ରେଭେନ୍ସା କୁଳପତି ନିଯୁକ୍ତି ବିବାଦ ମାମଲା : ହାଇକୋର୍ଟରେ ଶୁଣାଣି ଶେଷ, ରାୟ ସଂରକ୍ଷିତ

କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟ କୁଳପତି ନିଯୁକ୍ତି ପ୍ରକ୍ରିୟାରେ ନିୟମ ଉଲ୍ଲଂଘନ ଅଭିଯୋଗ ସଂପର୍କିତ ସମସ୍ତ ମାମଲାର ଆଜି ହାଇକୋର୍ଟରେ ଶୁଣାଣି ‌ଶେଷ ହୋଇଛି। ଜଷ୍ଟିସ ପ୍ରମଥ ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏ ସଂପର୍କିତ ତିନୋଟି ମାମଲାର ପୂର୍ଣ୍ଣାଙ୍ଗ ଶୁଣାଣି ହୋଇଛି। ଖଣ୍ଡପୀଠ ମାମଲାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି। ଆସନ୍ତା ଶୁକ୍ରବାର ସୁଦ୍ଧା ସମସ୍ତ ପକ୍ଷଙ୍କୁ ଲିଖିତ ଯୁକ୍ତି ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ମାମଲାରେ ପୂର୍ବରୁ କୁଳାଧିପତି ଓ ରେଭେନ୍ସା ପକ୍ଷରୁ ହାଇକୋର୍ଟରେ ଜବାବ ଦାଖଲ କରାଯାଇଥିବା ବେଳେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଓ ୟୁଜିସି ମଧ୍ୟ ପକ୍ଷ ରଖିଥିଲେ।

ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୧୭, ଅକ୍ଟୋବର ୨୩ରେ ରେଭେନ୍ସା କୁଳପତି ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ରେଭେନ୍ସା ବିଶ୍ବବିଦ୍ୟାଳୟରେ ଅଧ୍ୟାପକ ଓ କୁଳପତିଙ୍କ ନିଯୁକ୍ତି ବେଳେ ୟୁଜିସି ନିୟମାବଳୀ ଅନୁସରଣ କରାଯାଉଥିବା ବେଳେ ଅକ୍ଟୋବର ୨୩ରେ କୁଳପତି ପଦ ପାଇଁ ପ୍ରକାଶିତ ବିଜ୍ଞପ୍ତିରେ ଶିକ୍ଷାଗତ ଯୋଗ୍ୟତା ଓ ଅନୁଭବ ପ୍ରସ˚ଗରେ ଏହାର ଉଲ୍ଲ˚ଘନ କରାଯାଇଥିବା ଅଭିଯୋଗ ହୋଇଥିଲା। ୨୦୧୪ରେ କୁଳପତି ନିଯୁକ୍ତି ପାଇଁ ପ୍ରକାଶିତ ବିଜ୍ଞପ୍ତି ୟୁଜିସି ନିୟମାବଳୀ ଅନୁସାରେ ପ୍ରକାଶ ପାଇଥିବା ବେଳେ ଏଥର କିନ୍ତୁ ବ୍ୟତିକ୍ରମ ଦେଖା ଦେଇଥିଲା। ୟୁଜିସି ନିୟମାବଳୀ ଅନୁସାରେ ପ୍ରାର୍ଥୀଙ୍କ ପ୍ରଶାସନିକ ଅନୁଭବକୁ ମଧୢ ବିଚାରକୁ ନିଆଯିବା କଥା। କିନ୍ତୁ ପ୍ରଶାସନିକ ଅନୁଭବକୁ ବାଦ୍‌ ଦିଆଯାଇ କୁଳପତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ବିଜ୍ଞପ୍ତି ୟୁଜିସି ନିୟମାବଳୀ ଅନୁସାରେ କରାଯାଇନାହିଁ ବୋଲି ଅଭିଯୋଗ ହୋଇଥିଲା। ଏ ନେଇ ପ୍ରଫେସର ଡକ୍ଟର ନଚିକେତା ଦାସ ହାଇକାର୍ଟରେ ୨୦୧୭ରେ ମାମଲା ରୁଜୁ କରିଥିଲେ। ସେହିପରି ପୃଥକ ଭାବେ ଏହି ପ୍ରସଂଗକୁ ନେଇ ୨୦୧୮ରେ ଡକ୍ଟର ଜୟକୃଷ୍ଣ ପଣ୍ଡା ଓ ସୁବାସ ଚନ୍ଦ୍ର ସାମଲଙ୍କ ପକ୍ଷରୁ ମାମଲା ଦାୟର ହୋଇଥିଲା। ମାମଲାରେ କୁଳାଧିପତି, ରେଭେନ୍ସା କୁଳ ସଚିବ, ଚୟନ କମିଟି, ୟୁଜିସି ଓ ରାଜ୍ୟ ସରକାରଙ୍କୁ ପକ୍ଷଭୁକ୍ତ କରାଯାଇଥିଲା। ଆବେଦନନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଜୟନ୍ତ କୁମାର ରଥ ଓ ଏସ୍‌.ଏସ୍‌.ଦାଶ ମାମଲା ପରିଚାଳନା କରୁଥିବା ବେଳେ ଶାଶ୍ବତ ଦାସ ସହାୟତା କରୁଥିଲେ।

ସମ୍ବନ୍ଧିତ ଖବର