଶ କରିଥିଲେ।

ସମ୍ବନ୍ଧିତ ଖବର