ସର୍ଚ୍ଚ କମିଟି ବୈଧତାକୁ ଚ୍ୟାଲେଞ୍ଜ୍‌

ହାଇକୋର୍ଟରେ ପୁଣି ରେଭେନ୍ସା କୁଳପତି ନିଯୁକ୍ତି ବିବାଦ

ନବ ନିଯୁକ୍ତ କୁଳପତିଙ୍କ ସମେତ ସମସ୍ତ ପ୍ରତିପକ୍ଷଙ୍କୁ ନୋଟିସ୍‌

କଟକ : ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତି ବିବାଦ ପୁଣି ହାଇକୋର୍ଟରେ ପହିଞ୍ଚିଛି। କୁଳପତି ନିଯୁକ୍ତି ପାଇଁ ଗଠନ କରାଯାଇଥିବା ସର୍ଚ୍ଚ କମିଟିର ବୈଧତାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ୟୁଜିସି ନିୟମାବଳୀ, ୨୦୧୦ର ଉଲ୍ଲଂଘନରେ ଗଠିତ ସର୍ଚ୍ଚ କମିଟି ଦ୍ୱାରା ଚୟନ କରାଯାଇଥିବା ନୂଆ କୁଳପତି ପ୍ରଫେସର ଡକ୍ଟର ଇଶାନ କୁମାର ପାତ୍ରଙ୍କ ନିଯୁକ୍ତିକୁ ରଦ୍ଦ କରାଯାଉ ବୋଲି ଦର୍ଶାଇ ପ୍ରଫେସର ଡକ୍ଟର ଜୟକୃଷ୍ଣ ପଣ୍ଡାଙ୍କ ଆବେଦନକୁ ବିଚାର ପାଇଁ ହାଇକୋର୍ଟ ଗ୍ରହଣ କରି ପ୍ରତିପକ୍ଷଙ୍କୁ ନୋଟିସ୍‌ ଜାରି କରିଛନ୍ତି। ଜଷ୍ଟିସ୍‌ ଏସ୍‌.ଏନ୍‌.ପ୍ରସାଦଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ଜବାବ ଦାଖଲ ପାଇଁ ରେଭେନ୍ସା ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରାର, କୁଳାଧିପତିଙ୍କ ପ୍ରମୁଖ ସଚିବ, ସର୍ଚ୍ଚ କମିଟି, କୁଳପତି ଡକ୍ଟର ପାତ୍ରଙ୍କୁ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଦେବାଶିଷ ମହାକୁଡ ମାମଲା ପରିଚାଳନା କରୁଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ୨୦୧୭ ଅକ୍ଟୋବର ୨୩ରେ ରେଭେନ୍ସା କୁଳପତି ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୩୭ ବର୍ଷର ଅଧ୍ୟାପନା ଅଭିଜ୍ଞତା ସହିତ ୧୬ ବର୍ଷ ଧରି ପ୍ରଫେସର ଭାବେ କାର୍ଯ୍ୟ କରିବାର ଅନୁଭବ ଥିବା ଆବେଦନକାରୀ କୁଳପତି ପଦ ପାଇଁ ଆବେଦନ କରିଥିଲେ। କିନ୍ତୁ ତାଙ୍କୁ ସାକ୍ଷାତକାର ପାଇଁ ଡକାଯାଇ ନଥିଲା। ପରବର୍ତ୍ତୀ ସମୟରେ ସେ ଜାଣିବାକୁ ପାଇଥିଲେ ଯେ ସମଗ୍ର ନିଯୁକ୍ତି ପ୍ରକ୍ରିୟାର ସ୍ୱଚ୍ଛତାକୁ ନେଇ ସନ୍ଦେହ ରହିଛି। ୟୁଜିସି ନିୟମାବଳୀ ଅନୁସାରେ କୁଳପତି ଚୟନ ପାଇଁ ସର୍ଚ୍ଚ କମଟି ଗଠନ କରାଯାଇ ନାହିଁ। ହାଇକୋର୍ଟରେ ବିଚାରାଧୀନ ରେଭେନ୍ସା କୁଳପତି ନିଯୁକ୍ତି ସଂପର୍କିତ ଅନ୍ୟ ଏକ ମାମଲାରେ ଦାଖଲ ହୋଇଥିବା ଜବାବରୁ ସ୍ପଷ୍ଟ ହୋଇଥିଲା ଯେ ଅବସରପ୍ରାପ୍ତ ଆଏଏସ୍‌ ଆର୍‌.କେ.ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ସର୍ଚ୍ଚ କମିଟିରେ ପ୍ରଫେସର ସଂଜୟ ପୁରୀ ଓ ପ୍ରଫେସର ସନ୍ତୋଷ ସି.ପଣ୍ଡା ସଦସ୍ୟ ରହିଥିଲେ।

ୟୁଜିସି ନିୟମାବଳୀ ଅନୁସାରେ, ସର୍ଚ୍ଚ କମିଟିର ଅଧ୍ୟକ୍ଷ ଓ ସଦସ୍ୟ ହେବା ପାଇଁ ଜଣେ ବ୍ୟକ୍ତିଙ୍କର ଉଚ୍ଚ ଶିକ୍ଷା କ୍ଷେତ୍ରରେ ବିଶେଷ ପାରଦର୍ଶିତା ଥିବା ଆବଶ୍ୟକ। ଏଥି ସହିତ ବିଶ୍ୱବିଦ୍ୟାଳୟ ସହିତ ତାଙ୍କର ସଂପର୍କ ନଥିବ। କିନ୍ତୁ ଅଧ୍ୟକ୍ଷ ଶ୍ରୀ ମିଶ୍ର ଜଣେ ଅବସରପ୍ରାପ୍ତ ଆଏଏସ୍‌ ହୋଇଥିବା ବେଳେ ତାଙ୍କର ଉଚ୍ଚଶିକ୍ଷା ପ୍ରଦାନ କ୍ଷେତ୍ରରେ ପାରଦର୍ଶିତା ନେଇ କିଛି ବିଶେଷ ଅନୁଭବ ନାହିଁ। ଏଥି ସହିତ ସଦସ୍ୟ ଥିବା ପ୍ରଫେସର ପଣ୍ଡା ରେଭେନ୍ସା ବିଶ୍ୱବିଦ୍ୟାଳୟ ସହିତ ବିଭିନ୍ନ ଭାବେ ଜଡିତ ଥିଲେ। ଅର୍ଥନୀତି ପାଠ୍ୟକ୍ରମରେ ସୁଧାର ପାଇଁ ପ୍ରଫେସର ପଣ୍ଡାଙ୍କୁ ଅତୀତରେ ଦାୟିତ୍ୱ ଦିଆଯାଇଥିଲା ଓ ଏ ସଂକ୍ରାନ୍ତରେ ବିଶ୍ୱବିଦ୍ୟାଳୟ ଓ୍ଵବସାଇଟ୍‌ରେ ତଥ୍ୟ ରହିଛି। ଏଥି ସହିତ ୨୦୧୨ରେ ଅଧ୍ୟାପକ ନିଯୁକ୍ତି ପାଇଁ ଗଠିତ ପ୍ୟାନେଲରେ ପ୍ରଫେସର ପଣ୍ଡା ସଦସ୍ୟ ଥିଲେ। ୨୦୧୨, ଜୁନ୍‌ରେ ଅନୁଷ୍ଠିତ ସେମିନାରରେ ଅଂଶ ଗ୍ରହଣ ପାଇଁ ପ୍ରଫେସର ପଣ୍ଡାଙ୍କୁ କୁଳପତି ନିମନ୍ତ୍ରଣ କରିଥିଲେ।

ଏଭଳି ଘଟଣା ସର୍ଚ୍ଚ କମିଟି ଗଠନରେ ନିୟମ ଉଲ୍ଲଂଘନ ହୋଇଥିବା ସ୍ପଷ୍ଟ କରୁଛି ବୋଲି ଆବେଦନକାରୀ ଅଭିଯୋଗ କରିଛନ୍ତି। କୁଳପତି ନିଯୁକ୍ତି ପାଇଁ କରାଯାଇଥିବା ସର୍ଚ୍ଚ କମିଟି ଗଠନକୁ ରଦ୍ଦ କରାଯାଉ। ଏଭଳି ବେଆଇନ୍‌ ସର୍ଚ୍ଚ କମଟି ଦ୍ୱାରା ଚୟନ କରାଯାଇଥିବା କୁଳପତିଙ୍କ ନିଯୁକ୍ତିକୁ ବେଆଇନ୍‌ ଘୋଷଣା କରାଯାଉ ଓ ୟୁଜିସି ନିୟମାବଳୀ ଅନୁସାରେ କୁଳପତି ନିଯୁକ୍ତି ପାଇଁ ସାନି ବିଜ୍ଞପ୍ତି ପ୍ରକାଶ କରାଯାଉ ବୋଲି ଆବେଦନକାରୀଙ୍କ ପକ୍ଷରୁ ପ୍ରାର୍ଥନା କରାଯାଇଛି।

ସମ୍ବନ୍ଧିତ ଖବର