ରେଭେନ୍ସା ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଉତ୍ସବ ଶିକ୍ଷା ଆତ୍ମବିଶ୍ବାସର ଆଧାର: ରାଜ୍ୟପାଳ

୩ଜଣଙ୍କୁ ସମ୍ମାନଜନକ ଡକ୍ଟରେଟ୍‌ ୬୪ ସ୍ବର୍ଣ୍ଣ, ୭୮ ପିଏଚ୍‌ଡି ଡିଗ୍ରୀ ପାଇ‌େଲ ଛାତ୍ରଛାତ୍ରୀ

କଟକ: ‘ଜ୍ଞାନ ଆହରଣ ପାଇଁ କୌଣସି ସୀମା ନଥାଏ। ଶିକ୍ଷା ହେଉଛି ଆତ୍ମବିଶ୍ବାସର ଆଧାର। ମନରେ ଦୃଢ଼ ଇଚ୍ଛାଶକ୍ତି ଓ ପ୍ରଚଣ୍ଡ ଆତ୍ମବିଶ୍ବାସ ରହିଲେ ଛାତ୍ରଛାତ୍ରୀ ସୂର୍ଯ୍ୟଠାରୁ ଉପରକୁ ଯାଇ ବିଶ୍ବକୁ ଜୟ କରିପାରିବେ। ରେଭେନ୍ସା ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସେହି ଆତ୍ମବିଶ୍ବାସ ଭରି ରହିଛି। କେବଳ ଉଚିତ୍ ଦିଶା ମିଳିଲେ ସେମାନେ ସବୁ ଅସମ୍ଭବକୁ ସମ୍ଭବ କରିପାରିବେ।’- ରେଭେନ୍ସା ବିଶ୍ବବିଦ୍ୟାଳୟର ୧୦ମ ସମାବର୍ତ୍ତନ ଉତ୍ସବରେ ଅଧ୍ୟକ୍ଷତା କରି ଛାତ୍ରଛାତ୍ରୀଙ୍କୁ ଏପରି ପ୍ରେରଣାଦାୟୀ ଉଦ୍‌ବୋଧନ ଦେଇଛନ୍ତି ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ।
ରେଭେନ୍ସା ସେଭେନ୍ ପିଲାର୍ସସ୍ଥିତ ସମ୍ମିଳନୀ କକ୍ଷରେ ଏହି ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଉତ୍ସବରେ ଅଧ୍ୟକ୍ଷତା କରି ରାଜ୍ୟପାଳ ଶ୍ରୀ ପାଲ ରେଭେନ୍ସା ପରି ଐତିହ୍ୟସଂପନ୍ନ ବିଶ୍ବବିଦ୍ୟାଳୟର ଗୁଣଗାନ କରିବା ସହ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ। ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅଧ୍ୟକ୍ଷା ଡିପାର୍ଟମେଣ୍ଟ ଅଫ୍‌ ଆଣ୍ଡ ବାଓଟେକ୍‌ନୋଲୋଜି(ଡିବିଟି)ର ଅଧ୍ୟକ୍ଷ ଡକ୍ଟର ରେଣୁ ସ୍ବରୁପ ଯୋଗ ଦେଇ କହିଲେ ଶିକ୍ଷା ବ୍ୟବସ୍ଥା ଏପରି ଭାବେ ପ୍ରସ୍ତୁତ କରାଯାଉ, ଯେଉଁଥିରେ ଛାତ୍ରଛାତ୍ରୀଙ୍କ ଚରିତ୍ର ଗଠନ ସହ ସମାଜ ପ୍ରତି ଥିବା ସେମାନଙ୍କ ଦାଇତ୍ବବୋଧ ଜ୍ଞାନ ମିଳିପାରିବ। ‘ଜ୍ଞାନ ହିଁ ପ୍ରକୃତ କ୍ଷମତା’ ବା ନଲେଜ୍ ଇଜ୍‌ ପାୱାରକୁ ମୂଳମନ୍ତ୍ର କରି ରେଭେନ୍ସା କଲେଜ ପ୍ରତିଷ୍ଠା ହୋଇଥିଲା। ଆଜି ରେଭେନ୍ସା ୧୫୦ବର୍ଷ ପାଳନ କରିସାରିଛି। ବିଶ୍ବବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ରେଭେନ୍ସାର ମୂଳମନ୍ତ୍ରକୁ ମୂଳଧନ କିରି ସମାଜ ଓ ଦେଶ ଗଠନରେ ବିିନିଯୋଗ କରିବା ପାଇଁ ଡକ୍ଟର ସ୍ବରୂପ ଆହ୍ବାନ ଦେଇଥିଲେ। ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଡକ୍ଟର ଇସାନ କୁମାର ପାତ୍ର ଅତିଥି ପରିଚୟ ପ୍ରଦାନ କରିବା ସହ ରେଭେନ୍ସାର ଗୌରବମୟ ଇତିହାସ ସଂପର୍କରେ ଆଲୋକପାତ କରିଥିଲେ। ସେ ବିଶ୍ବବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ଜୀବନର ଶେଷ ଯାଏଁ ଶିକ୍ଷା ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ। ୨୦୧୮ବର୍ଷ ପାଇଁ ବିଶ୍ବବିଦ୍ୟାଳୟରେ ସ୍ନାତକରେ ୧୩୮୩, ସ୍ନାତକୋତ୍ତରରେ ୯୯୬, ଏମ୍‌ଫିଲରେ ୨୭୪ ଓ ପିଏଚ୍‌ଡିରେ ୭୮ଜଣ ଛାତ୍ରଛାତ୍ରୀ ସଫଳତାର ସହ ପାସ୍‌ କରିଥିବା ସେ ସୂଚନା ଦେଇଥିଲେ।

ଏହି ଅବସରରେ ବିଶ୍ବବିଦ୍ୟାଳୟ ପକ୍ଷରୁ ନାଟ୍ୟକାର ଅନନ୍ତ ମହାପାତ୍ର, ଲେଖିକା ଡକ୍ଟର ନିବେଦିତା ମହାନ୍ତିଙ୍କୁ ସମ୍ମାନସୂଚକ ଡକ୍ଟରେଟ୍‌ ପ୍ରଦାନ କରାଯାଇଥିବା ବେଳେ ଅନୁପସ୍ଥିତ କାରଣରୁ ପଦ୍ମବିଭୂଷଣ ପ୍ରଫେସର ପି.ଏନ୍‌. ଟଣ୍ଡନ୍‌ ଏହି ସମ୍ମାନ ଗ୍ରହଣ କରିପାରିନାହାନ୍ତି। ସେହିପରି ୨୦୧୮ ବର୍ଷ ପାଇଁ ବିଭିନ୍ନ ବିଭାଗରେ ଉତ୍କର୍ଷ ହାସଲ କରିଥିବା ମୋଟ ୬୪ ଜଣ ଛାତ୍ରଛାତ୍ରୀଙ୍କୁ ସ୍ବର୍ଣ୍ଣ ପଦକ ଓ ୭୮ଜଣଙ୍କୁ ପିଏଚଡି ଡିଗ୍ରି ପ୍ରଦାନ କରାଯାଇଥିଲା। ବିଶ୍ବବିଦ୍ୟାଳୟର ସ୍ନାତକରେ ୨୯ଜଣ, ସ୍ନାତକୋତ୍ତର ୩୦ଜଣ, ବେଷ୍ଟ ଗ୍ରାଜୁଏଟ୍‌ ଭାବେ ଦୁଇଜଣ ଓ ବୋରାସମ୍ବର-ସେନାପତି ବକ୍ତୃତା ପ୍ରତିଯୋଗିତାରେ ୩ଜଣଙ୍କୁ ମିଶାଇ ମୋଟ ୬୪ଟି ସ୍ବର୍ଣ୍ଣ ପଦକ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯାଇଥିଲା। ଉତ୍ସବରେ କୁଳସଚିବ ଅଶୋକ କୁମାର ଦାସ, ସିସିଡି ଡକ୍ଟର ସଂଗୀତା ରଥଙ୍କ ସମେତ ସମସ୍ତ ଡିନ୍‌, ବିଭାଗୀୟ ମୁଖ୍ୟ, ଅଧ୍ୟାପକ, ଅଧ୍ୟାପିକଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର